ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବଡ ଖବର । କିସ୍ତିରେ ସୁଝିପାରିବେ ବିଦ୍ୟୁତ୍ ବିଲ୍, ଜାଣନ୍ତୁ କେଉଁଠି ଆରମ୍ଭ ହେଲା ଏହି ଯୋଜନା ।

464

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବଡ ଖବର । ଲମ୍ବା ସମୟ ଧରି ବିଜୁଳି ବିଲ ଦେଇନଥିବା ବିଜୁଳି ଉପଭୋକ୍ତାଙ୍କ ପାଇଁ ଏକ ଯୋଜନା ଆରମ୍ଭ କରାଯାଇଛି । ଏହି ନୂଆ ଯୋଜନା ମାଧ୍ୟମରେ ବିଜୁଳି ଉପଭୋକ୍ତା କିସ୍ତି ବା ଇନଷ୍ଟାଲମେଂଟ ମାଧ୍ୟମରେ ବିଦ୍ୟୁତ ବିଲ ପୈଠ କରିପାରିବେ । ଉତ୍ତରପ୍ରଦେଶରେ ବିଦ୍ୟୁତ ବିଭାଗ ପକ୍ଷରୁ ଏଭଳି ଏକ ଯୋଜନା ଆରମ୍ଭ ହୋଇଛି ।  ଯେଉଁମାନେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଓ ବହୁଦିନ ଧରି ବିଦ୍ୟୁତ ବିଲ ପୈଠ କରିପାରିନାହାନ୍ତି ସେମାନଙ୍କ ପାଇଁ ସହଜ କିସ୍ତି ଯୋଜନା ନାମରେ ଏହି ସୁବିଧା ଆରମ୍ଭ କରାଯାଇଛି ।

ଆଜିଠାରୁ ଏହି ସୁବିଧା ଆରମ୍ଭ ହୋଇଥିବାବେଳେ ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ଜାରି ରହିବ ।  ସହରାଞ୍ଚଳରେ ରହୁଥିବା ଉପଭୋକ୍ତା ୧୨ଟି କିସ୍ତିରେ ଓ ଗ୍ରାମୀଣ ଅଂଚଳରେ ରହୁଥିବା ଉପଭୋକ୍ତା ୨୪ଟି କିସ୍ତିରେ ବକେୟା ବିଦ୍ୟୁତ ବିଲକୁ ପୈଠ କରିପାରିବେ । ତେବେ ସହଜ କିସ୍ତି ଶୁଝିବା ପାଇଁ କିଛି ସର୍ତ୍ତ ମଧ୍ୟ ରହିଛି ।

ନ୍ୟୁନତମ କିସ୍ତି ୧୫୦୦ ଟଙ୍କାରୁ କମ ହେବନାହିଁ ବୋଲି ସର୍ତ୍ତ ରହିଛି । ଅନଲାଇନ ଓ ଅଫଲାଇନ ମାଧ୍ୟମରେ ବିଦ୍ୟୁତ ଉପଭୋକ୍ତା ଏହି କିସ୍ତି ଦେଇପାରିବେ । ଅର୍ଥାତ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ହେଉ ବା ମୋବାଇଲ ମାଧ୍ୟମରେ ୱେବସାଇଟରେ ଏହି ବକେୟା ବିଦ୍ୟୁତ ବିଲ ଦେଇପାରିବେ ।