ପ୍ରଦୂଷଣ ମୁକ୍ତ ଓଡିଶା ପାଇଁ ଓଡିଆ ପୁଅର ସଂକଳ୍ପ: ନିଜ ମାଟିରେ ତିଆରେ କଲେ ଇ-ବାଇକ୍ । ୩ ଘଣ୍ଟା ଚାର୍ଜ କଲେ ଗଡିବ ୮୦ କିଲୋମିଟର

601

କନକ ବ୍ୟୁରୋ: କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ସେହି ଇଚ୍ଛା ସ୍ୱପ୍ନ ପୂରଣ କରିବାକୁ ପ୍ରେରଣା ଯୋଗାଏ, ସଫଳତାର ସିଢିରେ ଚଢାଏ । ନିଜ ଜେଜେ ଓ ବାପାଙ୍କ ପ୍ରେରଣା ସାଙ୍ଗକୁ କିଛି ନୂଆ କରିବାର ସ୍ୱପ୍ନ ନେଇ ଓଡିଶାରେ ଏବେ ଇଲେକ୍ଟ୍ରୋନିକ୍ସ ଗାଡି ଉତ୍ପାଦନ କରୁଛନ୍ତି ୨୨ ବର୍ଷୀୟ ଯୁବକ । ଆମେ କହୁଛୁ ହର୍ଷ ବର୍ଦ୍ଧନଙ୍କ କଥା । ହର୍ଷ ଏବେ ଓଡିଶାରେ ‘ଇଭି’ ନାମରେ ଇଲେକ୍ଟ୍ରୋନିକ୍ସ ଗାଡି ପ୍ରସ୍ତୁତ କରୁଛନ୍ତି ।

କାହିଁକି ଇ-ବାଇକ ପାଇଁ ଇଚ୍ଛା କଲେ ହର୍ଷ ?

କିଛି ନୂଆ କରିବାର ଇଚ୍ଛା ନେଇ ହର୍ଷ ଯେତେବେଳେ ବ୍ୟବସାୟ ସାମ୍ରାଜ୍ୟରେ ପାଦ ଥାପିଥିଲେ ସେତେବେଳେ ସେ ଦେଖିଥିଲେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢିବା ସହ ପେଟ୍ରୋଲର ମୂଲ୍ୟ ମଧ୍ୟ କ୍ରମାଗତ ବୃଦ୍ଧି ଘଟୁଛି । ତେଣୁ ଲୋକଙ୍କୁ ଭିନ୍ନ କିଛି ଦେବା ସହ ପରିବେଶକୁ ସୁରକ୍ଷା କରିବାର ସଂକଳ୍ପ ନେଇ ଇ-ଯାନ ବା ଇଲେକ୍ଟ୍ରୋନିକ୍ସ ଗାଡି ପ୍ରସ୍ତୁତିର କଥା ମୁଣ୍ଡକୁ ଆସିଥିଲା । ବର୍ଷେ ତଳେ ଦେଶ ବିଦେଶର ବିଭିନ୍ନ ସ୍ଥାନ ବୁଲି କିଭଳି ଇଲେକ୍ଟ୍ରୋନିକ୍ସ ଗାଡି ଓଡ଼ିଶାରେ ନିର୍ମାଣ କରାଯାଇପାରିବ ସେ ନେଇ ବିଶେଷଜ୍ଞଙ୍କ ସହ ହର୍ଷ ଆଲୋଚନା କରିଥିଲେ ।

ଏହାପରେ ଯାଜପୁରର ବଡଚଣାରେ ‘ଇଭି’ ଏହାର ପ୍ଲାଣ୍ଟ ସ୍ଥାପନ କରିଥିଲା । ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ଏ ଯାଏଁ ୩୫ଟି ଡିଲର ପଏଣ୍ଟ କରାଯାଇଥିବାବେଳେ ମାର୍ଚ୍ଚ ସୁଦ୍ଧା ୨୫୦ଟି ଡିଲର ପଏଣ୍ଟ କରାଯିବାର ଯୋଜନା ରହିଛି ।

