ହିଂସା ଭିତରେ ବି ମରିନି ମାନବିକତା : ବଢୁଛି ମୃତକଙ୍କ ସଂଖ୍ୟା-ଜଳୁଛି ଘର , ଏପଟେ ହିଂସା ଭିତରେ ବି ମାନବିକତାର ଉଦାହରଣ ଦେଉଛନ୍ତି ଦିଲ୍ଲୀବାସୀ । 

357

ଦିଲ୍ଲୀ : ହିଂସାଗ୍ରସ୍ତ ଚମନପୁରୀର କିଡ଼ନୀ ରୋଗୀ ନଇମ୍ ଅହମ୍ମଦ ନିଜ ଘରେ ୩ ଦିନ ହେଲା ଡାୟଲିସିସ୍ ଅଭାବରୁ ପଡିଛନ୍ତି । ପରିବାର ଲୋକ ନଇମ୍ ଙ୍କୁ ବଂଚାଇବା ପାଇଁ ସମସ୍ତଙ୍କ ଠାରୁ ସାହାଯ୍ୟ ମାଗିଥିଲେ ମଧ୍ୟ ହିଂସା ଡରରେ ତାଙ୍କର ସାହାଯ୍ୟ କରିବାକୁ କେହି ଆସିନଥିଲେ । ତେବେ ଏହି ଖବର ଶୁଣିବା ପରେ ଘର ପାଖରେ ରହୁଥିବା ଅଜୟ ଶର୍ମା କୌଣସି ଭୟ ନ କରି ତାଙ୍କ ନଇମ୍ ଙ୍କ ପାଖରେ ପହଁଚି ତାଙ୍କୁ ଏକ ବେସରକାରୀ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଯାଇଥିଲେ । ବର୍ତ୍ତମାନ ଅଜୟଙ୍କ ଯୋଗୁଁ ନଇମ୍ ଙ୍କ ଚିକିତ୍ସା ଡାକ୍ତରଖାନାରେ ଚାଲିଛି ।

୨ . ମାନବିକତାର ଆଉ ଏକ ଉଦାହରଣ ଦେଖାଯାଇଥିଲା ଦିଲ୍ଲୀର ବ୍ରହ୍ମପୁରୀ ଅଞ୍ଚଳରେ । ଏଠାରେ ରହୁଥିବା ଇରଫାନ୍ ଙ୍କ ସମ୍ପୁର୍ଣ୍ଣ ପରିବାର ମଙ୍ଗଳବାର ରାତି ହିଂସାକାରୀଙ୍କ ଭିତରେ ଫସିଯାଇଥିଲେ । ଏହା ଦେଖି ତାଙ୍କ ପଡୋଶୀ ଘନଶ୍ୟାମ ମିଶ୍ରା ଇରଫାନ୍ ଙ୍କ ପରିବାରକୁ ବଂଚାଇବା ପାଇଁ ହିଂସାକାରୀଙ୍କ ଆଗରେ କବଚ ହୋଇ ଠିଆ ହୋଇଥିଲେ । ସେ ପୋଲିସକୁ ଫୋନ୍ କରି ହିଂସାକାରୀଙ୍କୁ ଗିରଫ କରାଇବା ସହ ଇରଫାନ୍ ଙ୍କ ପରିବାର ଲୋକଙ୍କ ଜୀବନ ବଂଚାଇଥିଲେ ।

୩ . ଚମନପୁରୀ ସ୍ଥିିତ ରାଜଧାନୀ ପବ୍ଲିକ୍ ସ୍କୁଲ ବାହାରେ ଡ୍ୟୁଟିରେ ଥିବା ଏସଆଇ ଅରୁଣ ସିନ୍ଧୁ ନିଜ ଟିମ୍ ସହ ଦ୍ୱିପ୍ରହର ସମୟରେ ମଧ୍ୟାହ୍ନ ଭୋଜନ କରିବାକୁ ଯାଉଥିଲେ । ସେତେବେଳେ ସ୍କୁଲ୍ ଭିତରୁ ଜଣେ ବ୍ୟକ୍ତି ତାଙ୍କୁ ଦେଖୁଥିବାର ଅରୁଣ ଦେଖିଥିଲେ । ଅରୁଣ ଉକ୍ତ ବ୍ୟକ୍ତିଙ୍କୁ ପାଖକୁ ଡାକି ପଚାରନ୍ତେ ସେ କାନ୍ଦିବାକୁ ଲାଗିଥିଲେ । ସ୍କୁଲର ଚୌକିଦାର ମନୋଜ୍ ପୁରେ ପରିବାର ସହ ୩ ଦିନ ଧରି ଭୋକ ଉପାସ ଭିତରେ ହିଂସାକାଣ୍ଡରେ ଫସି ରହିଥିଲେ । ହିଂସାକାରୀ ସ୍କୁଲ୍ ରେ ନିଆଁ ଲଗାଇ ଦେଇଥିôବା ବେଳେ ସ୍କୁଲର ପଛ ଭାଗରେ ସେ ୩ ଦିନ ହେଲା ଲୁଚି ନିଜ ପରିବାରର ଜୀବନ ବଂଚାଇଥିବା କଥା କହିଥିଲେ । ୩ ଦିନ ହେଲା କିଛି ନଖାଇ ମନୋଜଙ୍କ ପରିବାର ଗୋଟିଏ ସ୍ଥାନରେ ରହିଥିଲା । ଏହାକୁ ଶୁଣିବା ମାତ୍ରେ ଏସଆଇ ଅରୁଣ ସିନ୍ଧୁ ତାଙ୍କର ଏବଂ ସହ ପୋଲିସ୍ କର୍ମଚାରୀଙ୍କ ଖାଦ୍ୟପୁଡିଆକୁ ମନୋଜଙ୍କୁ ଦେଇଥିଲେ ।  ମନୋଜ ଏବଂ ତାଙ୍କ ପତ୍ନୀ ପୁଅ , ଝିଅଙ୍କୁ ଏହି ଖାଦ୍ୟ ଖାଇବାକୁ ଦେଇଥିଲେ ।