ସାବଧାନ ! ଗ୍ୟାସ ଏଜେନ୍ସି ନାଁରେ ହେଉଥିଲା ବଡ ଠକେଇ, କେନ୍ଦ୍ରମନ୍ତ୍ରୀଙ୍କ ଲେଟର୍ ପ୍ୟାଡ୍ ଦେଖାଇ ୫ ଲକ୍ଷ ଚଳୁ କରିନେଲେ ଦୁର୍ବୃତ୍ତ

୬ ଗିରଫ, ପ୍ୟାଡ୍ ଜବତ

81

କନକ ବ୍ୟୁରୋ: ଗ୍ୟାସ ଏଜେନ୍ସି କରାଇ ଦେବା ନେଇ ଆପଣଙ୍କ ନିକଟକୁ କୌଣସି ଫୋନ କଲ୍ ଆସୁଛି କି? ତା ହେଲେ ସତର୍କ ହୋଇଯାଆନ୍ତୁ । ଆପଣ ଠକାମୀର ଶିକାର ହୋଇପାରନ୍ତି । ଏଭଳି କହିବାକୁ ଆମେ ବାଧ୍ୟ ହେଉଛୁ, କାରଣ ବ୍ରହ୍ମପୁରରୁ ଧରାପଡିଛନ୍ତି ଏମିତି ଠକାମୀ କରୁଥିବା ଏକ ବଡ ରାକେଟ । ଗ୍ୟାସ ଏଜେନ୍ସି କରାଇ ଦେବାପାଇଁ ଏକ ବଡ଼ଧରଣର ଚଞ୍ଚକତା ଧରାପଡ଼ିଛି। କେନ୍ଦ୍ରମନ୍ତ୍ରୀଙ୍କ ଦସ୍ତଖତ ସମ୍ବଳିତ ପ୍ୟାଡ୍ ଦେଖାଇ ୪ ଲକ୍ଷ ୮୦ ହଜାର ଟଙ୍କା ଠକାଯାଇଛି। ଏ ସମ୍ପର୍କରେ ଅଭିଯୋଗ ପରେ ପୁଲିସ୍ ପ୍ୟାଡ୍ ଜବତ କରିବା ସହିତ ୬ ଜଣଙ୍କୁ ଗିରଫ କରିଛି।

ଗିରଫ ବ୍ୟକ୍ତି ମାନେ ହେଲେ ବ୍ରହ୍ମପୁର ଶାସ୍ତ୍ରୀନଗରର ମନୋଜ କୁମାର ଶତପଥୀ, ଆସିକାର ବସନ୍ତ କୁମାର ସାହୁ, ବ୍ରହ୍ମପୁର ଆଙ୍କୋଲିର ବିଦ୍ୟାଧର ପଣ୍ଡା, ବ୍ରହ୍ମପୁର ଷ୍ଟେସନ ରୋଡର କୃଷ୍ଣ ବିଶ୍ବାଳ, ରମେଶ ପାତ୍ର ଓ କଟକ ଜିଲ୍ଲା ତୁଳସୀପୁରର ଜିବିତେଶ ମହାନ୍ତି। ଏମାନେ ସମସ୍ତେ ଅଟୋ ଡ୍ରାଇଭର, ରାଜମିସ୍ତ୍ରୀ ଓ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି। ସେମାନଙ୍କଠୁ ଏକ କ୍ବାଲିସ ଗାଡ଼ି (ଓଆର-୦୨ଓଏ-୧୧୧୧) ଓ ନକଲି ଲେଟର ପ୍ୟାଡ୍ ଜବତ ହୋଇଛି। ଏନେଇ ହିଞ୍ଜିଳିକାଟୁ ଥାନାରେ କେସ ନମ୍ବର ୨୮ ଓ ୨୯ ଅନୁସାରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ଏହା ପଛରେ ଏକ ହାଇପ୍ରୋଫାଇଲ୍ ରୢାକେଟ୍ କାମ କରୁଛି। ଯାହାର ମାଷ୍ଟରମାଇଣ୍ଡ ଥାନା ଇଲାକାର ବୋଲି ଅନୁମାନ କରାଯାଉଛି।

