ପୁଣି ଥରେ ଟ୍ରାକରେ ଚମକିଲେ ଦୂତୀ : ଦୋହାର ଏସୀୟ ଆଥଲେଟିକ ଚାମ୍ପିଅନସିପରେ ଜିତିଲେ କାଂସ୍ୟ

73

କନକ ବ୍ୟୁରୋ : ପୁଣି ଥରେ ଟ୍ରାକରେ ଚମକିଛନ୍ତି ଓଡିଆ ସ୍ପ୍ରିଂଟର ଦୂତୀ ଚାନ୍ଦ । ଦୋହାରେ ଚାଲିଥିବା ଏସୀୟ ଆଥଲେଟିକ ଚାମ୍ପିଅନସିପରେ ୨୦୦ ମିଟରରେ ଦୂତୀଙ୍କୁ ମିଳିଛି କାଂସ୍ୟ ପଦକ । ତେବେ ୨୦୦ ମିଟର ଅତିକ୍ରମ କରିବାକୁ ସେ ୨୩.୨୪ ସେକେଣ୍ଡ ସମୟ ନେଇଥିଲେ । ପୂର୍ବରୁ ୧୦୦ ମିଟର ଦୌଡରେ ଦୂତୀଙ୍କୁ ସଫଳତା ମିଳିପାରିନଥିଲା । ତେବେ ୨୦୦ ମିଟର ଦୌଡରେ ରାଜ୍ୟ ପାଇଁ ଗର୍ବ ଆଣିବାରେ ସଫଳ ହୋଇଛନ୍ତି ଦୂତୀ । ୨୦୦ ମିଟର ସଫଳତା ପରେ ଦୂତୀ କହିଛନ୍ତି ଏହି ପ୍ରଦର୍ଶନରେ ମୁଁ ଖୁସି, ଏହା ମୋ ପାଇଁ ବଡ ଗେମ ଥିଲା । କୌଣସି ପ୍ରକାରେ ୨୦୦ ମିଟରରେ ମେଡାଲ ନେବାର ଥିଲା । ଏଥିରେ ସଫଳ ହୋଇଛନ୍ତି ଦୂତୀ । ଏହି ପ୍ରତିଯୋଗୀତାରେ ବାହାରିନର ସାଲୱା ନାସେର ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ଜିତିିଛନ୍ତି ।

ଦୂତିଙ୍କର ଏହା ଲଗାତାର ତୃତୀୟ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ପଦକ। ଗତବର୍ଷ ଭୁବନେଶ୍ବରରେ ଆୟୋଜିତ ୨୨ତମ ଏସୀୟ ଦୌଡ଼କୁଦର ୧୦୦ ମିଟର ସହ ୪ ଗୁଣା ୧୦୦ ରିଲେରେ ଦୂତି କାଂସ୍ୟ ପଦକ ପାଇଥିଲେ। ଦୋହାରେ ଦ୍ରୁତତମ ଧାବିକା ଭାବେ ଫାଇନାଲରେ ପ୍ରବେଶ କରିଥିବା ବାହାରିନର ସାଲୱା ନାସେର (୨୨.୭୪ ସେକେଣ୍ଡ) ନୂଆ ଚାମ୍ପିଅନସିପ୍ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତି ନେଇଥିଲେ। ଅନ୍ୟପକ୍ଷରେ କାଜାଖସ୍ତାନର ଓଲଗା ସାଫ୍ରାନୋଭା (୨୨.୮୭) ରୌପ୍ୟ ପଦକ ପାଇଥିଲେ। ସୂଚନାଯୋଗ୍ୟ ଯେ ୧୦୦ ମିଟରରେ ଦୂତି ଦୁଇଟି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବା ସତ୍ତେ୍ୱ ଦୁର୍ଭାଗ୍ୟଜନକ ଭାବେ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ୨୦୦ ମିଟରରେ ସେ ଏହି ଦୁଃଖ ଦୂର କରିଛନ୍ତି। ମଙ୍ଗଳବାର ୨୦୦ ମିଟର ସେମିଫାଇନାଲର ତୃତୀୟ ଦ୍ରୁତତମ ଧାବିକା ଭାବେ ଫାଇନାଲକୁ ଉନ୍ନୀତ ହୋଇଥିଲେ।