ପୋଷ୍ଟର ପରେ ବିବାଦରେ ପପୁଙ୍କ ଦୂତି କାହାଣୀ। ମହିଳାଙ୍କୁ ଅସମ୍ମାନ ନେଇ ଦୂତିଙ୍କ ଆପତ୍ତି ପରେ ପପୁଙ୍କ ପ୍ରତିକ୍ରିୟା

ଅର୍ନ୍ତଜାତୀୟ ଧାବିକାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଥିବା ଅଭିଯୋଗ; ପପୁ ବିରୋଧୀ ଅଭିଯାନକୁ ଜୋରଦାର କଲେ ଦୂତି

1,036

କନକ ବ୍ୟୁରୋ:ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ଏବେ ଭିନ୍ନ ମୋଡ ନେଇ ଦୂତି ଚାନ୍ଦ ବନାମ ପପୁ ବିବାଦରେ ପରିଣତ ହୋଇଛି । ଆଜି ଏକ ଫେସବୁକ ପୋଷ୍ଟ କରି ଦୂତି ଚାନ୍ଦ କହିଛନ୍ତି, ତାଙ୍କୁ ପପୁ ମାନସିକ ନିର୍ଯାତନା ଦେଇଛନ୍ତି । ଏବଂ ସେ ଏହା ବିରୋଧରେ ମାନହାନି ମକଦ୍ଦମା କରିବେ । ସେ ତାଙ୍କ ପରିବାରକୁ ସର୍ବସମ୍ମୁଖରେ ଅପମାନିତ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।

ଅଭିଯୋଗ ଅନୁସାରେ ଦୂତିଙ୍କୁ ଆକ୍ଷେପ କରି ପପୁ ପମ୍ପମ୍, ଦୂତିଙ୍କ ପରିବାର ଲୋକଙ୍କୁ ଟାର୍ଗେଟ୍ କରିଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେବା ବେଳେ ପପୁ, ଦୁତିଙ୍କ ପରିବାର ଲୋକଙ୍କୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ଏ ସଂପର୍କରେ ଦୂତି ଚାନ୍ଦ ଫେସବୁକରେ ଲେଖିଛନ୍ତି- ମୋତେ ବହୁତ ଖରାପ ଲାଗୁଛି । ମୁଁ କେବେ ବି ପପୁ ଭାଇଙ୍କର ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରାଇ ନାହିଁ । କାହିଁକି ମୋ ପରିବାର ଏମିତି କହିଲ । ମୋ ପରିବାର ବିଷୟରେ କ’ଣ ଜାଣିଛ । ମୁଁ ଆପଣଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବି ।

ସେପଟେ, ବିବାଦ ଉଠିବା ପରେ ଅଭିନେତା ପପୁ ପମପମ୍ ଦୋଷ ଛଡ଼ାଇଲା ଭଳି କହିଥିଲେ, ଏଭଳି ପୋଷ୍ଟର ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରସ୍ତୁତ ହୋଇନାହିଁ । ଏମିତି କି ମହିଳାମାନଙ୍କୁ ସେ ଯଥେଷ୍ଟ ସମ୍ମାନ କରନ୍ତି ବୋଲି କହିଥିଲେ । ହେଲେ ଏହା ପରେ ପରେ ଆସିଥିଲା ଦୂତିଙ୍କ ପରିବାର ସଂପର୍କିୟ ବୟାନ ।

ଅନ୍ୟପଟେ ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ମାମଲାରେ ସଂପୃକ୍ତ ପ୍ରଡକ୍ସନ ୟୁନିଟକୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ । ପୋଷ୍ଟରକୁ ନେଇ ସବିଶେଷ ତଥ୍ୟ ମାଗିବା ସହ ପ୍ରଡକ୍ସନ ୟୁନିଟର କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କରିବ ପୁଲିସ । ପୋଷ୍ଟରଟି ସଂପୃକ୍ତ ପ୍ରଡକ୍ସନ ୟୁନିଟ କରିଛନ୍ତି ନା ନାହିଁ ସେନେଇ ପଚରାଉଚରା କରିବ । ସେହିପରି ପୋଷ୍ଟରକୁ ନେଇ ଅଭିଯୋଗ କରିଥିବା ସାମାଜିକ କର୍ମୀଙ୍କୁ ବି ନୋଟିସ ଜାରି କରାଯାଇଛି । କେଉଁ ସୁତ୍ରରୁ ସେ ଏହି ପୋଷ୍ଟର ପାଇଲେ ସେ ନେଇ ସବିଶେଷ ତଥ୍ୟ ରଖିବାକୁ କୁହାଯାଇଛି ।