ଚୌଦାର କଲେଜରେ ଅଚାନକ ପହଞ୍ଚିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ! ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ, ଅଧ୍ୟାପକଙ୍କ ଉପସ୍ଥାନ ଯାଞ୍ଚ କଲେ ।

1,945

କନକ ବ୍ୟୁରୋ : ଆକ୍ସନ ମୋଡରେ ଉଚ୍ଚଶିକ୍ଷା ମନ୍ତ୍ରୀ । ଅଚାନକ କଲେଜ ପରିଦର୍ଶନ କଲେ ଅରୁଣ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଅଚାନକ ଚୌଦାର କଲେଜ ପରିଦର୍ଶନ କରିଛନ୍ତି । କଲେଜରେ ପାଠପଢା ଚାଲିଥିବା ସମୟରେ ହଠାତ ପହଞ୍ଚିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ପରିଦର୍ଶନ ସମୟରେ ମନ୍ତ୍ରୀ ଅରୁଣ ସାହୁ ବିଭିନ୍ନ ଶ୍ରେଣୀଗୃହ ବୁଲି ଦେଖିଥିଲେ । ସେହିପରି ଅଧ୍ୟାପକମାନେ ପ୍ରତିଦିନ୍ କଲେଜ ଆସୁଛନ୍ତି କି ନାହିଁ ସେନେଇ, ଅଧ୍ୟାପକ ଏବଂ ଅଧ୍ୟାପିକାମାନଙ୍କ ଉପସ୍ଥାନ ମଧ୍ୟ ଯାଞ୍ଚ କରିଥିଲେ ।

ଅନ୍ୟପଟେ ଶ୍ରେଣୀଗୃହ ପରିଦର୍ଶନ କରିବା ସମୟରେ ଛାତ୍ରଛାତ୍ରୀମାନଙ୍କର ଅଳ୍ପସଂଖ୍ୟକ ଉପସ୍ଥାନ ଦେଖି ମନ୍ତ୍ରୀ ଅରୁଣ ସାହୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଅଧ୍ୟାପକମାନେ ଅଭିଭାବକମାନଙ୍କୁ ପତ୍ର ଲେଖି ଏବଂ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କ ଶ୍ରେଣୀଗୃହରେ ଉପସ୍ଥାନ ବୃଦ୍ଧି ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ସମୟରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟ ମନ୍ତ୍ରୀ ଆଲୋଚନା କରିଥିଲେ । ତେବେ ଚୌଦାର କଲେଜକୁ ମନ୍ତ୍ରୀଙ୍କ ଏଭଳି ଅଚାନକ ପରିଦର୍ଶନ ହୁଏତ ଅନ୍ୟ ମହାବିଦ୍ୟାଳୟ ଗୁଡିକ ପାଇଁ ଏକ ସତର୍କ ବାର୍ତା ବୋଲି କୁହାଯାଉଛି ।

ପଞ୍ଚମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆକ୍ସନ ମୋଡକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ କୁହାଯାଉଛି, ନୂଆ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ନେତାଙ୍କୁ ସ୍କାନରରେ ରଖିଛନ୍ତି ନବୀନ । ପ୍ରତି ମନ୍ତ୍ରୀଙ୍କ ଉପରେ ନିଜେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ପୁରା ମାସରେ କ’ଣ କାମ କରିଛନ୍ତି ସେନେଇ, ପ୍ରତ୍ୟେକ ମାସ ୭ ତାରିଖରେ ମନ୍ତ୍ରୀ ମାନେ ନିଜ ବିଭାଗର ରିପୋର୍ଟ କାର୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆଉ ନିର୍ଦ୍ଦେଶକୁ ପାଳନ ମନ୍ତ୍ରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଦୁଇ ଥର ମାସିକିଆ ରିପୋର୍ଟ ପ୍ରଦାନ କରିଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କ ଏଭଳି ତାଗିଦ ପରେ, ମନ୍ତ୍ରୀମାନେ ନିଜର ଶ୍ରେଷ୍ଠ ଉଦ୍ୟମ ଜାରି ରଖିଥିବା କୁହାଯାଉଛି ।