ରାଜନୀତିରେ ପୁଣି ଲାଗିଲା ରକ୍ତର ଛିଟା ! ସୁନ୍ଦରଗଡ଼ ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଦୁଇ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ, ୩ ସମର୍ଥକ ଆହତ ।

266

କନକ ବ୍ୟୁରୋ : ରାଜନୀତିରେ ରକ୍ତର ଛିଟା । ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପଡିବା ଆଗରୁ ସୁନ୍ଦରଗଡରେ ହୋଇଛି ରାଜନୈତିକ ଆକ୍ରମଣ । ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେସ ସିଂହଙ୍କ ୨ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ । ଗଂଜାମ ଜିଲ୍ଲା ସୋରଡାରୁ ମଧ୍ୟ ଆସିଛି ହିଂସାକାଣ୍ଡର ସମାନ ଚିତ୍ର । ପୋଷ୍ଟର ଚିରାକୁ କେନ୍ଦ୍ର କରି ଜଣଙ୍କୁ ରଡ୍ ଓ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଷ୍ଟ୍ରେଚରରେ ପଡ଼ି ରହିଥିବା ଯେଉଁ ବ୍ୟକ୍ତି ଜଣଙ୍କୁ ଆପଣ ଦେଖୁଛନ୍ତି, ସେ ହେଉଛନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥି ଯୋଗେଶ ସିଂଙ୍କ ଭାଇ । ଯିଏ ନିର୍ବାଚନୀ ହିଂସାର ଶିକାର ହୋଇ ସୁନ୍ଦରଗଡ଼ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଅଭିଯୋଗ ଅନୁସାରେ ରାଏବଗା ଗାଁରେ ଏକ ରାଜନୈତିକ ଦଳର କର୍ମୀମାନେ ଟଙ୍କା ବାଂଟୁଥିବା ଖବର ପାଇ ଯୋଗେଶ ସିଂଙ୍କ ଦୁଇ ଭାଇ ନରେଶ ପ୍ରତାପ ସିଂ ଏବଂ ରିତେଶ ସିଂ କିଛି ସମର୍ଥକଙ୍କୁ ନେଇ ଘଟଣା ସ୍ଥଳରେ ପହଂଚିଥିଲେ । କିନ୍ତୁ ଏମାନେ ପହଂଚିବା କ୍ଷଣି ଟଙ୍କା ବାଂଟୁଥିବା ବ୍ୟକ୍ତିମାନେ ମରଣାନ୍ତକ ଆକ୍ରମଣ କରିଥିଲେ ।

ସେହିପରି ଗଂଜାମ ଜିଲ୍ଲାରେ ନିର୍ବାଚନକୁ କେନ୍ଦ୍ର କରି ଦୁଇଟି ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି । ସରୋଡ଼ା ଥାନା କଦଳୀଝୋଳ ଗାଁରେ ଜଣେ ରାଜନୈତିକ କର୍ମୀଙ୍କ ମୃତ୍ୟୁ ହୋଇଛି । ଅଭିଯୋଗ ଅନୁସାରେ ପୋଷ୍ଟର ଚିରାକୁ କେନ୍ଦ୍ରକରି ତାଙ୍କୁ ରଡ୍ ଓ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି । ଅନ୍ୟପଟେ ଅଗଝୋଳ ଗାଁରେ ସଦାଶିବ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କର ହତ୍ୟା ହୋଇଛି । ଏହି ହତ୍ୟାକାଣ୍ଡ ପଛରେ ବି ରାଜନୈତିକ କାରଣ ଥିବା ନେଇ ଅଭିଯୋଗ ହୋଇଛି ।

ଏପଟେ ନିର୍ବାଚନ ସମୟରେ ହିଂସାକାଣ୍ଡ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ହାରିବା ଭୟରେ ହିଂସାର ରାସ୍ତାକୁ ଆପଣାଇଛି ବିଜେଡି । ବର୍ତମାନ ସୁଦ୍ଧା ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ କୋଣରୁ ଏଭଳି ଅନେକ ହିଂସାକାଣ୍ଡର ଖବର ଆସୁଛି । ଯାହା ଏକ ସୁସ୍ଥ ଗଣତନ୍ତ୍ରର ପରିପନ୍ଥୀ ।