ଏକଜିଟ୍ ପୋଲ ଆକଳନକୁ ମାନିବାକୁ ନାରାଜ୍ ବିରୋଧୀ । ଏନଡିଏ ଓ ୟୁପିଏ ବାଦ୍ ତୃତୀୟ ସାମୁଖ୍ୟର ସରକାର ଗଠନ ପାଇଁ ପ୍ରୟାସ

ଝୁଲା ସଂସଦ ହେଲେ କିଙ୍ଗ ମେକର ସାଜି ପାରନ୍ତି ଆଂଚଳିକ ଦଳ; ନବୀନଙ୍କ ସହ କଥା ହେଲେ ଏନ୍ସିପି ନେତା ଶରତ ପାୱାର

361

କନକ ବ୍ୟୁରୋ: ଏକଜିଟ ପୋଲ ରିପୋର୍ଟ ଅନୁସାରେ କେନ୍ଦ୍ରରେ ଏନଡିଏ ସରକାରକୁ ମିଳିବ ବହୁମତ । ଏବଂ ସରକାର ଗଠନ କରିବ ଏନଡିଏ । ଏହାସତ୍ୱେ ମଧ୍ୟ ତୃତୀୟ ସାମୁଖ୍ୟ ଗଠନ ନେଇ ବିରୋଧିମାନେ ଏକାଠି ହେଉଛନ୍ତି । ସେମାନଙ୍କ ଆକଳନ ହେଲା, କେନ୍ଦ୍ରରେ ହେବ ଝୁଲା ସରକାର । ଆଉ ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବିଜେଡି ଓ ଟିଆରଏସ ଭଳି ଆଂଚଳିକ ଦଳ । ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।

ଆସନ୍ତକାଲି ନିର୍ବାଚନ ଫଳାଫଳ ଆସିବାକୁ ଥିବା ବେଳେ ସବୁଠୁ ବଡ ପ୍ରଶ୍ନ ହେଉଛି କେନ୍ଦ୍ରରେ କିଏ ଗଠନ କରିବ ସରକାର ? କାହା ଦଖଲରେ ରହିବ କ୍ଷମତା ? ଜାତୀୟ ଗଣମାଧ୍ୟମ ଓ ଏକଜିଟ ପୋଲର ସର୍ବେକ୍ଷଣ କହୁଛି, ଏନଡିଏକୁ ୩୦୦ ରୁ ଅଧିକ ଆସନ ମିଳିପାରେ । ଆଉ କେନ୍ଦ୍ରରେ ପୁଣିଥରେ ପୂର୍ଣ୍ଣ ବହୁମତର ସରକାର ଗଠନ କରିବ ଏନଡିଏ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏକ୍ଜିଟ୍ ପୋଲର ରିପୋର୍ଟକୁ ଗ୍ରହଣ କରିପାରୁନାହାନ୍ତି ବିରୋଧି । ଏନଡିଏ, ୟୁପିଏ ଯଦି ସରକାର ଗଠନ କରିନପାରନ୍ତି ଏବଂ ଝୁଲା ସ୍ଥିତି ସୃଷ୍ଟି ହୁଏ, ତେବେ କଣ ରହିବ ତୃତୀୟ ସାମୁଖ୍ୟର ଭୂମିକା । ଏହା ଉପରେ ସମସ୍ତଙ୍କ ନଜର ଥିବା ବେଳେ ତୃତୀୟ ସାମୁଖ୍ୟ କେନ୍ଦ୍ରରେ ସରକାର କରିବା ନେଇ ଆରମ୍ଭ ହୋଇଗଲାଣି ପ୍ରମୁଖ ବିରୋଧିଙ୍କ କସରତ ।

ଏପରି ସ୍ଥିତିରେ ଝୁଲା ସରକାର ହେଲେ ମୁଖ୍ୟ ଭୂମିକା ଗ୍ରହଣ କରିବେ ଆଂଚଳିକ ଦଳ । ତେଣୁ ଏହି ଦଳଗୁଡିକ ସହିତ ଆଲୋଚନା ଆରମ୍ଭ କରିଦେଇଛନ୍ତି ଏନସିପି ନେତା ଶରଦ ପାୱାର । ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ, ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ସହିତ ଗତ ୩ଦିନ ମଧ୍ୟରେ ବିଚାର ବିମର୍ଶ କରିଛନ୍ତି ଶରଦ । ଏପରିକି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହିତ ସେ ଏ ପ୍ରସଙ୍ଗରେ କଥା ହୋଇସାରିଛନ୍ତି । ତେବେ ଗୁରୁବାର ଯଦି ଝୁଲା ସରକାରର ସମ୍ଭାବନା ତିଆରି ହୁଏ ତେବେ ଚନ୍ଦ୍ରବାବୁ ନାଇଡୁ ବିରୋଧିଙ୍କୁ ଏକାଠି କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ସରକାର ଗଠନ ପାଇଁ ଦାବି କରିପାରନ୍ତି । ଏପରି ସ୍ଥିତିରେ ବିଜେଡି ଏବଂ ଟିଆରଏସର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି । କାହିଁକି ନା ଏହି ଦସ୍ୱବଦଳର ସମର୍ଥନ ହିଁ ତିଆରି କରିବ ସରକାର ।

ତେଣୁ ଶରଦ ଓ ନବୀନଙ୍କ ଆଲୋଚନାରେ ମଧ୍ୟ ବିଜେଡି କାହାକୁ କେଉଁ ସର୍ତରେ ସମର୍ଥନ କରିବ ସେନେଇ ଆଲୋଚନା ହୋଇଥ୍ିବା ଚର୍ଚ୍ଚା ହେଉଛି । ନବୀନ ପୂର୍ବରୁ କହିସାରିଛନ୍ତି, ସମଦୂରତ୍ୱ ନୁହେଁ, ଯିଏ ଓଡିଶାର ସ୍ୱାର୍ଥ କଥା ବୁଝିବ, ବିଜେଡି ତାକୁ ହିଁ ସମର୍ଥନ ଦେବ । ସମର୍ଥନ ନେଇ ସର୍ତ ରଖି ଏକପ୍ରକାର ଗ୍ରୀନ ସିଗନାଲ ଦେଇସାରିଛନ୍ତି ନବୀନ । ତେଣୁ ଏବେ କେବଳ ଅପେକ୍ଷା ମେ ୨୩ ଫଳାଫଳକୁ ।