କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ଚାଷୀ ଭୋଟର ଟ୍ରମ୍ପକାର୍ଡ ଭାବେ ଉଭା ହୋଇପାରନ୍ତି । ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କୃଷି ଋଣ ଛାଡ ପରେ ଏବେ ଜାତୀୟ ତଥା ରାଜ୍ୟରେ କୃଷକଙ୍କ ଗୁରୁତ୍ୱ ବୃଦ୍ଧି ପାଇଛି । କୃଷକଙ୍କ ଭୋଟ ଯିଏ ହାତେଇପାରିବ ସିଏ ହିଁ ୨୦୧୯ ନିର୍ବାଚନ ବୈତରଣୀ ପାର ହେବ । ଅଥାର୍ତ ରାଜ୍ୟର ୭୦ ପ୍ରତିଶତ ଭୋଟବ୍ୟାଙ୍କ ହାତେଇବା ପାଇଁ ଏବେ ତିନ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଛି କସରତ । ଆଉ ଏସବୁ ଭିତରେ ଚାଷୀଙ୍କୁ ହକ୍ ଦେବା ପାଇଁ ଅଣ୍ଟା ଭିଡିଛି ବିଜେଡି । ଚାଷୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରି ବିଶ୍ୱାସ ଜିତିବାକୁ ଜୋରଦାର ଉଦ୍ୟମ କରୁଛି ବିଜେଡି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚାଷୀ ଭାଇଙ୍କ ହକର ଲଢେଇରେ ନିଜକୁ ସାମିଲ କରିଛି ବିଜେଡି । ଆଉ ଖାସ ସେଥିପାଇଁ ଆଜି ଭୁବନେଶ୍ୱର ବରମୁଣ୍ଡା ପଡିଆରେ କୃଷି ଓଡିଶା ଆଲୋଚନା ଚକ୍ରର ଆୟୋଜନ କରିଛନ୍ତି ନବୀନ । ୫ ଦିନ ଧରି ଚାଲିବାକୁ ଥିବା ଏହି ଆଲୋଚନାଚକ୍ରରେ ଖାସକରି କୃଷକଙ୍କ ଆୟକୁ ବହୁଗୁଣିତ କରିବା ବାବଦରେ ଆଲୋଚନା କରାଯିବ । ଏହାଛଡା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ପ୍ରତିଶୃତି ଦେଇ କିଭଳି କେନ୍ଦ୍ର ସରକାର ଏହାକୁ ଭୁଲି ଯାଇଛନ୍ତି ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ଏହାଛଡା ରାଜ୍ୟ ସରକାର ଚାଷୀଙ୍କ ପାଇଁ ଯେଉଁସବୁ ଯୋଜନା ଘୋଷଣା କରିଛନ୍ତି ସେ ବାବଦରେ ଏହି
ଚାଷୀ ଭାଇ ମାନଙ୍କ ସମସ୍ୟା ଦୂର କରିବା ପାଇଁ ଏତିକିେରେ ଅଟକି ନାହାନ୍ତି ନବୀନ । କୃଷକଙ୍କ ପାଇଁ କାଳିଆ ଯୋଜନାର ଘୋଷଣା କରି ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ନବୀନ । ଏହି ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ସହ ଜୀବନବୀମାର ସୁବିଧା ପ୍ରଦାନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଯାହାଦ୍ୱାରା ରାଜ୍ୟର ୬୨ ଲକ୍ଷ ଚାଷୀ ପରିବାର ସିଧାସଳଖ କାଳିଆ ଯୋଜନାର ଫାଇଦା ପାଇ ପାରିବେ । ରାଜ୍ୟରେ କୃଷି ଋଣ ଛାଡ କରିବାକୁ ଯେତେବେଳେ ବିରୋଧୀ ମାନେ ନବୀନ ସରକାର ଚାପ ସୃଷ୍ଟି କରିଥିଲେ ସେତେବେଳେ କାଳିଆ ଯୋଜନାର ଘୋଷଣା କରି ରାଜ୍ୟର ଗରିବ ଚାଷୀ ଭାଇ ମାନଙ୍କ ପାଖରେ ସିଧାସଳଖ ପହଞ୍ଚିଛନ୍ତି ନବୀନ ସରକାର ।
