ମହାରଥୀଙ୍କୁ ଦାମ ମାରିଲେ ବାଣ । ସବୁ ଦୁର୍ନୀତି ମହାରଥୀଙ୍କ ସମୟରେ ହୋଇଛି, ତାଙ୍କ ମନ୍ତ୍ରୀପଦ ଯିବା ପଛରେ ମଧ୍ୟ ମହାରଥୀ ଭାଗିଦାର

35

କନକ ବ୍ୟୁରୋ: ଗତକାଲି ଚାରା ଘୋଟାଲା, ଆଜି ଓମଫେଡ୍ ରେ ଦୁର୍ନୀତି କୁ ନେଇ ପୁଣି ମହାରଥୀଙ୍କୁ ଟାର୍ଗେଟ କଲେ ଦାମ । ତାଙ୍କ ମନ୍ତ୍ରୀ ପଦ ଯିବା ପଛରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ହାତ ଥିବା ସେ କହିଛନ୍ତି । ଏପରିକି ମହାରଥୀଙ୍କ ଅମଳରେ ସବୁ ଦୁର୍ନୀତି ହୋଇଥିବା କହିଛନ୍ତି ଦାମୋଦର ରାଉତ । ଗତକାଲି ଚାରା ଘୋଟାଲା ଦୁର୍ନତୀକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଆଜି ଓମଫେଡ୍ ରେ ଦୁର୍ନୀତି ଅଭିଯୋଗ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ଦାମ ରାଉତ ।

ଦାମ କହିଛନ୍ତି ଯେ, ଓମଫେଡ୍ ମିଲ୍କ ପାଉଚ୍ ପାଇଁ ଯେଉଁ ପଲିଥିନ୍ ବ୍ୟବହାର ହୁଏ ସେଥିରେ ୩୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ଯେଉଁଥି ପାଇଁ ଓମଫେଡ ଏମଡି ଭିଜିଲାନ୍ସ ତଦନ୍ତ ପାଇଁ ଚିଠି ଲେଖିଥିଲେ । ସେତେବେଳେ କାହିଁକି ଭିଜିଲାନ୍ସ ତଦନ୍ତ ପାଇଁ ଦିଆଗଲା ନାହିଁ ବରଂ ମୁଖ୍ୟମନ୍ତ୍ରୀଙ୍କ ଦଫ୍ରରୁ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଜାରି କରାଗଲା । ତଦନ୍ତ ପରେ ଏମଡିଙ୍କୁ ବଦଳି କରାଗଲା । ଏବଂ ଯାହାଙ୍କ ସମୟରେ ଦୁର୍ନୀତି ହୋଇଥିଲା ତାଙ୍କୁ ପୁର୍ନବାର ପଦବୀରେ ବସାଗଲା । ଏବଂ ଶେଷରେ ତାଙ୍କ ସପକ୍ଷରେ ତଦନ୍ତ ରିପୋର୍ଟ ଆସିଲା । ଏହା ପଛରେ କିଏ ଗଡ ଫାଦର ବୋଲି ପ୍ରଶ୍ନ କରିଛନ୍ତି ଦାମ?

ସେପଟେ ଦାମଙ୍କ ଅଭିଯୋଗରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ମହାରଥୀ କହିଛନ୍ତି ଯେ, ମୁଁ କ’ଣ ପାଇଁ ତାଙ୍କ ମନ୍ତ୍ରୀ ପଦ ଯିବା ପଛରେ ଭାଗିଦାରୀ ହେବି? ତେଣୁ ଯଦି ଦାମ ବାବୁ ଏମିତି କିଛି କହିଥିବେ ତାହା ତାଙ୍କ ଉଦ୍ଭଟ ଚିନ୍ତା ଧାରା । ଓମଫେଡ ଏକ ସ୍ୱୟଂ ଚାଳିତ ସଂସ୍ଥା, ନିଜ ନିଷ୍ପତି ନିଜେ ନିଅନ୍ତି ତେଣୁ , ଯଦି କିଛି ଦୁର୍ନୀତି ହୋଇଥିବା ବିଧାନସଭା ପରେ ପରେ ମୁଁ ନିଜେ ତାହାର ତର୍ଜମା କରିବି । କଳିଯୁଗରେ ଏମିତି କେହି ସତୀ ନାହିଁ ଯେ, ଲାଞ୍ଚ ଲାଂଚ ଯାଚିଲେ ନେବ ନାହିଁ ବୋଲି କହି ଦାମଙ୍କ କୋର୍ଟକୁ ବଲ ଫିଙ୍ଗିଚନ୍ତି ପ୍ରଦୀପ ମହାରଥୀ ।