କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଗୋଟିଏ ସପ୍ତାହ ବାକି ଥିବା ବେଳେ ନିର୍ବାଚନ ପ୍ରଚାରରେ ପ୍ରମୁଖ ୩ଟି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛନ୍ତି। ତେବେ ପ୍ରଚାର ବେଳେ ଏବେ ନିର୍ବାଚନୀ ହିଂସାର ଖବର ସାମ୍ନାକୁ ଆସୁଛି । ଏସବୁ ଭିତରେ ଚାନ୍ଦବାଲିର ବାଂଶଡ଼ା ଥାନା ଅଧିନ ସବୁଠୁ ସମ୍ବେଦନଶୀଳ ପଂଚାୟତ ଯଶିପୁର ଓ ଗୋପୀନାଥପୁରରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେଡ଼ି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କୁ ବିରୋଧ କରି ପୂର୍ବତନ ବ୍ଲକ ସଭାପତି ତଥା ବର୍ତମାନ ବିଜେପି ପ୍ରଚାର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଧଳଙ୍କ ପଂଚାୟତରେ ଆଜି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେଡିର ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ଯଶିପୁର ପଂଚାୟତରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଅପରପକ୍ଷ ଆକ୍ରମଣ କରି ଜଣେ ବିଜେଡ଼ି କର୍ମୀଙ୍କୁ ଲହୁଲହାଣ କରିଥିବା ଖବର ସାମ୍ନାକୁ ଆସିଛି ।

Advertisment

publive-imageମୁଖ୍ୟମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ ସମୟରେ ପ୍ରତାପଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଥିବା ଜବାବରେ ଆଜି ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ବିଧାୟକ ବ୍ୟୋମକେଶ ରାୟ ପ୍ରଥମେ କୁଦକାନ୍ଥି ଗାଁ ପ୍ରଚାର ସାରି ବଜାର ମଧ୍ୟକୁ ପ୍ରବେଶ କରୁଥିବା ବେଳେ କେତେକ କର୍ମୀ ବଳସାହି ଦେଇ ଆସୁଥିଲେ। ତେବେ ସେହି ରାସ୍ତାରେ ଅପରପକ୍ଷ କେତେକ ଲୋକେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯୁବକ ଆହତ ହୋଇ ଲହୁଲୁହାଣ ହୋଇଯାଇଥିଲେ। ବିଧାୟକଙ୍କ ରାଲିରେ ଉପସ୍ଥିତ ଥିବା ଯୁବକ ମାନେ ଏହାର ପ୍ରତିବାଦ କରିଥିବା ବେଳେ ଘଟଣା ଉଗ୍ରରୂପ ନେଇଥିଲା। କିଛି ସମୟ ପାଇଁ ଖଣ୍ଡଯୁଦ୍ଧ ଲାଗିଥିଲା ପରେ ପରିସ୍ଥିତ ଶାନ୍ତ ପଡ଼ିଥିବା ବେଳେ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଲାଗିରହିଛି ।

ଏହି ଘଟଣାକୁ ନେଇ ବାଂଶଡ଼ା ଥାନାରେ ୨ଟି ଅଭିଯୋଗ ହୋଇଥିବା ବେଳେ ଦୁଇଗୋଟି ମାମଲା ରଜୁହୋଇଛି। ପରିସ୍ଥିତିକୁ ନେଇ ଘଟଣାସ୍ଥଳରେ ପୁଲିସ ପେଟ୍ରୋଲିଂ ଜାରିରହିଛି। ସେହିପରି ଅନ୍ୟପଟେ ଗୋପୀନାଥପୁର ପଂଚାୟତ ଘଂଟେଶ୍ୱର ବଜାରରେ ମଧ୍ୟ ଆଜି ନିର୍ବାଚନୀ ହିଂସାକାଣ୍ଡ ଘଟିଛି। ଉଭୟ ବିଜେପି ଓ ବିଜେଡ଼ି ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ ରାଜନୈତିକ ହିଂସାକାଣ୍ଡ ହୋଇଥିବା ବେଳେ ଉଭୟ ଗୋଷ୍ଠୀ ଫାଣ୍ଡି ସମ୍ମୁଖରେ ମାରପିଟି ହୋଇଥିଲା। ପରିସ୍ଥିତି ଉଗ୍ରରୂପ ନେଇଥିବା ବେଳେ ଗୋପିନାଥପୁର ଓ ତୋଟାପଡ଼ା ପଂଚାୟତରେ ଉଭୟ ଦଳଙ୍କ ଅସ୍ଥାୟୀ କାର୍ଯ୍ୟାଳୟକୁ ମଧ୍ୟ ଭାଙ୍ଗିଦେଇଥିବା ଦେଖିବାକୁ ମିଳିଛି।