ରାଜଧାନୀରେ ଅନଶନରେ ଅନ୍ନଦାତା ! ଆରପାର ଲଢେଇ ପାଇଁ ‘ସତ୍ୟାଗ୍ରହ’

27

କନକ ବ୍ୟୁରୋ: ଚାଷୀ ଅନେକ ଦାବି ଗୋଟିଏ । ମହାରାଷ୍ଟ୍ରରୁ ଓଡିଶା ସବୁଠି ଆନ୍ଦୋଳନକୁ ଓହ୍ଲାଇଥିବା ଚାଷୀ ଲଢୁଛନ୍ତି ନିଜ ଅଧିକାରର ଲଢେଇ । କୃଷିଋଣ ଛାଡ, ଉତ୍ପାଦର ଉଚିତ ମୂଲ୍ୟ ଓ ସୁରକ୍ଷା ପାଇଁ ସର୍ବନିମ୍ନ ପେନସନ ଭଳି ମୌଳିକ ଦାବିରେ ଓହ୍ଲାଇ ଆସୁଛନ୍ତି ରାଜରାସ୍ତାକୁ । ମହାରାଷ୍ଟ୍ରରେ ଏକ ସମ୍ବେଦନଶୀଳ ସରକାରର ପରିଚୟ ଦେଇ, ଦାବି ପୂରଣ ନେଇ ଚାଷୀକୂଳଙ୍କୁ ଆସ୍ୱାସନା ଦେଇଛନ୍ତି ଫଡନଭିସ ସରକାର । ଆଉ ଭୁବନେଶ୍ୱରରେ ହକ ଦାବି କରି ଅନଶନ ଓ ସତ୍ୟାଗ୍ରହ ଚଳାଇଥିବା ଚାଷୀଙ୍କ ପ୍ରତି ନବୀନ ସରକାରଙ୍କ ଆଭିମୁଖ୍ୟକୁ ରହିଛି ଅପେକ୍ଷା ।

ରାଜ୍ୟର ପ୍ରମୁଖ ସହରମାନଙ୍କରେ ପ୍ରତିବାଦର ସ୍ୱର ଉଠାଇବା ପରେ ନିର୍ଣ୍ଣାୟକ ଲଢେଇ ପାଇଁ ରାଜଧାନୀ ଭୁବନେଶ୍ୱରରେ ହଜାରହଜାର ଚାଷୀଙ୍କ ରଣହୁଙ୍କାର । ଦାବି ପୂରଣ ପାଇଁ ଅନଶନ ଓ ସତ୍ୟାଗ୍ରହ । ସରକାରଙ୍କଠାରୁ ନ୍ଖକ୍ସ ହକ ଦାବି କରି ସ୍ୱେଚ୍ଛାକୃତ ଭାବେ ଏକାଠି ହୋଇଛନ୍ତି ହଜାର ହଜାର ଚାଷୀ । ସାରା ଦେଶକୁ ଅନ୍ନ ଯୋଗାଉଥିବା ଚାଷୀଙ୍କ ଏହି ମେଳି ସେମାନଙ୍କ ଦୁର୍ଦ୍ଦଶାକୁ ବୟାନ କରୁଥିବାବେଳେ ସରକାରଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରିଛି ।

ତେବେ ଗୋଟିଏ ପଟେ ଓଡିଶାରେ ଚାଷୀଙ୍କ ମେଳି ଆଉ ଅନ୍ୟପଟେ ମହାରାଷ୍ଟ୍ରରେ ଚାଷୀଙ୍କ ରାଲି । ଫଡନାଭିସ ସରକାରଙ୍କଠୁ ଆଶ୍ୱାସନା ପରେ ମହାରଷ୍ଟ୍ରରେ ଚାଷୀ ଆନ୍ଦୋଳନରୁ ଓହରିଛନ୍ତି ସତ ହେଲେ କଥା ହେଉଛି ଚାଷୀ ଅନେକ କିନ୍ତୁ ଦାବି ଗୋଟିଏ । ମହାରାଷ୍ଟ୍ରରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଛି ‘ଅଲ ଇଣ୍ଡିଆ କିଷାନ ସଭା’ ଯାହା ସିପିଏମର ଅର୍ଥାତ ଏକ ବାମପନ୍ଥୀ ରାଜନୈତିକ ଦଳର ଚାଷୀ ସାମୁଖ୍ୟ । ହେଲେ ଓଡିଶାରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଛି ନବ ନିର୍ମାଣ କୃଷକ ସଂଗଠନ ଏବଂ ଏଠାରେ ସ୍ୱେଚ୍ଛାକୃତ ଭାବେ ହଜାର ହଜାର ଚାଷୀ ହକର ଲଢେଇରେ ସାମିଲ ହେଉଛନ୍ତି । ମହାରାଷ୍ଟ୍ରରେ ଚାଷୀଙ୍କ ଋଣଛାଡ ଘୋଷଣା ହୋଇଛି କିନ୍ତୁ କାର୍ଯ୍ୟକାରୀ ହେଉନାହିଁ ତାସହ ବିଦ୍ୟୁତ ଶୁଳ୍କ ସଂପୂର୍ଣ୍ଣ ଛାଡ କରିବାକୁ ବି ଦାବି କରୁଛନ୍ତି ଚାଷୀ ।

ଏପଟେ ଓଡିଶାରେ ମଧ୍ୟ ଫସଲହାନୀ ଯୋଗୁଁ ଚାଷୀ ମୃତ୍ୟୁକୁ ସରକାର ସ୍ୱୀକାର କରିବା ସହ କୃଷିଋଣ ଛାଡ କରିବାକୁ ଦାବି କରୁଛି ଚାଷୀକୂଳ । ମହାରାଷ୍ଟ୍ରରେ ଚାଷୀମାନଙ୍କ ସୁରକ୍ଷା ପାଇଁ ସର୍ବନିମ୍ନ ପେନସନ ଦାବି କରୁଛି ଆନ୍ଦୋଳନକୁ ଓହ୍ଲାଇଥିଲା ସଂଗଠନ । ଏପଟେ ୨୦ବର୍ଷରୁ ଅଧିକ ଚାଷୀଙ୍କୁ ମାସକୁ ୫ହଜାର ଟଙ୍କାର ପେନସନ ଦାବି କରୁଛି ନବ ନିର୍ମାଣ କୃଷକ ସଂଗଠନ । ଏଥିପାଇଁ ବଜେଟରେ ୨୧ହଜାର ୬ଶହ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରଖିଛି । ଆଉ ସବୁଠାରୁ ବଡକଥା ହେଉଛି କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି କରୁଛନ୍ତି ମହାରାଷ୍ଟ୍ର ଚାଷୀ । ଓଡିଶାରେ ମଧ୍ୟ ଏମଏସପି ଅର୍ଥାତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କା କରିବାକୁ ଦାବି ଉଠୁଛି ।