କନକ ବ୍ୟୁରୋ : ଭସାଣି ପାଇଁ ଉତ୍ସବମୁଖର ହୋଇ ଉଠିଛି କଟକ ମହାନଗର। କଲେଜ ଛକରୁ ଆରମ୍ଭ କରି ମଙ୍ଗଳାବାଗ, ହାଵଡାମଟର, ବକ୍ସିବଜାର, ମଣିସାହୁଛକ, ତିନିକୋଣିଆ ବଚିଚା, ଗୌରୀଶଙ୍କର ପାର୍କ, ଚୌଧୁରୀବଜାର, ଜାଉଁଳିଆପଟ୍ଟି, ପିରିଙ୍ଗିବଜାର, ତେଲେଙ୍ଗାବଜାର, ପୁରୀଘାଟ ପର୍ଯ୍ୟନ୍ତ ଧାଡ଼ି ଲାଗିଛିି ମେଢ଼ ପଛକୁ ମେଢର ଶୋଭାଯାତ୍ରା। ସହରର ମଧୢଭାରେ ରହୁଥିବା ମେଢ଼ ଦୋଳମୁଣ୍ତାଇ-ସେମିନାରୀ ଛକ ଦେଇ ଦରଘାବଜାରଠାରେ ମୁଖ୍ୟ ଶୋଭାଯାତ୍ରାରେ ମିଶୁ ଥିବା ବେଳେ ବାରୁ ସେହି ଅଞ୍ଚଳ ଘଣ୍ଟ, ଘଣ୍ଟା ଓ ବାଦ୍ୟରେ ପ୍ରକମ୍ପିତ ହୋଇଛି। ଶୋଭାଯାତ୍ରା ସାଙ୍ଗକୁ ବିଭିନ୍ନ ପୂଜା କମିଟି ତଥା ସାମାଜିକ ସ˚ଗଠନ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହ ଉତ୍ସବର ମାହୋଲକୁ ଦ୍ବିଗୁଣିତ କରିଛି। ବିସର୍ଜନ ପାଇଁ ପୁରୀଘାଟରେ ସିଏମସି ପକ୍ଷରୁ ତିନିଟି ଅସ୍ଥାୟୀ ପୋଖରୀ କରାଯିବା ସହିତ ଆବଶ୍ୟକ ଆଲୋକ ବ୍ୟବସ୍ଥା କରାଯାଇଛି। ମେଢ଼ ଶୋଭାଯାତ୍ରାକୁ ଶୃଙ୍ଖଳିତ, ନିୟନ୍ତ୍ରିତ ତଥା ଉପଭୋଗୀୟ କରିବା ପାଇଁ କମିସନରେଟ ପୁଲିସ୍ ପକ୍ଷରୁ ୬୦ ପ୍ଲାଟୁନ ଫୋର୍ସ୍ ସମେତ ୧୦୦ରୁ ଅଧିକ ଅଫିସର ନିଯୁକ୍ତ ହୋଇଥିଲେ।
ଦଶମୀ ରାତିରୁ ମେଢ଼ ବିଜର୍ସନ ଆରମ୍ଭ ହୋଇଥିଲା। ଆଲାମ୍ଚାନ୍ଦ ବଜାର ଦୁର୍ଗା ମେଢ଼ ପ୍ରଥମେ ଦେବୀଗଡ଼ା ଗଡ଼ିଥିଲେ। ସେହିପରି ଦ୍ବିତୀୟ ମେଢ଼ ଭାବେ ରାତି ୮ଟା ୪୦ ମିନିଟରେ ମାଛୁଆବଜାର ସର୍ପାଦୁର୍ଗା ମେଢ଼ ପୁରୀଘାଟରେ ବିସର୍ଜନ କରାଯାଇଥିବା ବେଳେ ତୃତୀୟ ମେଢ଼ ଭାବେ କାଠଗଡ଼ାସାହି ଦୁର୍ଗା ମେଢ଼ ରାତି ୧୦ଟା ୨୫ରେ ପୁରୀଘାଟ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜିତ ହୋଇଥିଲେ। ଏଠାରେ ସୂଚନା ଯୋଗ୍ୟ କି, ଚଳିତ ବର୍ଷ ୧୬୧ରୁ ଅଧିକ ମଣ୍ତପରେ ଦୁର୍ଗା, ମହାଦେବ ପାର୍ବତୀ, ଚୈତନ୍ୟ ଦେବ, କାଳୀୟଦଳନ, ପିତୁଳା ଆଦି ପୂଜା କରାଯାଇଥିବା ବେଳେ ଗତକାଲି ଦଶମି ରାତିରୁ ଭସାଣି ଆରମ୍ଭ ହୋଇଛି। ଭସାଣି ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ, କଟକ ମହାନଗର ନିଗମ, ମହାନଗର ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟିର ଅଧିକାରୀ ଓ କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରିଛନ୍ତି । ତେବେ ଚଳିତ ଥର ଶାନ୍ତି ଶୃଙ୍ଖଲଳା ସହ ମେଲାଣି ହୋଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/Cuttack-Durga-Puja-Bhasani-1-2014-864x450.jpg)