ନିର୍ବାଚନ ପାଇଁ ଜମିଲା ପ୍ରଚାର । ଗାଁଠୁ ସହର ଭୋଟ ପାଇଁ କ୍ୟାମ୍ପେନିଂ କରୁଛନ୍ତି ନେତା, ଭୋଟରଙ୍କୁ ମନାଇବାକୁ ନୂଆ ରଣନୀତି ।

କର୍ମୀ ଓ ସମର୍ଥକଙ୍କ ସହ ରାଲି, ଶୋଭାଯାତ୍ରା କରି ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ନେତା ।

66

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ଜୋର ଲଗାଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନେତା । କର୍ମୀ ଓ ସମର୍ଥକଙ୍କ ସହ ରାଲି, ଶୋଭାଯାତ୍ରା କରି ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ନେତା । ଆଜି ଦିନତମାମ ସାରା ରାଜ୍ୟ ଦେଖିବାକୁ ମିଳିଥିଲା ନିର୍ବାଚନ ପ୍ରଚାର । ସୁନ୍ଦରଗଡ ଲୋକସଭା ଆସନ ପାଇଁ ପ୍ରଚାରକୁ ଯୋରଦାର କରିଛନ୍ତି ସାଂସଦ ତଥା ବିଜେପି ପ୍ରାର୍ଥୀ ଜୁଏଲ ଓରାମ । ବିଜେଡି ଛାଡି ନିକଟରେ ବିଜେପିରେ ମିଶିଥିବା କୁସୁମ ଟେଟେ ସୁନ୍ଦରଗଡ଼ ବିଧାନସଭା ପାଇଁ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ।

ସେହିପରି ବ୍ରହ୍ମପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ପଣ୍ଡାଙ୍କ କ୍ୟାମ୍ପେନିଂରେ ଦଳୀୟ ନେତା ଓ କର୍ମୀଙ୍କ ସହ ବିକ୍ରମଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ବାହାରିଛନ୍ତି ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଅନ୍ୟପଟେ ବଲାଙ୍ଗୀର ବିଜୟ ପାଇଁ ଜୋର ଲଗାଇ ଦେଇଛି ବିଜେଡି । ବଲାଙ୍ଗୀର ବିଧାନସଭା ପାଇଁ ଅର୍କେଶ ସିଂହଦେଓ ଆରମ୍ଭ କରିଛନ୍ତି ପ୍ରଚାର । ବାପା ଅନଙ୍ଗଉଦୟ ସିଂହଦେଓ ମଧ୍ୟ କର୍ମୀଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।

ଏପ୍ରିଲ ୧୧ରେ ନବରଙ୍ଗପୁରରେ ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ , ଝରିଗାଁ ଠାକୁରାଣୀ ମନ୍ଦିରରୁ ପୂଜାର୍ଚ୍ଚନା କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । କୃଷି ଓ କୃଷକ ସବୁଠୁ ଅବହେଳିତ ରହିଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ ।

ବିଜେଡିରୁ ଟିକେଟ ମିିଳିବା ପରେ ଚର୍ଚ୍ଚିକା ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି ବାଙ୍କୀ ବିଧାୟକ ପ୍ରାର୍ଥୀ ଦେବୀ ରଂଜନ ତ୍ରିପାଠୀ । କର୍ମୀଙ୍କ ଗ୍ରହଣରେ ଏକ ବାଇକ ଶୋଭାଯାତ୍ରାରେ ଆସି ସହର ପରିକ୍ରମା କରିଛନ୍ତି । ବାପା ପ୍ରଭାତ ତ୍ରିପାଠୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ଦେବୀରଂଜନ ।

ଦିଗପହଣ୍ଡି ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ ମଧ୍ୟ ଆରମ୍ଭ କରିଦେଇଛନ୍ତି କ୍ୟାମ୍ପେନିଂ । ଏହି ଆସନରେ ବିଜେଡିର ହେଭିୱେଟ୍ ନେତା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଟକ୍କର ଦେଉଛନ୍ତି ପିଙ୍କି ପ୍ରଧାନ । ପୂଜାର୍ଚନା ପରେ ଶାଶୂ ଶ୍ୱଶୁରଙ୍କ ନେଇ ସେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।

ସେପଟେ କଳାହାଣ୍ଡିରେ ପ୍ରଚାର ଆରମ୍ଭ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଭକ୍ତଚରଣ ଦାସ । ପୁଅ ସାଗର ଦାସ ମଧ୍ୟ ଭବାନୀପାଟଣା ଆସନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ସେହିଭଳି କଟକ ଲୋକସଭାର ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ଆଜି ଆଠଗଡ଼ରେ ପ୍ରଚାର କରିଛନ୍ତି । ଚା’ ଖଟିରେ ଲୋକଙ୍କୁ ଏକାଠି କରି ଭୋଟ ମାଗିଛନ୍ତି ପ୍ରକାଶ ।