ଏହାଛଡା ଚାଷୀଙ୍କ ହକର ଲଢେଇ ଲଢିବା ପାଇଁ ପଲ୍ଲୀରୁ ଦିଲ୍ଲୀ ଦରବାରକୁ ଯିବାକୁ ମଧ୍ୟ ପଛାଇ ନାହାନ୍ତି ନବୀନ । ଚାଷୀଙ୍କ ସ୍ୱରକୁ ଦିଲ୍ଲୀ ଦରବାରରେ ପହଞ୍ଚାଇବା ପାଇଁ କୃଷକ ଅଧିକାର ସମାବେଶ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ମୁଖ୍ୟମନ୍ତ୍ରୀ । ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି, ଏମଏସପିକୁ ୨ ହଜାର ୯୩୦ ଟଙ୍କାକୁ ବୃଦ୍ଧି, ଏବଂ ସ୍ୱାମୀନାଥନ କମିଟି ସୁପାରିଶକୁ ଲାଗୁ କରିବାକୁ ଦାବି କରିବା ସହ ଏହି ପ୍ରସଙ୍ଗରେ କେନ୍ଦ୍ର ବିଜେପି ସରକାରର ଟାଳଟୁଳ ନୀତିକୁ ଜୋରଦାର ସମାଲୋଚନା କରିଥିଲେ ନବୀନ । ଗୋଟିଏ ପଟେ କୃଷି ଋଣ ଛାଡ ରେସରୁ ଅଲଗା ହୋଇ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କାଳିଆ ଯୋଜନାର ଘୋଷଣା କରି ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ଚାଷୀଙ୍କ ହକର ଲଢେଇରେ ସିପାହୀ ଭାବେ ସାମ୍ନାକୁ ଆସି ଚାଷୀକୂଳର ଭରସା ଓ ବିଶ୍ୱାସ ଜିତିବାକୁ ଚେଷ୍ଟା ଚଳାଇଛନ୍ତି ନବୀନ । ଆଉ ଏହା ୨୦୧୯ ନିର୍ବାଚନରେ ବିଜେଡି ପାଇଁ ବଡ ଟ୍ରମ୍ପକାର୍ଡ ଭାବେ ଉଭା ହେବାକୁ ଯାଉଛି ।
କେବଳ ବିଜେଡି ନୁହେଁ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଚାଷୀଙ୍କ ଭୋଟ ବ୍ୟାଙ୍କ ହାତେଇବାକୁ ସ୍ୱପ୍ନ ଦେଖାଇବା ଆରମ୍ଭ କରିଛନ୍ତି । ସରକାରକୁ ଆସିଲେ ବିଜେପି କୃଷି ଋଣ ଛାଡ କରିବାକୁ ଘୋଷଣା କରିଥିବା ବେଳେ କଂଗ୍ରେସ ଚାଷୀ ଭାଇ ମାନଙ୍କୁ ଜମି ଦେବାକୁ ସ୍ୱପ୍ନ ଦେଖାଇଛି । ସବୁଠୁ ବଡ କଥା ହେଉଛି ଗୋଟିଏ ପଟେ କେନ୍ଦ୍ର ବିଜେପି କୃଷି ଋଣ ଛାଡ ସପକ୍ଷରେ ନଥିବା ବେଳେ ରାଜ୍ୟ ବିଜେପି କୃଷି ଋଣ ଛାଡ କରିବାକୁ ଘୋଷଣା କରୁଛି । ତେଣୁ ଏଭଳି ସ୍ଥିତିରେ ଚାଷୀ କିଭଳି ବିଜେପିକୁ ଭରସା କରିବେ ତାହା ସବୁଠୁ ବଡ ପ୍ରଶ୍ନବାଚୀ । ଅନ୍ୟପଟେ କଂଗ୍ରେସ ୩ଟି ରାଜ୍ୟରେ ସରକାରକୁ ଆସିବା ପରେ କୃଷି ଋଣ ଛାଡ କରି ମାଷ୍ଟରଷ୍ଟ୍ରୋକ ମାରିବା ସହ କିଛି ମାତ୍ରାରେ ଚାଷୀଙ୍କ ଭରସା ଜିଣିବାରେ ସକ୍ଷମ ହୋଇଛି । ଆଉ ଏସବୁ ଭିତରେ ନବୀନ ସ୍ୱତନ୍ତ୍ର କାଳିଆ ଯୋଜନାର ଘୋଷଣା କରି କେବଳ କୃଷି ଋଣ ଛାଡ ନୁହେଁ ବରଂ ରାଜ୍ୟର ସମସ୍ତ ଗରିବ ଚାଷୀଙ୍କୁ ସହାୟତାର ହାତ ବଢାଇଛନ୍ତି । ଆଉ ଏଭଳି ଘୋଷଣା ପରେ ଆଗାମୀ ନିର୍ବାଚନରେ ଚାଷୀକୂଳ କାହା ଉପରେ ଭରସା କରିବେ ଓ ଚାଷୀଙ୍କ ବିଶ୍ୱାସ ଜିତି କିଏ ସରକାର ଗଢିବ ତାହା ଦେଖିବା ବାକି ରହିଲା ।