ବାହା ହେବାକୁ ଆସିଥିଲେ, ବେଦୀ ଉପରୁ ଥାନାକୁ ଗଲେ… ଥରେ ବାହା ହୋଇ ଅନ୍ୟ ଜଣଙ୍କୁ ବାହା ହେବାକୁ ଆସିଥିବା ବେଳେ ଠକ ବରକୁ ଟେକିନେଲା ପୋଲିସ ।

4,481

କନକ ବ୍ୟୁରୋ: ବରଗଲା ପୋଲିସ ଷ୍ଟେସନ । ବାହାବେଦୀରୁ ଥାନାକୁ ଗଲା ବର । ବାହାଘର ପୂର୍ବରୁ ଠକ ବରକୁ ଉଠାଇ ନେଇ ଶିଶୁପାଳ ସଜାଇଲା ପୋଲିସ । ଆଉ ବାହାହେବାକୁ ଆସିଥିବା ବର ଥାନାକୁ ଗଲା । କଟକ ତୁଳସୀପୁର ଅଞ୍ଚଳରୁ ଆସିଛି ଏଭଳି ଖବର । ପ୍ରିୟରଞ୍ଜନ ପତି ନାମକ ଜଣେ ଯୁବକ ପୂର୍ବରୁ ଜଣଙ୍କୁ କୋର୍ଟରେ ବିବାହ କରିଥିଲେ । ଆଉ ଆଜି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବେଦୀରେ ବସିଥିବାବେଳେ ତାଙ୍କୁ ପୋଲିସ ଉଠାଇ ନେଇଛି ।

ତେବେ ପ୍ରିୟରଞ୍ଜନଙ୍କ ବିବାହ କଥା ଶୁଣି ପ୍ରଥମ ପତ୍ନୀ ବିରୋଧ କରିଥିଲେ । ଆଉ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ପ୍ରିୟରଞ୍ଜନଙ୍କୁ ପୋଲିସ ଗିରଫ କରିଛି । ଆଉ ବାହାବେଦୀରୁ ବରକୁ ଉଠାଇ ନେଇଛି ।

ପ୍ରଥମ ପତ୍ନୀ କହିବା ଅନୁସାରେ, ଆଇଟିଆଇ ପଢିବା ସମୟରେ ତାଙ୍କ ସହ ପ୍ରଥମେ ଦେଖା ହୋଇଥିଲା । ଆଉ ପରେ ପ୍ରିୟ ରଞ୍ଜନ ତାଙ୍କୁ ଭଲ ପାଇବାକୁ ବାଧ୍ୟ କରିଥିଲେ । ଯଦି ତାଙ୍କୁ ଭଲ ନପାଆନ୍ତି ତେବେ ସେ ଆତ୍ମହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ । ପରେ ୨୦୧୭ ମସିହାରେ ତାଙ୍କୁ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ ପ୍ରିୟରଞ୍ଜନ । ହେଲେ, ଘରକୁ ନେବା କଥା କହିଲେ, ଆଜି କାଲି କହି ବାଆଁରେଇ ଆସୁଥିଲେ ।

ଏବେ ତାଙ୍କର ଦ୍ୱିତୀୟ ବିବାହ ହେଉଥିବା ଖବର ପାଇ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଯେଉଁ ଝିଅର ବିବାହ ଆଜି ପ୍ରିୟରଞ୍ଜନଙ୍କ ସହ ହେବାର ଥିଲା ତାଙ୍କ ପରିବାର ଏହି ଖବର ପାଇବା ପରେ ସେମାନେ ମାନସିକ ଭାବେ ଭାଙ୍ଗି ପଡିଛନ୍ତି । ଏବଂ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠା ପାଇଁ ଦାବି କରିଛନ୍ତି ।