ଚନ୍ଦକାରେ ହାତୀ ନାହିଁ ! ଗଣନାରୁ ମିଳିଲା ଗୋଟିଏ ହାତୀ

19

କନକ ବ୍ୟୁରୋ : ଚନ୍ଦକା ହେବ ହାତୀ ଶୂନ୍ୟ । ଅଭୟାରଣ୍ୟରେ ବୁଲୁଛି ଗୋଟିଏ ମାତ୍ର ଦନ୍ତା ହାତୀ । ୧୯୮୨ ମସିହାରେ ଚନ୍ଦକାକୁ ଅଭୟାରଣ୍ୟ ଘୋଷଣା ବେଳେ ଏଠାରେ ୧୨୦ଟି ହାତୀ ଥିଲେ । ହେଲେ ସମୟକ୍ରମେ ହାତୀବଂଶ ଏଠାରେ ଲୋପ ପାଇଗଲେ । ୨୦୧୫ରେ ଏଠାରେ ୮ଟି ହାତୀ ଥିବାବେଳେ ଏବେ ଏହି ସଂଖ୍ୟା ୧କୁ ଖସିଆସିଛି । ଦୃତ ସହରୀକରଣ ଆଉ ଜଙ୍ଗଲ ଚାରିପାଖେ ଗଢିଉଠିଥିବା ଜନବସତିକୁ ଏହାର କାରଣ କୁହାଯାଉଥିବା ବେଳେ ଜଙ୍ଗଲ ବିଭାଗର ପାରିବାପଣିଆ ଆଉ ଅଧିକାରୀଙ୍କ ମନୋଭାବକୁ ନେଇ ପରିବେଶବିତ ପ୍ରଶ୍ନ ଉଠାଇଛନ୍ତି । ପରିବେଶବିତଙ୍କ ମତରେ ରାଜ୍ୟରେ ହାତୀ ବଂଶ ବୃଦ୍ଧି ହେବା ପାଇଁ ଅନୁକୂଳ ବାତାବରଣ ଥିଲେ ବି ରାଜ୍ୟ ସକାର ବିଫଳ ହୋଇଛନ୍ତି ।

ସୋମବାର ରାଜ୍ୟ ସରକାର ହାତୀ ଗଣନା ରିପୋର୍ଟ ପ୍ରକାଶ କରିବାର ସମ୍ଭାବନା ଥିବା ବେଳେ ଏଭଳି କିଛି ସାଂଘାତିକ ଆଉ ଚାଂଚଲ୍ୟକର ତଥ୍ୟ ଲାଗିଛି କନକ ନ୍ୟୁଜ୍ ହାତରେ । ପ୍ରଥମ ଥର ପାଇଁ ପୂର୍ବ ଭାରତର ୪ରାଜ୍ୟ ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡକୁ ନେଇ ସମକାଳୀନ ହାତୀ ଗଣନା ଗତ ମାସ ୯ତାରିଖରୁ ୪ଦିନ ଧରି କରାଯାଇଥିଲା । ତେବେ ଏହି ରିପୋର୍ଟ କେନ୍ଦ୍ରକୁ ଦିଆଯିବା ପରେ ସମସ୍ତ ରାଜ୍ୟର ତଥ୍ୟକୁ ଭିତି କରି ପ୍ରକୃତ ହାତୀ ସଂଖ୍ୟା ଆକଳନ କରାଯିବ ।

ପ୍ରତିଦିନ ରାଜ୍ୟର ବିଭିନ୍ନ ଅଂଚଳରୁ ହାତୀ ମୃତ୍ୟୁର ଖବର ଆସୁଛି । କେତେବେଳେ ଅବାଧ ଶିକାର ତ କେତେବେଳେ ବିଜୁଳି ବିଭାଗର ଅବହେଳା । ଏହାରି ଭିତରେ ହାତୀ ସଂଖ୍ୟା ବୃଦ୍ଧିର ଖବର ଆସିଛି, କିନ୍ତୁ ସ୍ଥିତି ଅନୁକୁଳ ସତ୍ୱେ ମାତ୍ର ୨୦ ହାତୀ ବଢିବା ଚିନ୍ତାଜନକ ହୋଇଛି । ତେବେ ହାତୀ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଚନ୍ଦକା ଡମପଡା ଅଭୟାରଣ୍ୟରେ ହାତୀ ସଂଖ୍ୟା ହ୍ରାସ ପରିବେଶବିତଙ୍କ ପାଇଁ ଚିନ୍ତାର କାରଣ ସାଜିଛି ।