ବ୍ରହ୍ମପୁର ଶାସ୍ତ୍ରୀନଗର ଅଞ୍ଚଳର ମନୋଜ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଅଭିଯୋଗକାରୀ ହିଞ୍ଜିଳିକାଟୁର ଅଜିତ କୁମାର ସାବତଙ୍କ ସହ ସାକ୍ଷାତ କରିଥିଲେ। ୱେଲଫେୟାର୍ ଯୋଜନାରେ ଇଣ୍ଡିଆନ୍ ଅଏଲ୍ କମ୍ପାନିରେ ଗ୍ୟାସ ଏଜେନ୍ସି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଫର୍ମ ପୂରଣ ସହ ପ୍ରଥମ କିସ୍ତିରେ ୨୦ହଜାର ଟଙ୍କା ନେଇଥିଲେ। ମାସେ ପରେ ପୁଣି ମନୋଜ ଦୁଇ ଜଣ ଅଜଣା ଲୋକଙ୍କୁ ଆଣି ସେମାନଙ୍କୁ ଇଣ୍ଡିଆନ୍ ଅଏଲ୍ କଂପାନିର ରିଜିଅନାଲ ମ୍ୟାନେଜର ଓ ଏରିଆ ମ୍ୟାନେଜ୍ ବୋଲି ଅଜିତଙ୍କୁ ପରିଚୟ କରାଇ ଥିଲେ।

ଅଜିତଙ୍କ ମନରେ ଆସ୍ଥାକୁ ଦୃଢ କରିବାକୁ ଯାଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଲେଟର ପ୍ୟାଡ୍ ଓ ତାଙ୍କ ଦସ୍ତଖତ ସମ୍ବଳିତ କିଛି କାଗଜପତ୍ର ସହ ଇଣ୍ଡିଆନ୍ ଅଏଲ୍ କଂପାନିର ଲେଟର ପ୍ୟାଡ୍ ଦେଖାଇ ଥିଲେ। ଏଭଳି ଭାବେ ବିଭିନ୍ନ ସମୟରେ ଅଜିତଙ୍କଠୁ ସେମାନେ ୩ଲକ୍ଷ ୮୦ହଜାର ଟଙ୍କା ନେଇ ଥିଲେ। ସେହିପରି ସାରୁ ଗ୍ରାମର ଚନ୍ଦ୍ରଶେଖର ସାବତଙ୍କୁ ବି ଗ୍ୟାସ ଏଜେନ୍ସି କରାଇ ଦେବେ ବୋଲି କହି ୧ଲକ୍ଷ ଟଙ୍କା ନେଇ ଥିଲେ। ଧୀରେ ଧୀରେ ଏହି ଟିମରେ ୬ଜଣ ସାମିଲ ହୋଇ ନିଜକୁ ଇଣ୍ଡିଆନ ଅଏଲ୍ କଂପାନିର କର୍ପୋରେଟର, ରିଜିଅନାଲ ମ୍ୟାନେଜର, ଏରିଆ ମ୍ୟାନେଜର, ପ୍ଲାନିଂ ଅଫିସର ଆଦି ପରିଚୟ ଦେଇଥିଲେ।

ଗତ ୧୪ ତାରିଖରେ ରେଜିଷ୍ଟ୍ରି ଡାକ ଯୋଗେ ଅଜିତଙ୍କ ପାଖକୁ ଏକ ଚିଠି ଆସିଥିଲା। ଏଥିରେ ଇଣ୍ଡିଆନ ଅଏଲ୍ କଂପାନିର ଆପ୍ରୁଭାଲ ଲେଟର୍ ରହିଥିବା ବେଳେ ଏହାକୁ ଧରି ଅଜିତ ଭୁବନେଶ୍ବରସ୍ଥିତ କାର‌୍ୟ୍ୟାଳୟକୁ ଯାଇଥିଲେ। ସବୁ ବୁଝାସୁଝା କରିବା ପରେ ସମସ୍ତ ବିଷୟ ଓ ତଥ୍ୟ ମିଥ୍ୟା ବୋଲି ଜାଣିବାକୁ ପାଇଥିଲେ। ଆଉ ଏକ ଚିଠିରେ ୨୫ ତାରିଖ ଦିନ ସ୍ଥାନ ନିରୁପଣ ହେବ ବୋଲି ଦର୍ଶାଯାଇଥିଲା। ଫଳରେ ଗତ ୨୫ ତାରିଖରେ ଉକ୍ତ ୬ଜଣ ହିଞ୍ଜିଳିକାଟୁରେ ପହଞ୍ଚିବା କ୍ଷଣି ଅଜିତ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ କାବୁ କରି ଥାନାରେ ଜିମା ଦେଇ ଥିଲେ। ପୁଲିସ ୬ଜଣକୁ କୋର୍ଟଚାଲାଣ କରିଥିବା ବେଳେ ଏହି ରାକେଟ ପଛର ମାଷ୍ଟରମାଇଣ୍ଡକୁ ଧରିବାକୁ ଅଭିଯାନ ଆରମ୍ଭ କରିଛି।