ମାଡି ଆସୁଛି ମାନ୍ଦାବସ୍ଥା: ହ୍ରାସ ପାଉଛି ପୁରୁଷ ଅନ୍ତଃବସ୍ତ୍ର, କେଶତେଲ ଓ ବାଇକ୍ ବିକ୍ରି

2,154

କନକ ବୁରୋ: ମାଡି ଆସୁଛି ମାନ୍ଦାବସ୍ଥା । ଅର୍ଥନୀତିରେ ମାନ୍ଦାବସ୍ଥା ଚିନ୍ତାର କାରଣ ପାଲଟିଛି । ମାନ୍ଦାବସ୍ଥା ଏମିତି ହୋଇଛି ଯେ ପୁରୁଷମାନେ ପରିଧାନ କରୁଥିବା ଇନରୱେୟାର ବିକ୍ରି କମିଯାଇଛି । ଏହି ଥିରୁ ହିଁ ସ୍ଥିତି କେତେ ଗମ୍ଭୀର ତାହା ଜଣାଉଛି । ତେବେ ଆମେରିକାର ଫେଡେରାଲ ବ୍ୟୁରୋର ପୂର୍ବତନ ମୁଖ୍ୟ ଆଲାନ୍ ଗ୍ରିନ୍ସ୍ପାନ୍ଙ୍କ ମେନ୍ସ ଇନରଓୟାର ଇଣ୍ଡେକ୍ସ ଅନୁସାରେ ଏହା ହେଉଛି ମାନ୍ଦାବସ୍ଥାର ସଂକେତ । କେବଳ ଇନରଗାର୍ମେଂଟ ନୁହେଁ କେଶ ତେଲ, ସାବୁନ ଠାରୁ ଆରମ୍ଭ କରି ଏଫଏମସିଜି ଓ ବାଇକ ଓ ଫୋର ହ୍ୱିଇଲର ବିକ୍ରି ବି ସାଂଘାତିକ ଭାବେ ହ୍ରାସ ପାଇଛି ।

ହଠାତ ଭାରତୀୟମାନେ ଖର୍ଚ୍ଚ କମାଇ ଦେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ସୌଖୀନ ସାମଗ୍ରୀ କିଣିବା ପାଇଁ ପକେଟରୁ ଟଙ୍କା ବାହାର କରୁନାହାନ୍ତି । ଏହିସବୁ ଉତ୍ପାଦ କରୁଥିବା କଂପାନୀଗୁଡିକର ବିକ୍ରି ହ୍ରାସ ପାଇବା ଯୋଗୁଁ ଦୁର୍ବଳ ହୋଇଯାଇଛି ସ୍ଥିତି । ଦେଶର ସବୁଠୁ ବଡ଼ ବାଇକ ନିର୍ମାତା ହିରୋ-ମୋଟୋକର୍ପ ଏହାର କାରଖାନାକୁ ତିନି ଦିନ ଧରି ବନ୍ଦ କରିଛି । ସେପଟେ ଛଟେଇ ଆରମ୍ଭ କରି ଦେଇଛନ୍ତି ଅନେକ ଅଟୋ ମୋବାଇଲ୍ କଂପାନୀ ।

ଅଟୋ ମୋବାଇଲ ଓ ରିଅଲ ଇଷ୍ଟେଟ୍ ବଜାରରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ମାନ୍ଦାବସ୍ଥା ଲାଗିଥିବା କ୍ଷେତ୍ରରେ ଖୁବଶୀଘ୍ର ବଡ଼ ଧରଣର ପ୍ୟାକେଜ୍ ଘୋଷଣା ମଧ୍ୟ କରିପାରନ୍ତି କେନ୍ଦ୍ର ସରକାର । ୨୦୧୯ ବଜେଟରେ ଶିଳ୍ପପତି ଓ ଧନୀକ ଶ୍ରେଣୀଙ୍କ ଉପରେ ବିଭିନ୍ନ ଟିକସ ଓ ସରଚାର୍ଜ ଲାଗୁ କରିବା ପରେ ସେମାନଙ୍କ ମଧ୍ୟରେ ନକରାତ୍ମକ ପ୍ରଭାବ ପଡ଼ିଛି । ସେହିପରି ବିଭିନ୍ନ କ୍ଷେତ୍ରରେ ଜିଏସଟି ହାର ଅଧିକ ହୋଇଥିବାରୁ ଏହା ମଧ୍ୟ ବଜାରରେ ଉତ୍ସାହ କମାଇଦେଇଛି ।

ଶିଳ୍ପପତିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସଂପତି ସୃଷ୍ଟିକାରୀଙ୍କୁ ସମ୍ମାନ ଦେବାକୁ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ସଂପତି ସୃଷ୍ଟିକାରୀ ହିଁ ଦେଶର ସଂପତିର ଅଭିବୃଦ୍ଧି କରିଥାନ୍ତି । ଏହାକୁ ସ୍ୱାଗତ ଜଣାଇବା ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟ୍ୱିଟ୍ କରି କଟାକ୍ଷ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ।