କୋଣାର୍କରେ ପୁଣି ଜଣଙ୍କ ଜୀବନ ନେଲା ୧୧ କେଭି ବିଦ୍ୟୁତ ତାର । ଏକ ଘରର ଛାତ ପଡୁଥିବାବେଳେ ଭୁଲରେ ଶ୍ରମିକଙ୍କ ଦେହରେ ଲାଗିଗଲା ବିଦ୍ୟୁତ୍ ତାର

ସେପଟେ ମେନ୍ଦ୍ରାଜପୁର ବସ ଦୁର୍ଘଟଣା ମାମଲାରେ ୬ ଜଣଙ୍କୁ ନୋଟିସ କଲେ ହାଇକୋର୍ଟ

114

କନକ ବ୍ୟୁରୋ: ପୁଣି ଜୀବନ ନେଲା ୧୧ କେଭି ବିଦ୍ୟୁତ ତାର । ଗୋପ ଥାନା ଅନ୍ତର୍ଗତ ପାଟଳିଆ ଗାଁ ମୁଲଲୀ ଆଲୁକଙ୍କ ଘରର ଛାତ ପଡୁଥିବାବେଳେ ଶ୍ରମିକ ଭାବେ ସେହି ଗ୍ରାମର ଅଭିନା କାଣ୍ଡି କାମ କରୁଥିଲେ । ମାତ୍ର ଅସାବଧାନତା ଯୋଗୁଁ ଅଭିନା ଗାଁ ଭିତର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଅଭିନ୍ନ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ୫ପ୍ରାଣୀ କୁଟୁମ୍ବ ପୁରା ବେସାହାରା ହୋଇ ପଡିଛନ୍ତି ।

ସେପଟେ ଗଞ୍ଜାମ ଜିଲ୍ଳା ମେନ୍ଦ୍ରାଜପୁର ବସରେ ବିଦ୍ୟୁତ୍ ତାର ଲାଗିବା ଘଟଣା । ନିଜ ଆଡୁ ମାମଲା ରୁଜୁ କରି ଏହି ଦୁର୍ଘଟଣା ପାଇଁ ୬ ଜଣଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ । ଶକ୍ତି, ବାଣିଜ୍ୟ, ପରିବହନ ଓ ଗୃହ ବିଭାଗ ସମେତ ଗଞ୍ଜାମ କଲେକ୍ଟର, ପୋଲିସ ଏସପି ଓ ସାଉଥକୋ ଏମଡିଙ୍କୁ ନୋଟିସ କରିଛନ୍ତି ଖଣ୍ଡପୀଠ । ମେନ୍ଦ୍ରାଜପୁରରେ ୧୧କେଭି ବିଦ୍ୟୁତ୍ ତାର ଟଣାଯିବା ଓ ରକ୍ଷଣାବେକ୍ଷଣ ପ୍ରସଙ୍ଗରେ ନିୟମାବଳୀ ପାଳନ ହୋଇଥିଲା କି ନାହିଁ ସେ ନେଇ ଜବାବ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଉଚ୍ଚ କ୍ଷମତା ସମ୍ପନ୍ନ ତାର ଟଣାଯିବା ପାଇଁ ରହିଥିବା ନିୟମାବଳୀ ଓ ରକ୍ଷଣାବେକ୍ଷଣ ପାଇଁ ଆଇନରେ ରହିଥିବା ବ୍ୟବସ୍ଥା ସମ୍ପର୍କରେ ଅବଗତ କରିବାକୁ ଶକ୍ତି ବିଭାଗ ଓ ସାଉଥକୋକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ ଘଟଣାରେ ମୃତାହତଙ୍କ ପରିବାରକୁ କ୍ଷତିପୂରଣ ପ୍ରସଙ୍ଗରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଜବାବ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ଗତ ୯ତାରିଖରେ ବସ୍ଟି ଏକ ନିର୍ବନ୍ଧ ପାଇଁ ବରପକ୍ଷର ଲୋକଙ୍କୁ ନେଇ କନ୍ୟାଘରକୁ ଯାଉଥିବାବେଳେ ମେନ୍ଦ୍ରାଜପୁରରେ ତଳକୁ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ ତାରରେ ଲାଗି ଯାଇଥିଲା । ଫଳରେ ୧୦ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୨୨ଜଣ ଗୁରୁତର ଆହତ ହୋଇଥିଲେ । ତେବେ ଏତେବଡ ଅଘଟଣ ଘଟିଯାଇଥିଲେ ମଧ୍ୟ ଏହି ଦୁର୍ଘଟଣା ପାଇଁ ଶକ୍ତି ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପରସ୍ପର ପରସ୍ପରକୁ ଦୋଷ ଦେଇଥିଲେ ।