ସମ୍ବଲପୁର ଯୁଯୁମୁରାର ବିଶାଳପଡାରେ ଅଘଟଣ : ମାଛ ମାରିବା ପାଇଁ ବିସ୍ଫୋରଣ ବେଳେ ଚାଲିଗଲା ନବବିବାହିତଙ୍କ ଜୀବନ, ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

39

କନକ ବ୍ୟୁରୋ : ମାଛ ମାରିବା ପାଇଁ ବିସ୍ଫୋରଣ କଲାବେଳେ ଅଘଟଣ । ୯ ଦିନ ତଳେ ବାହା ହୋଇଥିବା ଯୁବକଙ୍କ ଚାଲିଗଲା ଜୀବନ । ସମ୍ବଲପୁର ଯୁଯୁମୁରା ବ୍ଲକର ଗିରିପାଲି ବିଶାଳପଡାରେ ଘଟିଛି ଏପରି ଅଘଟଣ । ମାଳତୀଯୋରରେ ମାଛ ମାରିବା ପାଇଁ ବିସ୍ଫୋରଣ ବେଳେ ନବବିବାହିତ ଉମେଶ ପ୍ରଧାନଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଏକ ପ୍ଲାଷ୍ଟିକ ବୋତଲରେ ବାଲି ଆଉ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରି ବୋତଲରେ ଜିଲାଟିନ ଓ ପିନ ଖଞ୍ଜିବା ପରେ କଏଲ ଲଗାଯାଇଥିଲା । ନଦୀକୂଳରେ ରହି କଏଲରେ ନିଆଁ ଲଗାଇଥିଲେ ଉମେଶ । ହେଲେ ନଦୀ ଭିତରକୁ ଫିଙ୍ଗିବା ପୂର୍ବରୁ କଏଲରେ ନିଆଁ ଧରିବା କ୍ଷଣି ବିସ୍ଫୋରଣ ହୋଇଥିଲା । ଆଉ କିଛି ଦୂରକୁ ଛିଟିକି ପଡିଥିବା ଉମେଶଙ୍କର ଅନ୍ତବୁଜୁଳା ବାହାରି ପଡିବା ସହ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ମାତ୍ର ୨୩ ଦିନ ତଳେ ଉମେଶଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଉମେଶଙ୍କ ମୃତ୍ୟୁ ଗାଁରେ ବିଶାଳପଡା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଆହତମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଶାସନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।