ବିଶ୍ୱକପ ପୂର୍ବରୁ ସରଗରମ ହକି ମାହୋଲ ! ପ୍ରଦର୍ଶନୀ ମ୍ୟାଚରେ ଓଡି଼ଶାର ଚମକପ୍ରଦ ବିଜୟ ।

131

କନକ ବ୍ୟୁରୋ : ପ୍ରଦର୍ଶନୀ ମ୍ୟାଚରେ ଓଡିଶାର ଚମକପ୍ରଦ ବିଜୟ । ପୁରୁଷ ବିଶ୍ୱକପ ଅବ୍ୟବହିତ ପୂର୍ବରୁ ହକି ମାହୋଲକୁ ସରଗରମ କରିବାପାଇଁ ଆଜି ସଂଧ୍ୟାରେ ଏକ ପ୍ରଦର୍ଶନୀ ମ୍ୟାଚର ଆୟୋଜନ କରାଯାଇଥିଲା । ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ଓ ଓଡିଶା ଏକାଦଶ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା । ମ୍ୟାଚ ଆରମ୍ଭରୁ ହିଁ ଓଡିଶାର ଖେଳାଳୀମାନେ ଅଷ୍ଟ୍ରେଲୀୟ ଖେଳାଳୀଙ୍କ ଉପରେ ଚାପ ପ୍ରୟୋଗ କରିବା ଆରମ୍ଭ କରିଦେଇଥିଲେ ଯାହା ଖେଳ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ।

ମ୍ୟାଚରେ ଓଡିଶା ଏକାଦଶ ନ୍ୟୁ ସାଉଥ ୱେଲସକୁ ୫-୧ ଗୋଲରେ ପରାସ୍ତ କରିଥିଲା । ଖେଳର ପ୍ରଥମାର୍ଦ୍ଧରେ ଓଡିଶାର ଶିଲାନନ୍ଦ ଲାକ୍ରା ଦୁଇ ଓ ୧୫ତମ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ । ସେହିଭଳି ସାଉଥ ୱେଲସର ଜାକ୍ ପିକରିଙ୍ଗ ନବମ ମିନିଟରେ ଗୋଲ କରିଥିଲେ । କିନ୍ତୁ ଖେଳର ଦ୍ୱିତୀୟାର୍ଦ୍ଧରେ ଓଡିଶା ଖେଳାଳୀଙ୍କ ନିୟନ୍ତ୍ରଣରେ ରହିଥିଲା ମ୍ୟାଚ । ଦଳର କ୍ୟାପଟେନ ଅମିତ ରୋହି ଦାସ ତୃତୀୟ, ମନଦୀପ କେରକେଟା ଚତୁର୍ଥ ଓ ପ୍ରଶନ୍ନ ତିର୍କି ପଂଚମ ଗୋଲ ସ୍କୋର କରି ମ୍ୟାଚକୁ ସାଉଥ ୱେଲସଠାରୁ ଛଡାଇ ଆଣିଥିଲେ । ବିଜୟୀ ଟିମର ଅଧିନାୟକ ଅମିତ ରୋହୀ ଦାସଙ୍କୁ ରାଜ୍ୟର କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପୁରଷ୍କୃତ କରିଥିଲେ । ନ୍ୟୁ ସାଉଥ ୱେଲସ ସହିତ ପରବର୍ତୀ ପ୍ରଦର୍ଶନୀ ମ୍ୟାଚ ଆସନ୍ତା ୬ ତାରିଖରେ ରାଉରକେଲାରେ ଖେଳାଯିବ ।