ରାହୁଲଙ୍କ ଗାଡି ଉପରକୁ ଆକ୍ରମଣ ମାମଲା ! ବିଜେପି ଓ ଆରଏସଏସକୁ ଦାୟୀ କଲେ କଂଗ୍ରେସ ଉପାଧ୍ୟକ୍ଷ

29

କନକ ବ୍ୟୁରୋ: ଗୁଜରାଟର ବନ୍ୟା ପ୍ରଭାବିତ ବନସକାଣ୍ଠା ଗସ୍ତବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗାଡ଼ି ଉପରେ ଆକ୍ରମଣ ପଛରେ ବିଜେପି ଓ ଆରଏସଏସ୍ ନେତାଙ୍କ ହାତ ରହିଛି । ଏଭଳି ଆକ୍ରମଣ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୀତିର ମାଧ୍ୟମ ବୋଲି ରାହୁଲ କହିଛନ୍ତି । ଏହି ଆକ୍ରମଣ ବିଜେପି ପ୍ରାୟୋଜିତ ଥିବାରୁ ଏହାକୁ ସେମାନଙ୍କ ପକ୍ଷରୁ ନିନ୍ଦା କରାଯାଇନଥିବା ସେ କହିଛନ୍ତି ।

କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ରାହୁଲଙ୍କ ଗାଡ଼ି ଉପରେ ଟେକାମାଡ଼କୁ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଏଭଳି ଆକ୍ରମଣ ଗଣତନ୍ତ୍ରରେ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ନେତାମାନେ କହିଛନ୍ତି । ଗଣତନ୍ତ୍ରର ମର୍ଯ୍ୟାଦା ରଖିବାକୁ ବିଜେପି ଆଗ୍ରହୀ ନଥିବା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି । ବିଜେପି ବିରୋଧୀଦଳମୁକ୍ତ ଭାରତ ଦେଖିବାକୁ ଇଚ୍ଛା ରଖିଥିବା ସେ କହିଛନ୍ତି ।

ସେପଟେ ରାହୁଲଙ୍କ ଗାଡ଼ି ଉପରେ ଆକ୍ରମଣରେ ସଂପୃକ୍ତ ଥିବା ପାଲନପୁର ବିଜେପି ଶାଖା ସାଧାରଣ ସଂପାଦକ ଜୟେଶ ଦର୍ଜୀଙ୍କୁ ବନସକାଣ୍ଠାର ଧନେରାଠାରୁ ଗିରଫ କରାଯାଇଛି । ଆକ୍ରମଣକାରୀଙ୍କୁ ଗିରଫ ନେଇ ଆଜି ଗୁଜରାଟ କଂଗ୍ରେସ ମୁଖ୍ୟ ଅର୍ଜୁନ ମୋଧଓ୍ଵାଡିଆ ସ୍ଥାନୀୟ ଥାନାରେ ଜୟେଶ ଓ ଅନ୍ୟ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଧନେରା କୃଷି ଉତ୍ପାଦିତ ବଜାର ସମିତିର ସଭାପତି ବିବି ପଟେଲ ରାହୁଲଙ୍କ ବିରୋଧରେ ପ୍ରଥମେ ସ୍ଲୋଗାନ ଆରମ୍ଭ କରିଥିବା ଏତଲାରେ ଦର୍ଶାଯାଇଛି ।

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ରାହୁଲଙ୍କୁ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି । ମାମଲାର ତଦନ୍ତ କରିବାକୁ ରାଜ୍ୟ ସରକାର ଅତିରିକ୍ତ ଡିଜି ପାହ୍ୟାର ଜଣେ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆଶ୍ୱାସନା ଦେଇଛନ୍ତି । ବିଜେପି ଆକ୍ରମଣ କରିଥିବା ଅଭିଯୋଗକୁ ବରିଷ୍ଠ ନେତା କୌଳାସ ବିଜୟବର୍ଗୀୟ ଖଣ୍ଡନ କରିଛନ୍ତି । ଆକ୍ରମଣ ବାସ୍ତବିକ ନା ପ୍ରାୟୋଜିତ ତାହା ଜଣାନଥିବା ସେ କହିଛନ୍ତି ।

ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ରାହୁଲଙ୍କୁ ଉପରେ ଆକ୍ରମଣକୁ ବିରୋଧ କରି ଯୁବ କଂଗ୍ରେସ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ନୂଆଦିଲ୍ଲୀ, ଅହମଦାବାଦ, ମୁମ୍ବାଇ ଚଣ୍ଡିଗଡ଼, ଭୋପାଳ ଆଦି ସ୍ଥାନରେ କଂଗ୍ରେସ କର୍ମୀମାନେ ଆକ୍ରମଣକୁ ନିନ୍ଦା କରିବା ସହ ସ୍ଥାନୀୟ ପ୍ରଶାସନ ରାହୁଲଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ସରକାର ବିରୋଧରେ ବିକ୍ଷୋଭ କରିଥିଲେ । ମୁମ୍ବାଇର ଘାଟକୋପରଠାରେ କଂଗ୍ରେସ କର୍ମୀମାନେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମୋଦି ଓ ଅମିତ ଶାହାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ।

ମୁମ୍ବାଇର ବିଜେପି ମୁଖ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ପୁଲିସ ଶତାଧିକ କର୍ମୀଙ୍କୁ ଅଟକ ରଖିଥିଲା । ତେବେ ବିକ୍ଷୋଭ ପ୍ରଦର୍ଶନକୁ ରାହୁଲ ଗାନ୍ଧୀ ନାପସନ୍ଦ କରିଛନ୍ତି ଏବଂ ଏଥିରୁ ଓହରି ଲୋକଙ୍କ ସେବା କରିବାରେ ନିଜକୁ ନିୟୋଜିତ କରିବାକୁ ସେ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ।