ତୃତୀୟ ପର୍ଯ୍ୟାୟ ମତଦାନରେ ବିଭ୍ରାଟ: ମୃତ ଲୋକ ଭୋଟର ତାଲିକାରେ ଜୀବିତ ହେଲେ ୪୦ ବର୍ଷ ଧରି ମତ ଦେଇ ଆସୁଥିବା ମତଦାତାଙ୍କ ନାହିଁ ନାଁ, କିଛି ସ୍ଥାନରେ ତ ଭୁତ ଦେଲା ଭୋଟ୍ !

250

କନକ ବ୍ୟୁରୋ: ଗତକାଲି କେତେକ ବୁଥରେ ମତଦାତାଙ୍କ ନାମ ଭୋଟର ତାଲିକାରେ ନଥିବାରୁ ସେମାନେ ଭୋଟ ଦେବାରୁ ବଂଚିତ ହୋଇଥିଲେ । କିନ୍ତୁ ଅନ୍ୟପଟେ କେତେକ ଲୋକଙ୍କର ନାମ ଭୋଟର ତାଲିକାରେ ଥିବା ସତ୍ୱେ ବି ଭୋଟ ଦେବାରୁ ବଂଚିତ ହୋଇଛନ୍ତି । ଭୋଟର ତାଲିକାର ନାଁ ଥିବା ଲୋକ ଭୋଟ ଦେଇ ନପାରିବାର କାରଣ ହେଲ, ସେମାନେ ଭୋଟ ଦେବାକୁ ବୁଥରେ ପହଂଚିବା ବେଳକୁ ତାଙ୍କ ନାମରେ କେହି ଭୋଟ ଦେଇ ପଳାଇଥିଲେ ।

ସୂଚନା ମୁତାବକ, ଭୋଟର ତାଲିକାରେ ନାମ ଥିବା ସତ୍ୱେ ବହୁ ଭୋଟର ଗତକାଲି ଭୋଟ ଦେଇପାରିନଥିଲେ । ତାଲିକାରେ ନାମ ଥିବାରୁ ଭୋଟ ଦେବା ପାଇଁ ଖରାରରେ ଦୀର୍ଘ ସମୟ ଧରି ଲାଇନରେ ଛିଡା ହୋଇଥିଲେ । ଏପରିକି ହାତରେ ଚିରକୁଟି ଧରି ବୁଥ ଭିତରକୁ ମଧ୍ୟ ଯାଇଥିଲେ । ହେଲେ ପୁଲିଂ ଅଧିକାରୀ ତାଙ୍କୁ ଭୋଟ ଦେବାକୁ ବାରଣ କରିଥିଲେ । ଆଉ କହିଥିଲେ କି, ଆପଣ ଆଗରୁ ଭୋଟ୍ ଦେଇ ସାରିଛନ୍ତି । ପୁଣି ଥରେ କାହିଁକି ଆସିଛନ୍ତି । ହେଲେ ଭୋଟର ବାରମ୍ବାର କହିଥିଲେ ଯେ, ମୁଁ ଭୋଟ ଦେଇନି । ହେଲେ ପୁଲିଂ ଅଧିକାରୀ କହିଥିଲେ ଆପଣ ଭୋଟ ଦେଇଛନ୍ତି । ଏପରିକି ଭୋଟର ତାଙ୍କ ଆଙ୍ଗୁଠିରେ କାଳି ଲାଗିନଥିବା କହିଥିଲେ । କିନ୍ତୁ ପୁଲିଂ ଅଧିକାରୀ ତାଙ୍କ ଜିଦରେ ଅଟଳ ଥିଲେ । ଏହାପରେ ଖୋଜା ପଡିଥିଲା କିଏ ଭୋଟ ଦେଇକି ଗଲେ । ହେଲେ କିଏ ଭୋଟ ଦେଲା ତାହା ଜଣା ପଡିନଥିଲା ।

ମୃତ ଲୋକ ଭୋଟର୍ ଲିଷ୍ଟରେ ଜୀବିତ

ବୋତଣ୍ଡା ଗ୍ରାମର ଶାନ୍ତି ବେହେରାଙ୍କର ବର୍ଷେ ହେଲା ମୃତ୍ୟୁ ହେଲାଣି। କିନ୍ତୁ ଭୋଟର ଲିଷ୍ଟରେ ସେ ଜୀବିତ। ଅଥଚ ତାଙ୍କ ଯା’ ସୁଷମା ବେହେରା ଜୀବିତ ଥିଲେ ବି ତାଙ୍କ ନାଁ ଭୋଟର ତାଲିକାରେ ନାହିଁ। ସୁଷମା ଗତକାଲି ମତଦାନ କେନ୍ଦ୍ରରେ ଦୀର୍ଘ ସମୟ ଧରି ଲମ୍ବା ଧାଡ଼ିରେ ଛିଡ଼ା ହେବା ପରେ ଯେତେବେଳେ ପୁଲିଂ ଅଧିକାରୀଙ୍କ ନିକଟରେ ପହଞ୍ଚିଲେ ସେତେବେଳେ ପୁଲିଂ ଅଧିକାରୀ ତାଙ୍କୁ ତାଙ୍କ ନାମ ଓ ଭୋଟ୍ ପରିଚୟପତ୍ର ମାଗିଲେ। ସୁଷମା ଭୋଟ୍ ପରିଚୟପତ୍ର ଦେଖାଇଲେ।

କିନ୍ତୁ ପୁଲିଂ ଅଧିକାରୀ କହିଲେ ତୁମ ନାମ ତାଲିକାରେ ନାହିଁ। ତେଣୁ ତୁମେ ଭୋଟ୍ ଦେଇପାରିବନି। ଏହାପରେ ତାଙ୍କ ସମ୍ପର୍କୀୟ ତାଲିକା ଦେଖିଲା ବେଳକୁ ସତରେ ବି ସୁଷମାଙ୍କ ନାମ ନାହିଁ। ଅଥଚ ବର୍ଷକ ତଳୁ ମୃତ୍ୟୁବରଣ କରିଥିବା ଶାନ୍ତିଙ୍କ ନାମ ଅଛି। ଏହାପରେ ସୁଷମା ଭୋଟ୍ ନଦେଇ ଘରକୁ ଫେରିଥିଲେ।କେବଳ ଏହି ଗୋଟିଏ ଘଟଣା ନୁହେଁ। ସେହି ବୋତଣ୍ଡା ଗ୍ରାମର ୬୩ବର୍ଷୀୟ ପ୍ରଭାସିନୀ ସୁନ୍ଦରରାୟ ଦୀର୍ଘ ୪୦ବର୍ଷ ହେଲା ପ୍ରତି ନିର୍ବାଚନରେ ଭୋଟ୍ ଦେଇ ଆସୁଥିଲେ ହେଁ ଚଳିତବର୍ଷ ଭୋଟ୍ ଦେବାରୁ ବଞ୍ଚିତ ହୋଇଛନ୍ତି।