କୋରାପୁଟର ଏକ ଜଙ୍ଗଲରୁ କମ୍ବିଂ ବେଳେ ମିଳିଲା ବିସ୍ପୋରକ ସାମଗ୍ରୀ ! ସେପଟେ, ଝାରସୁଗୁଡା ରୋଡ ଷ୍ଟେସନରେ ଧାନବାଦ ଏକ୍ସପ୍ରେସରୁ ବିସ୍ଫୋରକ ଜବତ

25

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ପୋଡାପଦର ପଂଚାୟତ ସାମ୍ନା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ବିଏସଏଫ । ଏହି ଜଙ୍ଗଲରେ ମାଓବାଦୀମାନେ ମାଓ ସାମଗ୍ରୀ ଲୁଚାଇଥିବା ଖବର ମିଳିବା ପରେ କମ୍ବିଂ ଅପରେସନ କରାଯାଇଥିଲା । ଅପରେସନ ବେଳେ ବନ୍ଧୁକ ସହ ବିସ୍ଫୋରକ ମିଳିଛି । ଏହାକୁ ଲୁଚାଇ ରଖାଯାଇଥିବାବେଳେ ଯବାନମାନେ ଜବତ କରି କ୍ୟାମ୍ପକୁ ଆଣିଥିଲେ । ଘଟଣା ପରେ ଅନ୍ୟ ଅଂଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଏହି ବିସ୍ଫୋରକ ଲୁଚାଇ ମାଓବାଦୀମାନେ ବଡ ଆକ୍ରମଣ କରୁଥିବା ପୋଲିସ ଯୋଜନା କରୁଥିବା ଅନୁମାନ କରାଯାଉଛି ।

ସେପଟେ, ଆଜି ସକାଳେ ଝାରସୁଗୁଡ଼ା ଷ୍ଟେସନରେ ଜିଆରପି ପକ୍ଷରୁ ଏଲେପି- ଧାନବାଦ ଏକ୍ସପ୍ରେସରେ ଚଢ଼ାଉ କରାଯାଇ ୭ଟି ବୋମା ଜବତ କରାଯାଇଛି। ଏହି ଏକ୍ସପ୍ରେସ ଟ୍ରେନ୍‌ରେ ବିସ୍ଫୋରକ ପରିବହନ ହେଉଥିବା ସୂଚନା ପାଇ ଜିଆରପି ପକ୍ଷରୁ ଝାରସୁଗୁଡ଼ା ଷ୍ଟେସନରେ ଟ୍ରେନ୍‌ ଅଟକିବା ପରେ କଡ଼ାକଡ଼ି ଭାବେ ତନଖି କରାଯାଇଥିଲା। ତନଖି ବେଳେ ୭ଟି ବୋମା ମିଳିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ୩ଟା ୪୫ ମିନିଟ ସମୟରେ ଝାରସୁଗୁଡ଼ା ଷ୍ଟେସନରେ ଏଲେପି- ଧାନବାଦ ଗାଡ଼ି ପହଞ୍ଚିବା ପରେ ଏସ-୩ ବଗିରେ ହଠାତ ପାଟିତୁଣ୍ଡ ଶୁଭିଥିଲା।

ଏହି ପାଟିତୁଣ୍ଡ ଶୁଣି ଡ୍ୟୁଟିରେ ଥିବା ଜିଆରପି ହାବିଲଦାର ଫିରୋଜ ଖାନ୍‌ ବଗିଭିତରକୁ ଯାଇ ୭୧ ନମକ୍ୱର ସିଠ୍‌ ତଳେ ଏକ ଚପଲ ଜଳୁଥିବା ଦେଖିଥିଲେ। ପରେ ସେ ପାଦରେ ଦଳ ସେହି ନିଆଁକୁ ଲିଭାଇ ଦେଇଥିଷଳ। ପରେ ସେଠାରେ ଏକ ବ୍ୟାଗ୍‌ରେ ରଖାଯାଇଥିବା କିଛି ସନ୍ଦେହଜନକ ସାମଗ୍ରୀକୁ ବାହାରକୁ ଆଣି ଫିଙ୍ଗି ଦେଇଥିଲେ। ତେବେ ଜଣାପଡ଼ିଥିଲା ଯେ ସେଥିରେ ବ୍ୟାଟେରି ଲାଗିଥିବା ବିସ୍ଫୋରକ ରହିଛି। ତେଣୁ ଏ ନେଇ ସଙ୍ଗେ ସଙ୍ଗେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ବମ୍‌ ସ୍କ୍ଵାଡ୍‌କୁ ଖବର ଦିଆଯାଇଛି। ସେମାନେ ଆସି ଏହାକୁ ପରୀକ୍ଷା କରିବା ପରେ ଏହାକୁ ଡିଫ୍ୟୁଜ୍‌ କରିବେ ବୋଲି ଜିଆରପିର ଜଣେ ଅଧିକାରୀ କହିଛନ୍ତି।