ବଢୁଛି ଅଭିବୃଦ୍ଧି, କମୁନି ବେକାରୀ । ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ରାଜ୍ୟର ବେକାରୀ ହାର ଦେଶ ଠାରୁ ଅଧିକ ।

2,173

କନକ ବ୍ୟୁରୋ: ୨୦୧୮-୧୯ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି ଓଡ଼ିଶା ସରକାର । ସେଥିରେ ରାଜ୍ୟର ଅର୍ଥନୈତିକ ସ୍ୱାସ୍ଥ୍ୟର ବିବରଣୀ ଦିଆଯାଇଛି । ରାଜ୍ୟର ଅଭିବୃଦ୍ଧି ହାର ୮.୪ ପ୍ରତିଶତ ହେବା ଆକଳନ କରିଛନ୍ତି ସରକାର । ଯାହା ଦେଶର ଅଭିବୃଦ୍ଧି ଠାରୁ ଅଧିକ । ତେବେ ଏହି ସର୍ଭେ କହୁଛି, ରାଜ୍ୟର ବେକାରୀ ହାର ଦେଶର ବେକାରୀ ହାର ଠାରୁ ଅଧିକ । ଯାହା ଚିନ୍ତାଜନକ ହୋଇଛି ।

ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏପରି କିଛି ତଥ୍ୟ ଆସିଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଅଭିବୃଦ୍ଧି ହାର ବଢ଼ୁଛି, ତେବେ ବେକାରୀ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଦେଶରେ ବେକାରୀ ହାର ୪୫ ବର୍ଷର ରେକର୍ଡ ଭାଙ୍ଗିବା ଚିନ୍ତାଜନକ ହୋଇଥିବା ବେଳେ ଓଡ଼ିଶାର ବେକାରୀ ତା’ଠାରୁ ବଢ଼ିଯାଇଛି । ୨୦୧୭-୧୮ରେ ଜାତୀୟ ସ୍ତରରେ ବେକାରୀ ହାର ୬.୧ ପ୍ରତିଶତ ଥିବା ବେଳେ ଓଡ଼ିଶାର ବେକାରୀ ହାର ପହଁଚିଛି ୭.୧ ପ୍ରତିଶତ । ସର୍ଭେ ରିପୋର୍ଟ କହୁଛି, ଗ୍ରାମଂଚଳ ଠାରୁ ସହରାଂଚଳରେ ବେକାରୀ ଅଧିକ ବଢିଛି । ଗ୍ରାମାଂଚଳରେ ବେକାରୀ ହାର ୬.୯ ପ୍ରତିଶତ ଥିବାବେଳେ ସହରାଂଚଳରେ ବେକାରୀ ହାର ହେଉଛି ୮.୪ ପ୍ରତିଶତ । ସେହିପରି ଶ୍ରମଶକ୍ତି ବିନିଯୋଗ ହାରରେ ମଧ୍ୟ ଜାତୀୟ ତୁଳନାରେ ପଛରେ ପଡ଼ିଛି ଓଡ଼ିଶା ।

ସରକାର ଆକଳନ କରିଛନ୍ତି, ୨୦୧୮-୧୯ରେ ୮.୪ ପ୍ରତିଶତ ହାରରେ ବଢୁଛି ରାଜ୍ୟର ଅର୍ଥନୀତି । ଜାତୀୟ ହାର ତୁଳନାରେ ରାଜ୍ୟର ଜିଡିପି କ୍ରମାଗତ ଅଧିକ ରହିଛି । ୨୦୧୮-୧୯ରେ ରାଜ୍ୟର ମୋଟ ଘରୋଇ ଉତ୍ପାଦନରେ ସେବା କ୍ଷେତ୍ରର ଅବଦାନ ହେଉଛି ୪୧.୬ ପ୍ରତିଶତ, ଶିଳ୍ପ କ୍ଷେତ୍ରର ଅବଦାନ ୩୯.୫ ପ୍ରତିଶତ ଆକଳନ ହୋଇଥିବା ବେଳେ କୃଷି କ୍ଷେତ୍ରର ଅବଦାନ ହେଉଛି ୧୮.୯ ପ୍ରତିଶତ । ୨୦୧୭-୧୮ ଆର୍ଥିକ ବର୍ଷରେ ମରୁଡି ଓ ରୋଗପୋକ ଯୋଗୁଁ କୃଷି ଉତ୍ପାଦନ ୮.୨ ପ୍ରତିଶତ ହ୍ରାସ ପାଇଥିଲା । ତେବେ ୨୦୧୮-୧୯ରେ ଅଭିବୃଦ୍ଧି ହାର ୮.୩ ପ୍ରତିଶତରେ ପହଁଚିବା ଆକଳନ କରିଛନ୍ତି ସରକାର ।

ମୁଣ୍ଡପିଛା ଆୟ କ୍ଷେତ୍ରରେ ୧୬ତମ ସ୍ଥାନରେ ରହିଛି ଓଡ଼ିଶା । ୧୯୯୬-୯୭ରେ ଦେଶର ମୁଣ୍ଡପିଛା ଆୟ ତାଲିକାରେ ୨୫ ତମ ସ୍ଥାନରେ ରହିଥିବା ବେଳେ ୨୦୧୬-୧୭ରେ ଏଥିରେ ଉନ୍ନତି ଘଟିଛି ।