ଟିମ୍ ଇଣ୍ଡିଆର ଦମଦାର୍ ପ୍ରଦର୍ଶନ ! ମହିଳା ବିଶ୍ୱକପ୍ ଫାଇନାଲରେ ଭଲ ସ୍ଥିତିରେ ଭାରତ

32

କନକ ବ୍ୟୁରୋ : ମହିଳା ବିଶ୍ୱକପ କ୍ରିକେଟର ଫାଇନାଲ ଫାଇଟ୍ । ଟିମ୍ ଇଣ୍ଡିଆର ଦମଦାର୍ ପ୍ରଦର୍ଶନ । ଐତିହାସିକ ଲର୍ଡ୍ସ ମଇଦାନରେ ଘରୋଇ ଇଂଲଣ୍ଡ ବିରୋଧରେ ଚାଲିଛି ଟକ୍କର । ଚମତ୍କାର ବୋଲିଂ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ମାତ୍ର ୬୩ ରନରେ ଇଂଲଣ୍ଡ ପ୍ରଥମ ତିନି ଜଣ ବ୍ୟାଟ୍ସ ମ୍ୟାନଙ୍କୁ ପାଭିଲିୟନକୁ ଫେରାଇ ଦେଇଛି । ସ୍ପିନର ପୁନମ ଯାଦବ ୨ଟି ଉଇକେଟ ହାତେଇ ସାରିଛନ୍ତି ।

ସେମିଫାଇନାଲର ଚମତ୍କାର ପ୍ରଦର୍ଶନ ପରେ ଆତ୍ମବିଶ୍ୱାସରେ ଭରି ରହିଛି ମିତାଲି ରାଜଙ୍କ ଦଳ ଭିତରେ । ଭାରତ ଚଳିତ ଥର ପ୍ରଥମ ମୁକାବିଲାରେ ଇଂଲଣ୍ଡଙ୍କୁ ୩୫ ରନରେ ହରାଇଥିଲା । ସେମିଫାଇନାଲରେ ୬ ଥର ବିଜେତା ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ତେଣୁ ଆଜି ଇଂଲଣ୍ଡକୁ ହରାଇ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ଭାରତ । ମିତାଲି ସେନା ସାମ୍ନାରେ ଆଜି ମାଇଲଖୁଂଟ ସୁଯୋଗ ରହିଛି ।

ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ମିତାଲି ରାଜ ଜଣେ ପ୍ରତିଭାସଂପନ୍ନ ଓ ଲଢୁଆ ଖେଳାଳି ଭାବେ ବେଶ୍ ପରିଚିତ । ଆଉ ଆଜିର ମୁକାବିଲାରେ ମଧ୍ୟ ଦଳ ତାଙ୍କ ବ୍ୟାଟିଂ ଉପରେ ନିର୍ଭର କରିବ । ଏବେ ଆସନ୍ତୁ ନଜର ପକାଇବା ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ମିତାଲି ରାଜଙ୍କ ବ୍ୟାଟିଂ ରେକର୍ଡ ଉପରେ ।

୧୯୯୯ରେ ଆୟର୍ଲାଣ୍ଡ ବିପକ୍ଷ ଏକଦିବସୀୟରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ହାଇଦ୍ରାବାଦର ଡାହାଣହାତୀ ବ୍ୟାଟସମ୍ୟାନ୍ ମିତାଲି ରାଜ୍ । ଏ ପର୍ଯ୍ୟନ୍ତ ସେ ୧୭୨ଟି ଦିନିକିଆ ଖେଳିବା ସହ ୧୦ଟି ଟେଷ୍ଟ ଓ ୬୩ଟି ଟି-ଟ୍ୱେଂଟି ମ୍ୟାଚ୍ ଖେଳି ସାରିଛନ୍ତି । ଉଭୟ ଟେଷ୍ଟ ଓ ଦିନିକିଆରେ ମିତାଲିଙ୍କ ଆଭରେଜ୍ ସ୍କୋର ପ୍ରାୟ ସମାନ ରହିଛି । ୧୭୨ଟି ଦିନିକିଆରେ ୫୧.୦୩ ଆଭରେଜରେ ସେ ୫ ହଜାର ୬୧୪ ରନ୍ ସଂଗ୍ରହ କରିଛନ୍ତି । ଏହା ସହ ୧୦ଟି ଟେଷ୍ଟରେ ୫୧ ଆଭରେଜରେ ସଂଗ୍ରହ କରିଛନ୍ତି ୬୬୩ ରନ୍ ।

ସେହିପରି ୬୩ ଟି ଟିଟ୍ୱେଂଟିରେ ୩୭.୯୫ ଆଭରେଜରେ ୧୭୦୮ ରନ୍ ସଂଗ୍ରହ କରିଛନ୍ତି ମିତାଲି । ଦିନିକିଆରେ ୫ ଟି ଶତକ ଓ ୪୩ ଅର୍ଦ୍ଧଶତକ ରହିଛି ତାଙ୍କ ନାଁରେ । ଏହା ସହ ଟେଷ୍ଟରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ମିତାଲି । ଟେଷ୍ଟରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୨୧୪ ରହିଥିବା ବେଳେ ଦିନିକିଆରେ ଅପରାଜିତ ୧୧୪ ହେଉଛି ମିତାଲିଙ୍କ ସର୍ବାଧିକ ସ୍କୋର । ଟେଷ୍ଟ ମ୍ୟାଚରେ ଦ୍ୱିଶତକ ହାସଲ କରିବାରେ ଏକମାତ୍ର ମହିଳା ଖେଳାଳି ହେବାର ଗୌରବ ମଧ୍ୟ ରହିଛି ମିତାଲିଙ୍କ ନାଁରେ ।