ସାଇ ଇଣ୍ଟରନ୍ୟାଶନାଲ ସ୍କୁଲରେ ଦ୍ୱାଦଶ ଯାଏଁ ଶିକ୍ଷା ସମାପ୍ତ ପରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ବାଣିଜ୍ୟ ପଢିଥିଲେ ହର୍ଷ । ଏହାପରେ ଚାଟାର୍ଡ ଆକାଉଣ୍ଟାଣ୍ଟ ପଢୁଥିବାବେଳେ ଇ-ଯାନ କିଭଳି ଲୋକଙ୍କୁ ଦେଇପାରିବେ ସେହି ପ୍ରୟାସ ଆରମ୍ଭ କରିଥିଲେ ।

ହର୍ଷଙ୍କ କହିବା କଥା ଯେ ସେ ଓଡ଼ିଶାରେ ଜନ୍ମ ହୋଇଛନ୍ତି ଓ ବଢିଛନ୍ତି । ନିଜ ଜନ୍ମମାଟି ପାଇଁ ଥିବା ଭଲପାଇବା ତାଙ୍କୁ ଉତ୍ସାହ ଦେଇଥିଲା ଓଡିଶାରେ ହିଁ ନିଜ କମ୍ପାନୀ ଆରମ୍ଭ କରିବେ । ସେହିପରି ଓଡିଶାରେ ହେଉଥିବା ବାତ୍ୟା ଗ୍ଲୋବାଲ ୱାର୍ମିଙ୍ଗ ବା ବିଶ୍ୱ ତାପମାନ ବୃଦ୍ଧି ପାଇଁ ହେଉଥିବାର ହର୍ଷ ଅନୁଭବ କରନ୍ତି । ଏହି ଗ୍ଲୋବାଲ ୱାର୍ମିଙ୍ଗ ପଛରେ ପ୍ରଦୂଷଣର ଏକ ବଡ ଭୂମିକା ରହୁଛି । କିନ୍ତୁ ଇଲେକ୍ଟ୍ରୋନିକ୍ସ ଗାଡି ଦ୍ୱାରା ପ୍ରଦୂଷଣ ହେବାର କୌଣସି ଆଶଙ୍କା ନଥିବାରୁ ଏହି ଗାଡି ଓଡିଶାରେ କିଭଳି ଅଧିକ ଚାଲିପାରିବ ସେଥି ପ୍ରତି ଦୃଷ୍ଟି ଦେଇଛନ୍ତି ।

ଅନ୍ୟପଟେ ଏହି ଗାଡ଼ିରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ପାଇଁ ଲମ୍ବା ଗହଳି ଅପେକ୍ଷା, ଘରେ ୩ ଘଣ୍ଟା ଚାର୍ଜ କରି ୮୦ରୁ ୯୦ କିଲୋମିଟର ଯାଏଁ ଯାତ୍ରା କରିପାରିବେ । ସେହିପରି ଶବ୍ଦ ପ୍ରଦୂଷଣକୁ କିଭଳି କମାଯାଇପାରିବ ସେଥିପାଇଁ ମଧ୍ୟ ହର୍ଷ ଦୃଷ୍ଟି ଦେଇଛନ୍ତି ।

ଓଡିଶାରେ ତାଙ୍କ ଗାଡି ପ୍ରତି ଲୋକଙ୍କ କେତେ ଉତ୍ସାହ ରହିଛି ପ୍ରଶ୍ନରେ ସେ କହିଛନ୍ତି ଯେ ଲୋକଙ୍କ ଜୀବନଶୈଳୀକୁ ବଦଳାଇବାକୁ ଏଭଳି ପ୍ରୟାସ କରାଯାଇଛି । ଓଡ଼ିଶାରେ ଇ-ଯାନ ପ୍ରତି ଧୀରେ ଧୀରେ ଓଡ଼ିଆ ଲୋକଙ୍କ ଆଗ୍ରହ ବଢୁଛି । ଯେଉଁମାନେ ବି ଇଲେକ୍ଟ୍ରୋନିକ୍ସ ଗାଡି ନେଉଛନ୍ତି ସେମାନେ ସ୍ୱତଃ ଅନ୍ୟ ଲୋକଙ୍କୁ ନେବାକୁ କହୁଛନ୍ତି ।

