ଉପକୂଳ ଗଡ଼ରେ ବିଜେପିର ଆଖି । ମିଶନ୍ ୧୨୦ ମୁଡରେ ବିଜେପି, ହାତ ଛାଡ଼ି ପଦ୍ମ ଧରିଲେ ପଦ୍ମଲୋଚନ ।

144

କନକ ବ୍ୟୁରୋ: ଉପକୂଳ ଗଡ଼ରେ ବିଜେପିର ଆଖି । ବାଲେଶ୍ୱରରେ କଂଗ୍ରେସ ମଙ୍ଗ ଧରୁଥିବା ନେତାଙ୍କୁ ନିଜ ଆଡ଼କୁ ନେଉଛି ବିଜେପି । କଂଗ୍ରେସର ହେଭିୱେଟ୍ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ନିଜର ହଜାର ହଜାର ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ପଦ୍ମଲୋଚନ ପଣ୍ଡା । ଗତ ଅକ୍ଟୋବର ୭ ତାରିଖ ଦିନ କଂଗ୍ରେସ ହାତ ଛାଡ଼ିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନେଇ କହିଥିଲେ ପଦ୍ମଲୋଚନ ପଣ୍ଡା । ଗୋଷ୍ଠୀ କନ୍ଦଳ ଏବଂ ଦଳ ମଧ୍ୟରେ ସମନ୍ୱୟ ନଥିବା କାରଣରୁ ସେ ଦଳ ଛାଡିଥିବା କହିଥିଲେ ।

ତେବେ କଂଗ୍ରେସର ହାତ ଛାଡ଼ିବା ପରେ ଆଜି ବାଲେଶ୍ୱରରେ ପଦ୍ମ ଧରିବା ଅବସରରେ ବିଶାଳ ରାଲି କରି ବିଜେପିରେ ସାମିଲ ହୋଇଛନ୍ତି କଂଗ୍ରେସ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ । ତେବେ ୨୦୧୯ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଶକ୍ତି ଜୁଟାଇବା ସହ ମିଶନ୍ ୧୨୦ ଲକ୍ଷ୍ୟରେ ବିଜେପି । ଶାସକ ଏବଂ କଂଗ୍ରେସ ଦଳକୁ କଡ଼ା ଟକ୍କର ଦେବା ପାଇଁ ଉପକୂଳ ଗଡ଼ ଉପରେ ଧିରେ ଧିରେ ଶକ୍ତି ବିସ୍ତାର କରୁଛି ବିଜେପି ।

ସେପଟେ ପଦ୍ମ ଲୋଚନ ପଣ୍ଡା ମିଶ୍ରଣକୁ ସ୍ଥାନୀୟ ବିଜେପି ନେତା ଓ କର୍ମୀ ଠିକ୍ ଭାବରେ ହଜମ କରି ପାରୁ ନାହାନ୍ତି ବୋଲି ସୂଚନା ମିଳିଛି । ଏପରିକି ୨୦୧୪ରେ ମାର୍କୋଣା ସିମୁଳିଆରେ ଯେତେବେଳେ ବିଜେପି ତା’ର ଅସ୍ତିତ୍ୱ ଖୋଜୁଥିଲା, ସେହି ସମୟରେ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ଶଶି ସାହୁ ଆଉ ସେହି ନିର୍ବାଚନରେ ଦଳର ବିଧାୟକ ପ୍ରାର୍ଥୀ ହୋଇ କଂଗ୍ରେସ ଓ ବିଜେଡ଼ିକୁ କଡ଼ା ଟକ୍କର ଦେଇଥିଲେ ଶଶି । କିନ୍ତୁ ପଦ୍ମ ଲୋଚନ ପଣ୍ଡାଙ୍କ ଯୋଗଦାନ ଏବେ ଶଶି ସାହୁ ଏବଂ ତାଙ୍କ ସମର୍ଥକଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ୨୦୧୯ ନିର୍ବାଚନ ମଇଦାନରେ କିଏ ବିଜେପିର ବିଧାୟକ ପ୍ରାର୍ଥୀ ହେବେ ତାକୁ ନେଇ କର୍ମୀ ଓ ନେତା ଆଶା, ଆଶଙ୍କରେ ରହିଛନ୍ତି । ଏବଂ ପଦ୍ମ ଲୋଚନ ପଣ୍ଡାଙ୍କୁ ଦଳରେ ସାମିଲ ନକରିବା ପାଇଁ ଶଶିଙ୍କ ଗୋଷ୍ଠୀ ଭୁବନେଶ୍ୱରରେ ଡ଼େରା ପକାଇଥିଲେ । ସୁଚନା ମୁତାବକ ୨୦୦୯ ଓ ୨୦୧୪ ନିର୍ବାଚନରେ ପଦ୍ମ ଲୋଚନ ପଣ୍ଡାଙ୍କୁ ସେଠାକାର ଭୋଟର ପ୍ରତ୍ୟାଖାନ କରିଥିଲେ । କିନ୍ତୁ ଏହି ମିଶ୍ରଣ ବିଜେପିକୁ ଫାଇଦା ଦେବ ନା ସଂଗଠନ ପାଇଁ ବୁମେରାଂ ହେବ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।