ନିର୍ବାଚନ ମଇଦାନରେ ହାରିଲେଣି ୧୬ ଥର ! ଏଥର ପୁଣି ନିର୍ବାଚନ ଲଢିବେ ଫକ୍କଡ୍ ବାବା ।

234

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ବଢି ବଢି ଚାଲିଛି । ବିଶେଷ କରି ଜନମତ ହାସଲ କରିବା ପାଇଁ ଗୋଟିଚାଳନା କରୁଛନ୍ତି ସମସ୍ତ ରାଜନୈତିକ ଦଳ । ଆଉ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏଭଳି ଜଣେ ନେତାଙ୍କ ଚେହେରା, ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।

୧୬ ଥର ନିର୍ବାଚନ ପରାଜୟ ବରଣ କରିଥିବା ମଥୁରାର ଫକ୍କଡ୍ ବାବା ରାମାୟଣୀ ପୁଣି ଥରେ ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି । ୧୯୭୬ ମସିହାରୁ କ୍ରମାଗତଭାବେ ମଥୁରାର ଫକ୍କଡ୍ ବାବା ରାମାୟଣୀ ୧୭ ଥର ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇବେ । ତାଙ୍କ ଗୁରୁ ତାଙ୍କୁ ୨୦ଥର ନିର୍ବାଚନ ଲଢିବାକୁ କହିଥିଲେ ଓ ଶେଷ ଥର ସେ ବିଜୟୀ ହେବେ ବୋଲି ଗତ ୪୩ ବର୍ଷ ଧରି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ବୋଲି କହିଛନ୍ତି ଫକ୍କଡ ବାବା ।

ପ୍ରତିଥର ଭକ୍ତ ଓ ସମର୍ଥକମାନେ ତାଙ୍କୁ ନିର୍ବାଚନ ଲଢିବାକୁ ଆର୍ଥିକ ସହାୟତା ଦେଇଛନ୍ତି । ଏଥର ନିର୍ବାଚନ ଲଢିବା ପୂର୍ବରୁ ତାଙ୍କୁ ଭକ୍ତମାନେ ୨୫ ହଜାର ଟଙ୍କା ଦେଇ ସାରିଲେଣି ବୋଲି ସେ କହିଛନ୍ତି । ଏଥର ସେ ବିଜୟୀ ହେବେ ନାହିଁ ବୋଲି ଜାଣି ମଧ୍ୟ ପ୍ରାର୍ଥୀ ହେବେ ବୋଲି ଫକ୍କଡ୍ ବାବା କହିଛନ୍ତି । ଫକ୍କଡ୍ ବାବାଙ୍କ ଭଳି ଜୋଗେନ୍ଦର ସିଂହ ଓରଫ ଧରତୀ ଫକ୍କଡ୍ ମଧ୍ୟ ୧୯୯୨ରୁ ୧୯୯୮ ଯାଏଁ ୨୫ ଥର ନିର୍ବାଚନ ଲଢି ପରାଜିତ ହୋଇଥିଲେ ।