ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଆଶଙ୍କା ! ମୁତୟନ ରହିବେ ୨୦୦ କମ୍ପାନି କେନ୍ଦ୍ରୀୟ ଫୋର୍ସ ।

516

କନକ ବ୍ୟୁରୋ : ଶେଷ ହୋଇଛି ୧୯ ଯୁଦ୍ଧର ଲଢେଇ ଆଉ ଅପେକ୍ଷା ରହିଛି ଫଳାଫଳକୁ । ଆଉ ଏହାରି ଭିତରେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ହେବାର ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଶେଷ ହେବା ସତ୍ତ୍ୱେ ପଶ୍ଚିମବଙ୍ଗରେ ଥିବା କେନ୍ଦ୍ରୀୟ ସୁରକ୍ଷା ବାହିନୀ ଆଉ କିଛି ଦିନ ମୃତୟନ ରହିବେ । ନିର୍ବାଚନ ପର ହିଂସାକୁ ରୋକିବା ପାଇଁ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ପୁଲିସ ଅବଜରଭର ବିବେକ ଦୁବେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ରାଜ୍ୟରେ ୭୨୦ କମ୍ପାନି କେନ୍ଦ୍ରୀୟ ଫୋର୍ସ ନିର୍ବାଚନ ଡ୍ୟୁଟିରେ ମୃତୟନ ଥିଲେ । ନିର୍ବାଚନ ପରେ ପ୍ରାୟ ୫୨୦ କମ୍ପାନି ଫୋର୍ସ ଫେରିଯିବେ ଓ ଅବଶିଷ୍ଟ ୨୦୦ କମ୍ପାନି ରାଜ୍ୟରେ ରହିବେ । ଭୋଟ ଗଣତିକେନ୍ଦ୍ର ଗୁଡ଼ିକର ସୁରକ୍ଷା ଓ ସମ୍ଭାବ୍ୟ ନିର୍ବାଚନ ପର ହିଂସାକୁ ରୋକିବା ପାଇଁ ସେମାନଙ୍କୁ ରଖାଯିବ । ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଯେଉଁଭଳି ଭାବେ ହିଂସାର ଅନେକ ଚିତ୍ର ଦେଖିବାକୁ ମିଳିଥିଲା, ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ ।