ଦୁର୍ଗନ୍ଧମୟ ପରିବେଶରେ ବୌଦ୍ଧ ସହର । ସହର ମଝିରେ ଡମ୍ପିଂୟାର୍ଡକୁ ନେଇ ଦାନା ବାନ୍ଧୁଛି ଆନ୍ଦୋଳନ

139

କନକ ବ୍ୟୁରୋ: ଦୁଗର୍ନ୍ଧମୟ ପରିବେଶରେ ବୌଦ୍ଧ ସହର । ବୌଦ୍ଧ ରାଜାଙ୍କ ନୌବିହାର ଏବେ ବୌଦ୍ଧଗଡ ଏନଏସି କବଜାରେ । ଐତିହାସିକ ବୌଦ୍ଧ ସହରର ମଧ୍ୟ ଭାଗରେ ଗଦା ହେଉଛି ସହରର କୁଡକୁଡ ଅଳିଆ ଆବର୍ଜନା । ଆଉ ପାଲଟିଛି ଏନଏସିର ଡମ୍ପିୟାଡ୍ । ବିଭିନ୍ନ ସଂକ୍ରମଣ ରୋଗରେ ଆକ୍ରାନ୍ତ ସହରବାସୀଙ୍କ ମନରେ ଆନ୍ଦୋଳନ ଦାନା ବାନ୍ଧୁଛି । ପଢନ୍ତୁ ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନାର ଅସଲ ଚିତ୍ର ।

ଏ ହେଉଛି ବୌଦ୍ଧ ରାଜା ଯୋଗୀନ୍ଦ୍ର ପ୍ରସାଦ ଦେବଙ୍କ ନୌବିହାର ସ୍ଥଳୀ । ରାଜାଙ୍କ ରାଜବାଟୀର ସୁରକ୍ଷା ପାଇଁ ନିର୍ମାଣ ହୋଇଥିଲା ଗଡଖାଇ ପୁଷ୍କରିଣୀ । ରାଜା ଏଠାରେ ସନ୍ତରଣ କରିବା ସହ ନୌକା ବିହାର କରୁଥିଲେ । ହେଲେ ଏବେ ଏହାକୁ କବଜା କରିଛି ଏନଏସି । ପ୍ରତି ଦିନ ଟ୍ରାକ୍ଟର ଯୋଗେ ଏଠାରେ ସହରର ସମସ୍ତ ଅଳିଆ ଆବର୍ଜନା ପକାଯାଉଇଛି । ଆଉ ଡମ୍ପିଂୟାର୍ଡରେ ପରିଣତ ହୋଇଛି ଗଡଖାଇ ପୁଷ୍କରିଣୀ । ଦୁର୍ଗନ୍ଧମୟ ପରିବେଶ ସାଙ୍ଗକୁ ମ୍ୟାଲେରିଆ ଏବଂ ଚର୍ମରୋଗ ଭଳି ସଂକ୍ରମଣ ରୋଗରେ ସହରବାସୀ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଗଡଖାଇର ଚାରିପଟେ ଅନେକ ମନ୍ଦିର, ଶିକ୍ଷାନୁଷ୍ଠାନ ଏବଂ ବ୍ୟାଙ୍କ ଭଳି ପ୍ରତିଷ୍ଠାନ ଥିବାରୁ ତୁରନ୍ତ ଏଠାରେ ଅଳିଆ ପକା ବନ୍ଦ କରିବା ସହ ପୁନଃରୁର୍ଦ୍ଧାର ପାଇଁ ଦାବି ହେଉଛି ।

ସରକାରୀ ନିୟମ କହୁଛି.. ଜନବସତି ଭିତରେ ଡମ୍ପିଂୟାର୍ଡ କରାଯାଇ ପାରିବ ନାହିଁ । କୌଣସି ପୁଷ୍କରିଣୀକୁ ପୋତା ଯାଇ ପାରିବ ନାହିଁ । ହେଲେ ଏଠାରେ ଏହାର ସଂପୂର୍ଣ୍ଣ ଉଲଙ୍ଗନ କରାଯାଇଛି । ସହର ମଝିରୁ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରାନଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି । ସେପଟେ ଏନଏସିର ନିର୍ବାହୀ ଅଧିକାରୀ ସହର ମଝିରେ ଡମ୍ପିଂୟାର୍ଡ ଅଭିଯୋଗକୁ ସ୍ୱୀକାର କରିଛନ୍ତି ।