ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଆଉ ଏକ ସଫଳତା । ଟାଇମ୍ ୧୦୦ ନେକଷ୍ଟ ଅନ୍ତର୍ଜାତୀୟ ପ୍ରଭାବଶାଳୀ ତାଲିକାରେ ମିଳିଲା ସ୍ଥାନ , ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ ଦୂତୀ 

490
କନକ ବ୍ୟୁରୋ :  ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କ ଆଉ ଏକ ସଫଳତା । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ‘ଟାଇମ୍’ ପତ୍ରିକାର ହଣ୍ଡ୍ରେଡ୍ ନେକଷ୍ଟ ବା ଆସନ୍ତା ଦିନର ୧୦୦ ଜଣ ପ୍ରଭାବଶାଳୀ ତାରକାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଦୂତୀ । ବ୍ୟବସାୟ, ମନୋରଂଜନ, କ୍ରୀଡ଼ା, ରାଜନୀତି, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ସମାଜ ସେବା କ୍ଷେତ୍ରରେ ବିଶ୍ୱର ଉଦୀୟମାନ ତାରକାଙ୍କ ତାଲିକା ପ୍ରକାଶ କରିଛି ‘ଟାଇମ୍’ ପତ୍ରିକା । ଭବିଷ୍ୟତର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ରହିଛି ଏହି ଓଡ଼ିଆ ଦୌଡ଼ରାଣୀଙ୍କ ନାଁ ।
ନଭେମ୍ବର ୨୫ ତାରିଖରେ ପ୍ରକାଶ ପାଇବାକୁ ଥିବା ସଂଖ୍ୟାରେ ସଂପୂର୍ଣ୍ଣ ତାଲିକା ପ୍ରକାଶ ପାଇବ । ଟାଇମ୍ ହଣ୍ଡ୍ରେଡ୍-ନେକଷ୍ଟରେ ସ୍ଥାନ ପାଇବା ଗୌରବର କଥା ବୋଲି ଟ୍ୱିଟ୍ କରି କହିଛନ୍ତି ଦୂତୀ । ୨୦୨୦ ଟୋକିଓ ଅଲିମ୍ପିକ୍ରେ ୧୦୦ ମିଟର ଦୌଡ ପାଇଁ ଏବେ ସେ ପ୍ରସ୍ତୁତି ଚଳାଇଛନ୍ତି । ଜୁଲାଇ ମାସରେ ପ୍ରଥମ ଭାରତୀୟ ଧାବିକା ଭାବେ ବିଶ୍ୱ ୟୁନିଭରସିଟି କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ନିକଟରେ ‘ଭୋଗ୍ ଇଣ୍ଡିଆ’ ତାଙ୍କୁ ଦେଶର ଶ୍ରେଷ୍ଠ କ୍ରୀଡ଼ା ବ୍ୟକ୍ତିତ୍ୱ ଭାବେ ଚୟନ କରିଥିଲା ।