କଟକ ବଡ ମେଡିକାଲରେ ମୃତ ଦେହରୁ ଆଖି ତାଡି ନେବା ଘଟଣା: ଏଲଭି ପ୍ରସାଦ ଆଇ ହସ୍ପିଟାଲ ନାଁରେ ଭଦ୍ରକ ଟାଉନ ଥାନାରେ ମାମଲା ରୁଜୁ

ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଆଇଜି; ପରିବାରର ଅଜାଣତରେ ଶବରୁ ଆଖି ତାଡି ନେଇଛି ଚକ୍ଷୁ ହସ୍ପିଟାଲ

634

କନକ ବ୍ୟୁରୋ: ପରିବାର ଲୋକଙ୍କ ଅଜାଣତରେ ଶବରୁ ଆଖି ତାଡିନେଲେ । ବ୍ୟବଚ୍ଛେଦ ପରେ କିଛି ନକହି ସରଳ ଆଦିବାସୀ ଲୋକଙ୍କୁ ଧରାଇଦେଲେ କାଗଜପତ୍ର ସହ ପ୍ରମାଣପତ୍ର । ଘରେ ପହଁଚି ଦେଖିବା ବେଳକୁ ମୃତବ୍ୟକ୍ତିଙ୍କ ଶରୀରରେ ନଥିଲା ଦୁଇଟି ଯାକ ଆଖି । ଘଟଣାକୁ ଦେଖି ଚକିତ ହୋଇଯାଇଛନ୍ତି ମୃତକଙ୍କ ପରିବାର । ଏସପିଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଛନ୍ତି ଭଦ୍ରକ ଜିଲ୍ଲାର ବାଗୁରାଇ ଆଦିବାସୀ କଲୋନୀ ବୀର ଗାଗରାଇଙ୍କ ପରିବାର । ଏହି ଘଟଣାରେ ଆଇଜି ଦୀପ୍ତେଶ ପଟ୍ଟନାୟକ ଭଦ୍ରକ ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଲଭି ପ୍ରସାଦ ଚକ୍ଷୁ ଡାକ୍ତରଖାନା ନାଁରେ ଭଦ୍ରକ ଟାଉନ ଥାନାରେ ମାମଲା ରୁଜ୍ଜୁ ହୋଇଛି ।

ଭଦ୍ରକ ବାଗୁରାଇ ଆଦିବାସୀ କଲୋନୀର ବୀର ଗାଗରାଇ ଗତ ୭ ତାରିଖରେ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ତାଙ୍କୁ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଥିବା ବେଳେ ଗତ ୧୧ ତାରିଖରେ ମୃତ୍ୟୁ ହୋଇଯାଇଥିଲା । ଏସସିବିରେ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିବା ସମୟରେ ଡାକ୍ତର କିଛି କାଗଜପତ୍ର ସହ ପ୍ରମାଣପତ୍ର ଦେଇଥିଲେ । ଆଦିବାସୀ ଲୋକ ହୋଇଥିବାରୁ ଏହି ପ୍ରମାଣପତ୍ର କଣ ଜାଣିପାରିନଥିଲେ ।

ଘରେ ଆସି ଦେଖିବା ପରେ ଜଣାପଡିଥିଲା ଏହା ଚକ୍ଷୁଦାନର ପ୍ରମାଣପତ୍ର । ପରିବାର ଲୋକଙ୍କ ଅଜାଣତରେ କାହା ଅନୁମତିରେ କିପରି ବୀର ଗାଗରାଇଙ୍କ ଚକ୍ଷୁଦାନ କରାଗଲା, ମୃତ ବୀର ଗାଗରାଇଙ୍କ ଠାରୁ କିଏ ଆଖି କାଢିଲା ତାକୁ ନେଇ ଉଠିଛି ପ୍ରଶ୍ନ । ନ୍ୟାୟ ପାଇଁ ଗୁହାରୀ କରୁଛନ୍ତି ମୃତ ବୀର ଗାଗରାଇଙ୍କ ପରିବାର ।