କନକ ବ୍ୟୁରୋ : କିଛିଦିନ ତଳେ ବଜାରରେ ନକଲି ସମ୍ବଲପୁରୀ ଶାଢ଼ି ହଇଚଇ ସୃଷ୍ଟି କରିଥିଲା। ସମ୍ବଲପୁରୀ ଭଳି ଦିଶୁଥିବା ଏହି ଛାପା ଶାଢ଼ି ଖୁବ୍ ଶସ୍ତାରେ ମିଳୁଥିବା ଯୋଗୁଁ ପାରମ୍ପରିକ ବୁଣାକାରଙ୍କ ବେଉସା ପ୍ରତି ବିପଦ ଦେଖା ଦେଇଥିଲା। ଏବେ ପଶ୍ଚିମ ଓଡ଼ିଶାର ଅନନ୍ୟ ବିଭବ ସୋନପୁର ପାଟଶାଢ଼ି ବି ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଅର୍ଥ ଲୋଭରେ ପରମ୍ପରାକୁ ଧୋକା ଦେଇ କିଛି ବ୍ୟବସାୟୀ ଓ ବୁଣାକାର ଏହି ପାଟଶାଢ଼ିରେ ପଲିଷ୍ଟର ସୂତା ବ୍ୟବହାର କରୁଥିବାର ଚାଞ୍ଚଲ୍ୟକର ଖବର ମିଳିଛି। ବଜାରରେ ଏହି ଶାଢ଼ି ଅପେକ୍ଷାକୃତ କମ୍ ଦାମରେ ମିଳୁଥିବାରୁ ଗୁଣବତ୍ତା ସଂପର୍କରେ ଜାଣିପାରୁନଥିବା ଗ୍ରାହକମାନେ କମ୍ ଦାମର ଶାଢ଼ିକୁ ହିଁ ପସନ୍ଦ କରୁଛନ୍ତି। ତେଣୁ ପାରମ୍ପରିକ ସୋନପୁର ପାଟବସ୍ତ୍ର ଶିଳ୍ପ ସଂକଟରେ ପଡ଼ି ଯାଇଛି।
/kanak/media/post_attachments/wp-content/uploads/2019/04/916rKaxWyL._UX385_.jpg)
ମିଳିଥିବା ସୂଚନା ଅନୁସାରେ, ସୋନପୁର ଜିଲ୍ଲାର ୯ହଜାର ବୁଣାକାର ପରିବାର ରହିଛନ୍ତି। ସେହିପରି ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ କେତୋଟି ଗାଁରେ ମେହେର ବୁଣାକାର ପରିବାର ଅଛନ୍ତି। ଏମାନେ ପାଟଶାଢ଼ି ପ୍ରସ୍ତୁତ କରି ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଏବେ କିଛି ଲାଭଖୋର ବ୍ୟବସାୟୀ ଓ ସାହୁକାର (ବୁଣାକାରଙ୍କୁ ସୂତା ଓ ମଜୁରି ଦେଇ ସେମାନଙ୍କଠାରୁ ପ୍ରସ୍ତୁତ ଲୁଗା ନେଉଥିବା) ନକଲି ପାଟଶାଢ଼ି ବେପାରରେ ଲାଗିଛନ୍ତି।