୨ବର୍ଷ ପରେ ବନ୍ଦ କୋଠରୀରେ ଥିବା ପରିବାରକୁ ଉଦ୍ଧାର କଲା ମୟୂରଭଞ୍ଜ ପ୍ରଶାସନ !

30

କନକ ବ୍ୟୁରୋ : ଚାଳ ଛପର ଭଂଗା ଘର । ଆଉ ଏହି ଘର ଭିତରେ ବନ୍ଦ ଥିଲା ୪ଟି ଜୀବନ । ବନ୍ଦ କୋଠରୀରେ ବର୍ଷ ବର୍ଷ ଧରି ମୌନ ରହିଥିଲେ ପରିବାର । ଦିନ ରାତି ବନ୍ଦ ରହୁଥିଲା ଘରର ତାଟି କବାଟ । ନିଜକୁ ନିଜେ ନିର୍ବାସିତ କରିଦେଇଥିଲେ ସମସ୍ତେ । ପାଖ ପଡୋଶୀ କାହାସହ କଥା ବି ହେଉନଥିଲେ । ମାଆ ସୁବର୍ଣ୍ଣ ରାମ, ଝିଅ ମିଲୁ, ପୁଅ ମଂଟୁ ଓ ୧୨ ବର୍ଷର ନାତୁଣୀ ଦେବାନୀ । ୨ ବର୍ଷ ପରେ ଘର କବାଟ ଭାଂଗି ଏହି ପରିବାରକୁ ଉଦ୍ଧାର କରିଛି ପ୍ରଶାସନ । ବର୍ଷ ବର୍ଷ ଧରି ବନ୍ଦ ଘରେ ଏକାକୀ ରହୁଥିବାରୁ ସମସ୍ତେ ଏବେ ଅସୁସ୍ଥ । କାହାର ବି ମାନସିକ ଅବସ୍ଥା ଠିକ୍ ନାହିଁ ।

ମୟୁରଭଂଜ ଜିଲ୍ଲା ରାସଗୋବିନ୍ଦ ପୁର ବ୍ଲକର ବର୍ତନା ଗାଁ । ଲୋକଙ୍କ କହିବା କଥା, ଗାଁରେ କଟିରାମଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର କାହାର ଦେଖାନଥିଲା । ୨ ବର୍ଷ ହେବ ଜମିବାଡି ପଡିଆ ପଡିଛି । ପରିବାର ଭତ୍ତା ବି ନେଉନାହାଁନ୍ତି । ପରିବାରର ୪ ଜଣ ପ୍ରାଣୀ କେମିତି ଚଳୁଛନ୍ତି କାହା ପାଖରେ ଖବର ନାହିଁ । ଏପରିକି କିଛି ଦିନ ତଳେ ଚିଟଫଣ୍ଡରେ ସେମାନଙ୍କ ଟଙ୍କା ବୁଡିଯାଇଥିଲା । ଫଳରେ ଚିନ୍ତାରେ କେହି ବାହାରକୁ ବାହାରୁନଥିବା ସନ୍ଦେହ କରାଯାଉଛି । ଦାରିଦ୍ର୍ୟ ନା ଅନ୍ଧବିଶ୍ୱାସ ? କାହିଁକି ୨ ବର୍ଷ ଧରି ବନ୍ଦ କୋଠରୀରେ ଥିଲେ ପରିବାର? ବର୍ତନ ଗାଁର ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଆଉ ଏବେ ବି ଅସ୍ପଷ୍ଟ ରହିଛି ମୌନ ପଛର କାରଣ ।