୯ ବର୍ଷ ଧରି ଜୀବନକୁ ନର୍କ କରିଥିଲା ନିଶା । କେମିତି ନିଶା କବଳରୁ ବାହାରିଲେ, କନକ ନ୍ୟୁଜରେ ନିଜର ଦୁଃଖଦ ଅଭିଜ୍ଞତା ବଖାଣିଲେ ବି.ଟେକ୍ ଛାତ୍ର ।

କିପରି ଜୀବନ ପାଲଟିଥିଲା ନର୍କ, କିପରି ମୁକୁଳିଲେ ନିଶାର ଅନ୍ଧାର ଭିତରୁ ।

292

କନକ ବ୍ୟୁରୋ: ଡ୍ରଗ୍ସ ଏମିତି ଏକ ନାଁ ଯାହା କି ଦେଶର ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କୁ ଅବାଟରେ ନେଇଯାଇଛି । ଆଉ ଥରେ ଯିଏ ଏହାର ମଜା ପାଇଛି ଯାଇଛି, ସେ ନର୍କ ଯନ୍ତ୍ରଣା ଭଳି ତା ଜୀବନ ଅନ୍ଧାରମୟ ହୋଇଯାଇଛି । ଶିକ୍ଷିତ, ଉଚ୍ଚଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଯୁବକ-ଯୁବତୀ ଏବେ ଏହି ନିଶା କବଳରେ । ଥରେ ଏହି ରାସ୍ତାରେ ଗଲେ ପାଠପଢ଼ା, କ୍ୟାରିୟର, ପରିବାର ସବୁକିଛି ନଷ୍ଟ ହୋଇଯାଏ । କେବଳ ନିଶାର ଅନ୍ଧାରି ଦୁନିଆରେ ଘୁରିବୁଲେ ଜୀବନ । ୯ ବର୍ଷ ଧରି ଏହି ନିଶାରେ ପଡ଼ିଥିବା ଜଣେ ବି.ଟେକ୍ ଛାତ୍ର, ଆମ ସହ ତାଙ୍କ ଅଭିଜ୍ଞତା ବାଂଟିଛନ୍ତି, ଯାହାକୁ ଶୁଣିଲେ ଆପଣ ହତବାକ୍ ହୋଇଯିବେ । ୯ ବର୍ଷ ନିଶାର କବଳରେ ରହିବା ପରେ ସେ କିପରି ଏଥିରୁ ମୁକୁଳିଲେ, ଆସନ୍ତୁ ଜାଣିବା ଯୁବକଙ୍କ ସଂଘର୍ଷମୟ କାହାଣୀ ।

ହେରୋଇନ୍, ଚରସ୍, ବ୍ରାଉନ୍ ସୁଗାର – ଏ ଏପରି ଶବ୍ଦ, ଯାହାକୁ ଶୁଣିବା ମାତ୍ରେ ମନରେ ଅଜଣା ଭୟ ସୃଷ୍ଟି ହୁଏ । ଦେଶର ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କୁ ପଥ ଭ୍ରଷ୍ଟ କରାଇଛି ଏହି ଡ୍ରଗ୍ । ଏହାର ଅକ୍ଟୋପାସ୍ ଭିତରେ ଥରେ ପଡ଼ିଗଲେ, ସେଠୁ ବାହାରିବା ମୁସ୍କିଲ୍ ହୋଇଯାଏ । ଆଉ ନର୍କ ହୋଇଯାଏ ଜୀବନ । ଦୂରାରୋଗ୍ୟ ବ୍ୟାଧିଠାରୁ ବି ଭୟଙ୍କର ସ୍ଥିତି ଉପୁଜେ । ତେବେ କାହିଁକି ଏପରି ଦୁଃଖପୂର୍ଣ୍ଣ ଜୀବନକୁ ଆବୋରି ନିଏ ଯୁବପିଢ଼ି? କାହିଁକି ମୃତ୍ୟୁର ଫାଶରେ ନିଜେ ଫଶିଯାଏ?

ଡ୍ରଗ୍, କେତେ ଭୟାନକ ହୋଇଥାଏ, ତାହା ଆପଣ ଅନେକ ଫିଲ୍ମରେ ଦେଖିଥିବେ । ଏ ସଂପର୍କରେ ଅନେକ କାହାଣୀ ଶୁଣିଥିବେ । ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯଦି ଆପଣଙ୍କୁ ନିଜେ ଜଣେ ଡ୍ରଗ୍ ଆଡିକ୍ଟ ତାଙ୍କ କାହାଣୀ ଶୁଣାଇବେ । କାରଣ ବାସ୍ତବ ଜୀବନର ଏହି କାହାଣୀ ଫିଲ୍ମ ସ୍କ୍ରିପ୍ଟ ଠାରୁ ବି ଭୟଙ୍କର ହୋଇଥାଏ । ନିଜ ଜୀବନକୁ ନିଜ ହାତରେ ନର୍କ କରିଦେଇଥାନ୍ତି ନିଶାଡି ।

ହିତାହିତ ଜ୍ଞାନ ଭୁଲିଯାଏ ଜଣେ ନିଶା ସେବନକାରୀ । ନିଜ ଦୁନିଆ ବାହାରେ ଆଉ କ’ଣ ଘଟୁଛି, ଜାଣିବାକୁ ତା’ପାଖରେ ଉପାୟ ନଥାଏ । କେବଳ ହେରୋଇନ୍, ବ୍ରାଉନ୍ ସୁଗାର ଓ ଚରସ ଭଳି ବିଷ ବଳୟର ଚାରି ପାଖରେ ସେ ବୁଲୁଥାଏ । ତାର ବୁଦ୍ଧି ବିବେକ ଓ ଚେତନା ସବୁକିଛି ବନ୍ଧା ପଡିଯାଏ ନିଶା ପାଖରେ । ଲୁଟ, ଛାନତାଇ, ହତ୍ୟା ଭଳି ସଂଗୀନ ଅପରାଧ କରିବା ତା’ ପାଇଁ ବାଁ ହାତର ଖେଳ ହୋଇଯାଏ ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ନିଶା ଭୟାବହତା ଜାଣିଥିଲେ ବି ଦେଶର ପ୍ରାୟ ୭୫ ପ୍ରତିଶତ ପରିବାରରେ ଅତିକମ୍ରେ ଜଣେ, କୌଣସି ନା କୌଣସି ନିଶା ସେବନ କରିଥାନ୍ତି । ଆଉ ସେଥିମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ଶିକ୍ଷିତ କିମ୍ବା ଉଚ୍ଚଶିକ୍ଷିତ ଯୁବକ-ଯୁବତୀ । ଜଣେ ନିଶାଡି ଦୈନିକ ପ୍ରାୟ ଦେଢ଼ ଶହରୁ ଦେଢ଼ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥାଏ କେବଳ ନିଶା ପାଇଁ ।