“ମୋ ଟିମରେ ଯେଉଁମାନେ ଅଛନ୍ତି ସମସ୍ତେ ଓଡ଼ିଆ ଯୁବକ ଓ ଯୁବତୀ । ସମସ୍ତଙ୍କ ବୟସ ୨୪ରୁ ୨୫ ବର୍ଷ ହୋଇଥିବାବେଳେ ବର୍ତ୍ତମାନ ଯୁବପିଢ଼ି ଯାହାର କିଛି ନୂଆ କରି ଦେଖାଇବାର ଇଚ୍ଛା ଶକ୍ତି ଅଛି ସେମାନଙ୍କୁ ମୁଁ ସ୍ୱାଗତ କରୁଛି । ଆସନ୍ତୁ ମୋ କମ୍ପାନୀରେ ଯୋଗ ଦିଅନ୍ତୁ । ସେମାନଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିବି ଆସନ୍ତୁ ଏଭଳି ଏକ ପ୍ରଦୂଷଣ ମୁକ୍ତ ବିପ୍ଳବରେ ମୋତେ ସାହାଯ୍ୟ କରନ୍ତୁ ।”

ବୁଲେଟ ଟ୍ରେନ ବିଦ୍ୟୁତରେ ଚାଲୁଛି, ଇଲେକ୍ଟ୍ରିକ ବାଇକର କିଭଳି ବେଗ କିଭଳି ବଢିବ ସେଥିପାଇଁ ଆସିବାକୁ ଥିବା ମଡେଲରେ ଦୃଷ୍ଟି ଦିଆଯାଇଛି । ଏହି ଗାଡିର ବେଗ ୧୦୦ରୁ ୧୨୦ କିଲୋମିଟର ରହିବ । ହର୍ଷଙ୍କ ଜେଜେବାପା ଇଂରେଜ ସମୟରେ ବିଦେଶରୁ ଗାଡି ଆଣି ପୂର୍ବ ଭାରତରେ ବିକ୍ରି କରୁଥିଲେ । ଏହା ପରେ ତାଙ୍କ ପରବର୍ତ୍ତୀ ପିଢ଼ି ଓଡ଼ିଶାରେ ‘ଭାରତ ମୋଟର୍ସ’ ସ୍ଥାପନ କରି ବିଭିନ୍ନ କମ୍ପାନୀର ଗାଡି ବ୍ୟବସାୟ କରୁଥିଲେ ।

ତେବେ ହର୍ଷଙ୍କ ପାଇଁ ବି ବିଦେଶ ଯାଇ ସେଠାରେ କିଛି କରିବାର ଭରପୁର ସୁଯୋଗ ଥିଲା । କିନ୍ତୁ ଓଡ଼ିଶାର ଲୋକଙ୍କ ଜୀବନକୁ କିଭଳି ସହଜ ଓ ସୁନ୍ଦର କରିହେବ ସେଥିପାଇଁ ବାହାରକୁ ଯିବାକୁ ଇଚ୍ଛା ହେଲାନି ବୋଲି ସେ କହିଛନ୍ତି । ଏଠାକାର ଲୋକଙ୍କ ସହ ରହିକି ହିଁ ପ୍ରଦୂଷଣ ମୁକ୍ତ ଓଡିଶାର ସ୍ବପ୍ନ ଦେଖୁଛନ୍ତି ଏହି ଯୁବ ଉଦ୍ୟୋଗୀ ।