ଶେଷରେ ମନେପଡିଲା ଚାଷୀଙ୍କ କଥା ! ବିଧାନସଭାରେ ହେଲା ୪ ଘଣ୍ଟାର ଆଲୋଚନା । ବିରୋଧୀ ବଖାଣିଲେ ଚାଷୀଙ୍କ ସମସ୍ୟା, ମନ୍ତ୍ରୀ କହିଲେ ଦୁର୍ଦ୍ଦୀନରେ ନାହାଁନ୍ତି ଓଡିଶାର ଚାଷୀ

40

କନକ ବ୍ୟୁରୋ : ଚାଷ ଓ ଚାଷୀଙ୍କୁ ନେଇ ଚାରିଆଡେ ଉଦବେଗ ପ୍ରକାଶ ପାଉଥିବା ବେଳେ ଆଜି ବିତର୍କ କରିଛି ବିଧାନସଭା । ତୃତୀୟ ଦିନରେ ଚାଷୀ ଓ ଚାଷୀ ପ୍ରସଙ୍ଗରେ ପ୍ରାୟ ୪ଘଂଟା ଧରି ଆଲୋଚନା କରିଛନ୍ତି ଗୃହର ସଦସ୍ୟ । ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟ, ଚାଷୀ ପ୍ରସଙ୍ଗକୁ ଗମ୍ଭୀରତାର ନେଇଛନ୍ତି । ହେଲେ ଏହି ପ୍ରସଙ୍ଗରେ ମଧ୍ୟ ଜଣେ ଆଉ ଜଣଙ୍କ ଦୋଷ ଲଦିବାକୁ ପଛାଇ ନାହାଁନ୍ତି ।

ଦୁଇ ଦିନ ଧରି ଶାସକ-ବିରୋଧୀଙ୍କ ଟଣାଓଟରା ଭିତରେ, ଚାଷ ଓ ଚାଷୀ ପ୍ରସଙ୍ଗ ଗୃହକାର୍ଯ୍ୟକୁ ସ୍ୱାଭାବିକ କରିଛି । ବିରୋଧୀ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତବ ଉପରେ ଆଲୋଚନା ସହ ଏମଏସପି, ବୋନସ୍, ଜଳ ସେଚନ ଏବଂ ବଜାର ବ୍ୟବସ୍ଥା ଉପରେ ଖୁବ୍ ଜୋରରେ ଚର୍ଚ୍ଚା ହୋଇଛି । ହେଲେ ଏଥିରେ ବି ଜଣେ ଆଉ ଜଣଙ୍କୁ ଗୋଡ ଟାଣିବାକୁ ପଛାଇ ନାହାଁନ୍ତି । ବିରୋଧୀ ବିଜେପି-ଚାଷୀଙ୍କ ସ୍ଥିତି ପାଇଁ ଶାସକ ବିଜେଡିକୁ ଦାୟୀ କରିଥିବା ବେଳେ ଶାସକ ବିଜେଡି କେନ୍ଦ୍ରର ଏନଡିଏ ସରକାରକୁ ଦାୟୀ କରିଛି । ଆଉ ଚିରାଚରିତ ଢ଼ଙ୍ଗରେ କଂଗ୍ରେସର ଟାର୍ଗେଟରେ ଥିଲେ ଉଭୟ ବିଜେପି ଏବଂ ବିଜେଡି ।

ଏହି ଆରୋପ-ପ୍ରତ୍ୟୋରୋପ ଭିତରେ କିନ୍ତୁ କୃଷୀ ମନ୍ତ୍ରୀ ଚାଷୀଙ୍କ ଆୟ ବୃଦ୍ଧି ହୋଇଥିବା ନେଇ କହିଥିବା ବେଳେ, ପ୍ରମାଣ ଦେବାକୁ ଯାଇ ୪ଥର କୃଷି କର୍ମଣ ପୁରସ୍କାର କଥା ବି ଉଠାଇଛନ୍ତି । ହେଲେ ବିଜେପିର ଅଭିଯୋଗ- ଭୁଆଁ ବୁଲାଇବାରେ ଶାସକ ଦଳ ଅଭ୍ୟସ୍ତ । ମିଛ ପ୍ରତିଶ୍ରୃତି ଦେଇ କେବଳ ଭୋଟ ହାତଉଛି ବିଜେଡି । ପ୍ରାୟ ୪ ଘଂଟା ଧରି ଚାଲିଥିବା ଏହି ଆଲୋଚନା ଭିତରେ ସମସ୍ତେ ଚାଷୀ ଓ ଚାଷର ସଂଗୀନ ସ୍ଥିତିକୁ ଗ୍ରହଣ କରିଛନ୍ତି । ହେଲେ ଦଳୀୟ ଆଭିମୁଖ୍ୟର କଥା ଯେତେବେଳେ ଆସିଯାଉଛି, ଜଣେ ଆଉ ଜଣଙ୍କ ଉପରେ ଦୋଷ ଦେଇ, ଦାୟିତ୍ୱ ଖସାଇ ଦେବାକୁ ଉଦ୍ୟମ କରିଛନ୍ତି ।