୬ ବର୍ଷରେ ଗାଁ ଲୋକଙ୍କ ଖର୍ଚ୍ଚ କ୍ଷମତା କମିଲା ୮ ଦଶମିକ ୮ ପ୍ରତିଶତ । ଖାଇବାରେ ଲୋକେ କରୁଛନ୍ତି ଅଧିକ ଖର୍ଚ୍ଚ କାଟ୍, ଚିନ୍ତା ବଢ଼ାଇଲା ଏନଏସଏସଓର ତଥ୍ୟ 

ଖାଇବା ପାଇଁ ଅଧିକ ଖର୍ଚ୍ଚ କରିପାରୁନାହାନ୍ତି ଗାଁ ଲୋକ

491
କନକ ବ୍ୟୁରୋ: ୬ ବର୍ଷରେ ଗାଁ ଲୋକଙ୍କ ଖର୍ଚ୍ଚ କ୍ଷମତା ୮.୮ ପ୍ରତିଶତ କମିଯାଇଛି । ଖାଇବା ପାଇଁ ଅଧିକ ଖର୍ଚ୍ଚ କରିପାରୁନାହାନ୍ତି ଗାଁ ଲୋକ । ଏପରି ଚିନ୍ତାଜନକ ତଥ୍ୟ ଦେଇଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ । ଗତ ୪୦ ବର୍ଷରେ ଏଭଳି ଅବସ୍ଥା ଦେଖାଯାଇନଥିଲା ବୋଲି କୁହାଯାଉଛି । ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବା ବେଳେ କେନ୍ଦ୍ର ସରକାର, ଏହା ଚୂଡ଼ାନ୍ତ ରିପୋର୍ଟ ନୁହେଁ ବୋଲି କହି ବିବାଦକୁ ଟାଳିବାକୁ ଉଦ୍ୟମ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ଜାତୀୟ ପରିସଂଖ୍ୟାନ ସର୍ବେକ୍ଷଣ ଅଫିସ୍ ବା ଏନଏସଏସଓର ଏପରି ତଥ୍ୟ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଗ୍ରାମାଞ୍ଚଳର ଜଣେ ଲୋକ ୨୦୧୧-୧୨ ମସିହାରେ ମାସକୁ ହାରାହାରି ୧,୫୦୧ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ୨୦୧୭-୧୮ରେ ଏହା ୧,୪୪୬ ଟଙ୍କାକୁ ଖସି ଯାଇଛି । ଅର୍ଥାତ୍ ଗାଁ ଲୋକଙ୍କ ଖର୍ଚ୍ଚ କ୍ଷମତା ହାରାହାରି ୮.୮ ପ୍ରତିଶତ କମିଯାଇଛି ।
ଉଦବେଗର କଥା ହେଉଛି ଗାଁ ଲୋକ ଖାଦ୍ୟ ଓ ପୁଷ୍ଟି ବାବଦ ଖର୍ଚ୍ଚକୁ ପ୍ରାୟ ୧୦ ପ୍ରତିଶତ କମାଇ ଦେଇଛନ୍ତି । ଅର୍ଥାତ ଗ୍ରାମାଂଚଳରେ ରୋଜଗାର କମୁଛି । ଖାଦ୍ୟ ଖର୍ଚ୍ଚ କମାଇ ଅନେକ ଲୋକ ଅପପୁଷ୍ଟିର ଶିକାର ହେବାକୁ ବାଧ୍ୟ ହେଉଛନ୍ତି । ସହରାଞ୍ଚଳରେ ମଧ୍ୟ ଖାଦ୍ୟ ବାବଦରେ ଖର୍ଚ୍ଚ ବଢ଼ିନାହିଁ । ବିମୁଦ୍ରାକରଣ ପରେ ଜିଏସଟି ଲାଗୁ ହେବା ପରେ ଏଭଳି କିଛି ବ୍ୟତିକ୍ରମ ଦେଖାଦେଇଥିବା କୁହାଯାଉଛି । ତେବେ ସହରରେ ୬ ବର୍ଷ ମଧ୍ୟରେ ଲୋକଙ୍କ ହାରାହାରି ଖର୍ଚ୍ଚ କ୍ଷମତା ମାତ୍ର ୨ ପ୍ରତିଶତ ବଢ଼ିଥିବା ଦେଖାଯାଇଛି ।