ପୁଅ ବେକରେ ଲଙ୍ଗଳ, ବାପା କରୁଛି ହଳ । ଏବେ ଚାଷ ପାଇଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ବାହାରିଛି । ଖାସକରି ହଳ କରିବା ପାଇଁ ଟ୍ରାକ୍ଟର, ପାୱାରଟିଲର ଭଳି ଯନ୍ତ୍ର ନିର୍ମାଣ ହୋଇଛି । କିନ୍ତୁ ମଧ୍ୟପ୍ରଦେଶରେ ପୁଅକୁ ବଳଦ କରି ଚାଷ ଜମିରେ ବାପା ହଳ କରୁଥିବା ଘଟଣା ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ କୃଷକଙ୍କ ଜୀବନର ବାସ୍ତବିକତାର ପରିଚୟ ମିଳିଯାଉଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଶାଜାପୁରର ଘଟିଛି। ଜମିକୁ ଲିଜରେ ନେଇଥିବା ବ୍ୟକ୍ତିଙ୍କ ନାମ ଲକ୍ଷ୍ମୀନାରାୟଣ ଓ ତାଙ୍କ ପିତାଙ୍କ ନାମ ମେହତାବ ସିଂହ ବୋଲି ଜଣାପଡ଼ିଛି। ଆର୍ଥିକସ୍ଥିତି ଠିକ୍ ନ ଥିବା ହେତୁ ଲକ୍ଷ୍ମୀନାରାୟଶ ଓ ତାଙ୍କ ୮୦ବର୍ଷୀୟ ପିତା ମେହତାବ ସିଂହ ନିଜେ ନିଜ ବଳରେ ଜମିକୁ ହଳ କରି ଚାଷ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହାପରେ ଲକ୍ଷ୍ମୀନାରାୟଣ କାନ୍ଧରେ ଲଙ୍ଗଳ କାନ୍ଧେଇ ଥିବା ବେଳେ ତାଙ୍କ ବାପା ଜମି ହଳ କରିଥିଲେ। ହଳ ପରେ ଦୁହେଁ କ୍ଷେତରେ ମଞ୍ଜି ପକାଇ ଫସଲ କରିବେ। ବାପ-ପୁଅଙ୍କ ହଳ କରୁଥିବାର ଫଟୋ ମଧ୍ୟପ୍ରଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ଖୁବ୍ ଶୀଘ୍ର ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଅଛି। ଏହି କାରଣରୁ ବିପକ୍ଷ ଦଳ କଂଗ୍ରେସ ରାଜ୍ୟରେ ଚାଷୀଙ୍କ ଖରାପ ସ୍ଥିତିକୁ ପ୍ରସଙ୍ଗ କରି ଶିବରାଜ ସରକାରଙ୍କୁ ଆକ୍ଷେପ କରିଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସର ବରିଷ୍ଠ ନେତା କମଳ ନାଥ ଏହି ଦୁଇ ବାପ-ପୁଅଙ୍କ ହଳ କରୁଥିବାର ଫଟୋକୁ ଟୁଇଟରରେ ସେୟାର କରି ଲେଖିଛନ୍ତି, ଚାଷୀ ପୁତ୍ରଙ୍କ ରାଜ୍ୟରେ ଜମି ଓ ଚାଷୀଙ୍କୁ ନେଇ ସରକାର ଯେତେ ବି ବଡ ଦାବି କରନ୍ତୁ, କିନ୍ତୁ ବାସ୍ତବିକ ଚିତ୍ର କିଛି ଅନ୍ୟ ରହିଛି । ଏବେ ଚାଷୀମାନେ ଅନେକ ସମସ୍ୟା ଓ ଅସୁବିଧା ଦେଇ ଗତି କରୁଛନ୍ତି। ଚାଷୀଙ୍କ ର୍ନାରେ ଯୋଜନା କରୁଥିଲେ ମଧ୍ୟ ଏହାର ଲାଭ ପ୍ରକୃତ ଚାଷୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ଫଳରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି । ଏହା ପୂର୍ବରୁ ମଧ୍ୟ ମଧ୍ୟପ୍ରଦେଶରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଦୁଇ ଝିଅଙ୍କୁ ବଳଦ କରି ବାପା ବିଲରେ ହଳ କରୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଯାହା ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।