ଗେରୁଆ ଗଡ଼ରେ ମୋଦିଙ୍କ ଲୋକପ୍ରିୟତା ଉପରେ ଉଠିଲା ପ୍ରଶ୍ନ ! ବୁଥ ବାହୁଡ଼ା ମତ ଆସିବା ପରେ ରାଜନୀତିରେ ହଲଚଲ ।

403

କନକ ବ୍ୟୁରୋ : ୨୦୧୯ ଫାଇନାଲ ଫାଇଟ ପୂର୍ବରୁ ୫ଟି ରାଜ୍ୟରେ ହେଉଥିବା ସେମିଫାଇନାଲ ଫଳାଫଳକୁ ନେଇ ଏଗଜିଟ୍ ପୋଲ ପୁର୍ବାନୁମାନ ବିଜେପି ଶିବିରରେ ଛନକା ଭରି ଦେଇଛି । ବିଜେପି ଶାସିତ ରାଜ୍ୟରେ ସରକାର ବିରୋଧୀ ହାୱା କଂଗ୍ରେସକୁ ଫାଇଦା ଦେବ ବୋଲି ଆକଳନ କରାଯାଉଛି । ଯାହା କେନ୍ଦ୍ରରେ ମୋଦି ସରକାରଙ୍କ ଲୋକପ୍ରିୟତାର ବଡ ପରୀକ୍ଷା ହେବ । ସେହିପରି ଦେଶର ପରବର୍ତୀ ପ୍ରଧାନମନ୍ତ୍ରୀ ଭାବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗ୍ରହଣୀୟତାର ମଧ୍ୟ ପରୀକ୍ଷା ହେବାକୁ ଯାଉଛି ।

ତିନି ବିଜେପି ଶାସିତ ରାଜ୍ୟରେ କଂଗ୍ରେସ କଡା ମୁକାବିଲା ଦେବ ବୋଲି ଗତକାଲି ଏଗଜିଟ୍ ପୋଲ ସର୍ଭେ ସଂସ୍ଥାଗୁଡିକ ପୂର୍ବାନୁମାନ କରିଥିଲେ । ମଧ୍ୟପ୍ରଦେଶ ଓ ଛତିଶଗଡରେ ହେବ ନେକ ଟୁ ନେକ୍ ଫାଇଟ । ଏବଂ ରାଜସ୍ଥାନ ବିଜେପି ହାତରୁ ଚାଲିଯିବ । ଜାତୀୟ ଗଣମାଧ୍ୟମ ଗୁଡିକ ପକ୍ଷରୁ ବୁଥ ବାହୁଡା ମତକୁ ନେଇ ହୋଇଥିବା ସର୍ଭେ ଗେରୁଆ ଦଳର ଗଣିତ ବିଗାଡି ଦେବା ସମ୍ଭାବନା ରହିଛି । ହେଲେ ମଧ୍ୟପ୍ରଦେଶରେ ଚତୁର୍ଥ ଥର ଲାଗି ସରକାର ଗଢିବାର ଦମ୍ଭୋକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ନିଜକୁ ସବୁଠାରୁ ବଡ ସର୍ଭେୟର ବୋଲି ଦାବି କରିଛନ୍ତି ଶିବରାଜ ।

ସେପଟେ ରାଜସ୍ଥାନରେ କଂଗ୍ରେସ କମବ୍ୟାକ୍ କରୁଥିବା ଜାଣି ବସୁନ୍ଧରା କ୍ୟାମେରାକୁ ସାମ୍ନା କରୁନଥିବାବେଳେ କଂଗ୍ରେସ ଶିବିରରେ ଉତ୍ସାହ ଖେଳିଯାଇଛି । ଆଉ ରାହୁଲଙ୍କ ନେତୃତ୍ୱକୁ ଲୋକେ ଗ୍ରହଣ କରୁଥିବା କହିଛନ୍ତି ବରିଷ୍ଠ ନେତା ଅଶୋକ ଗେହଲଟ । ଛତିଶଗଡରେ କିନ୍ତୁ ୬୫ ପାଖାପାଖି ସିଟ୍ ବିଜେପି ପାଇବ ବୋଲି ମୁଖ୍ୟମନ୍ତ୍ରୀ ରମଣ ସିଂ ପ୍ରତିକ୍ରିୟା ଦେଇଛନ୍ତି । ତେଲେଙ୍ଗାନାରେ କେସିଆରଙ୍କ ଦଳ ଟିଆରଏସ ପୁଣି କ୍ଷମତା ଦଖଲ କରିବ କିନ୍ତୁ ମିଜୋରାମରେ କଂଗ୍ରେସ ହାତରୁ କ୍ଷମତା ଖସିଯିବା ନେଇ ସମ୍ଭାବନା ପ୍ରକାଶ ପାଇଛି । ଆଉ ଏହାରି ଭିତରେ ଦଳର ସମସ୍ତ ସାଧାରଣ ସଂପାଦକଙ୍କୁ ସାକ୍ଷାତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ପାଂଚ ରାଜ୍ୟରେ ବିଜେପିର ପ୍ରଦର୍ଶନ ନେଇ ଶାହା ସମୀକ୍ଷା କରୁଥିବା ଅନୁମାନ କରାଯାଉଛି । ଏବେ ଅପେକ୍ଷା – ୧୧ ତାରିଖ ମତଗଣନାକୁ ।