ଅନୁଗୁଳ ଓ ତାଳଚେରକୁ ମାଡି ଆସୁଛି ବିପଦ! ଖାଲି ହେଉଛି ମାଟି ତଳ, ଗାତ ଭରୁ ନାହାନ୍ତି କୋଇଲା ଖଣି କର୍ତ୍ତୃପକ୍ଷ । ଭୟଙ୍କର ଭୂମିକମ୍ପର ଆଶଙ୍କା କଲା ଭୂତତ୍ୱ ବିଜ୍ଞାନ ।

1,494

କନକ ବ୍ୟୁରୋ : ଅନୁଗୁଳ ଓ ତାଳଚେରକୁ ମାଡି ଆସୁଛି ବିପଦ ! ଖାଲି ହେଉଛି ମାଟି ତଳ । ଗାତ ଭରୁ ନାହାନ୍ତି କୋଇଲା ଖଣି କର୍ତ୍ତୃପକ୍ଷ, ବିପଦରେ ଜନଜୀବନ । ଅନୁଗୁଳ ଓ ତାଳଚେରରେ ୧୧ରୁ ଅଧିକ କୋଇଲା ଖଣି ଓ ନାଲକୋ, ଏନଟିପିସି, ଟିଟିପିଏସ୍ ଭଳି ରାଷ୍ଟ୍ରାୟତ ଉଦ୍ୟେଗ ରହିଛି । ମାଟି ତଳୁ ଟନ୍ ଟନ୍ କୋଇଲା ଖୋଳି ନେଉଛନ୍ତି ଏହି ସବୁ କମ୍ପାନୀ ।

ତାଳଚେରରେ ଥିବା ଦେଉଳବେଡା, ଚମ୍ପାପସି, ଡେରା କୋଲିୟାରୀ, ହାଣ୍ଡିଧୂଆଁ, ନନ୍ଦିରା ଭୂତଳ ଖଣିର କୋଇଲା କମ୍ପାନୀକୁ ଦେଇ କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି ଉଭୟ-କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ସର୍ତ ମୁକାବକ କୋଇଲା ଖଣିରେ ସୃଷ୍ଟି ହେଉଥିବା ଗର୍ତ ଓ ସୁଡଙ୍ଗକୁ ବାଲି ଓ ମାଟି ପକାଇ ପୋତୁ ନାହାନ୍ତି ସମ୍ପୃକ୍ତ କମ୍ପାନୀ । ଫଳରେ ଖାଲି ହେଉଛି ଅନୁଗୁଳ ଓ ତାଳଚେରର ମାଟି ତଳ । ଆଉ ଭୂମିକମ୍ପ ଆଶଙ୍କାରେ ଜୀବନ ବିତାଉଛନ୍ତି ସ୍ଥାନୀୟ ଲୋକେ । ଏହାସହ ଖଣି ଦ୍ୱାରା ତିଆରି ହେଉଥିବା ଡମ୍ପିଂୟାର୍ଡ ଯୋଗୁଁ ଖଣି ଅଂଚଳରେ ବୃକ୍ଷରୋପଣ ସମ୍ଭବ ହୋଇପାରୁନାହିଁ, ଫଳରେ ଭୂମିକମ୍ପର ଆଶଙ୍କା କରୁଛନ୍ତି ବିଶେଷଜ୍ଞ ।

ବିଭିନ୍ନ ସମୟରେ ତାଳଚେରରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି
୧. ୫/୧୨/୨୦୧୮ରେ ତାଳଚେର ଥାନା ସମୁଖରେ ଥିବା ରବି ନାରାୟଣ ବାଇଙ୍କ ଘର ବାରଣ୍ଡା ହଠାତ୍ ଫାଟି ଆଁ କରିଥିଲା ।
୨. ୨୪/୭/୨୦୧୯ରେ ଭରତପୁର କୋଇଲା ଖଣିରେ ମାଟି ଅତଡା ଧସି ୫ଟି ଟ୍ରକ ମାଟିତଳେ ପୋତି ହୋଇଯାଇଥିଲା ।
୩. ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତି ଯାଇଥିଲେ ୧୨ ଜଣ କର୍ମଚାରୀ ।
୪. ୨୪/୮/୨୦୧୯ରେ ରେମୁଆଁ ବାବୁଲାଲ କଲୋନୀରେ ଜଣଙ୍କ କୂଅ ଦବି ଯାଇଥିଲା ।
୫. ୧୯୮୪ ମସିହାରୁ ନବମିଶ୍ର କଲୋନୀ, ବାବୁଲାଲ କଲୋନୀ. ସାଇମନ୍ଦିର, ହାଣ୍ଡିଧୂଆଁ, ଡେରା ଭଳି ଅନେକ ସ୍ଥାନରେ ମାଟି ଦବି ଘଟଣା ସାମ୍ନାକୁ ଆସୁଛି ।

ଅନୁଗୁଳ ଓ ତାଳଚେର ସହରର ଅବସ୍ଥିତି ଚଳନଶିଳା ଉପରେ ଅବସ୍ଥିତ । ତେଣୁ ଏହା ଭୂକମ୍ପ ପ୍ରବଣ ଅଂଚଳ ବୋଲି ହୃଦୟଙ୍ଗମ କରି କେନ୍ଦ୍ର ସରକାରଙ୍କ ବିପର୍ଯ୍ୟୟ ପ୍ରସମନ ବିଭାଗ ପକ୍ଷରୁ ୨୦୧୦ ମସିହାରେ ଏକ ସିଟି ଡିଜାଷ୍ଟର ମ୍ୟାନେଜମେଂଟ କାର୍ଯ୍ୟାଳୟ କରାଯାଇଥିଲା । ୨୦୧୫ ଯାଏଁ ଏହି ଅଫିସରେ ନିଯୁକ୍ତି ପାଇଥିବା ଅଧିକାରୀ ଭୂ-କମ୍ପରୁ ବର୍ତିବା ନେଇ ସଚେତନତା ସୃଷ୍ଟି କରୁଥିଲେ । ସେପଟେ ଏନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ଖଣି କର୍ତ୍ତୃପକ୍ଷକୁ ତାଗିଦ୍ କରିଥିବା କହିଛନ୍ତି ତାଳଚେର ଉପଜିଲ୍ଲାପାଳ ।