ପାନେ ପାଇବ ପାକିସ୍ତାନ, ଆମେରିକା ବନ୍ଦ କଲା ଅନୁଦାନ ! ଟ୍ରମ୍ପ କହିଲେ, ଆମେରିକାକୁ ବୋକା ବନେଇଛି ପାକିସ୍ତାନ

30

କନକ ବ୍ୟୁରୋ : ଆତଙ୍କବାଦୀଙ୍କ ବିରୋଧରେ ଲଢିବା ପାଇଁ ପାକିସ୍ତାନକୁ ବର୍ଷବର୍ଷ ଧରି ଆମେରିକା ଆର୍ଥିକ ସହାୟତା ଯୋଗାଇ ଆସୁଛି । ହେଲେ ପାକିସ୍ତାନ କେବଳ ଆମେରିକାକୁ ବୋକା ବନାଇ ଆସିଛି ବୋଲି କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ସେଥିପାଇଁ ପାକିସ୍ତାନକୁ ପାନେ ଦେବାକୁ ଟ୍ରମ୍ପ ସରକାର ନେଇଛନ୍ତି ବଡ ପଦକ୍ଷେପ । ୨୦୧୬ ପାଇଁ ପ୍ରାୟ ସାଢେ ୨୫ କୋଟି ଡଲରାର ଅନୁଦାନ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଟ୍ରମ୍ପ ।

imagesପାକିସ୍ତାନକୁ ଆମେରିକାର ବଡ ଝଟକା । ଟ୍ରମ୍ପ ସରକାରଙ୍କ ବଡ ନିଷ୍ପତି । ଆମେରିକା ଯୋଗାଇ ଦେଉଥିବା ସାମରିକ ଅନୁଦାନକୁ ବନ୍ଦ କରିବାକୁ ନିଷ୍ପତି ନେଇଛି ୱାସିଙ୍ଗଟନ୍ । ୨୦୧୬ ଆର୍ଥିକ ବର୍ଷ ପାଇଁ ପ୍ରାୟ ସାଢେ ୨୫ କୋଟି ଡଲାରର ଆର୍ଥିକ ଅନୁଦାନ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତିଙ୍କ ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି- ଦୀର୍ଘ ୧୫ ବର୍ଷ ହେଲା ଆମକୁ ବୋକା ବନାଇ ଆସୁଛି ପାକିସ୍ତାନ । ଆତଙ୍କବାଦୀଙ୍କ ସହ ଲଢିବା ପାଇଁ ଗତ ୨୦୦୨ରୁ ଆମେ ୨ଲକ୍ଷ କୋଟି ଟଙ୍କାର ଅନୁଦାନ ଦେଇଆସିଛୁ । ହେଲେ ପ୍ରତିବଦଳରେ ପାକିସ୍ତାନର ଦୋମୁହାଁ ନୀତି ଆମକୁ ପ୍ରତାରିତ କରିଛି । ପାକିସ୍ତାନ ନିଜେ ଆତଙ୍କବାଦୀଙ୍କ ଶିକାର ଦର୍ଶାଇ ଆମେରିକାଠାରୁ ବର୍ଷ ପରେ ବର୍ଷ ଏହିଭଳି ବିଦେଶୀ ସାମରିକ ସହାୟତା ହାସଲ କରିଆସୁଛି । ହେଲେ ଆତଙ୍କବାଦୀଙ୍କୁ ନିପାତ କରିବା ପରିବର୍ତେ ଆତଙ୍କୀ ସଂଗଠନଗୁଡିକୁ ପ୍ରୋତ୍ସାହିତ କରିଆସୁଥିବା ଅଭିଯୋଗ ହେଉଛି । ପାକିସ୍ତାନ ମାଟିରୁ ଆତଙ୍କୀ ସଂଗଠନଗୁଡିକ ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରରେ ଆତଙ୍କବାଦୀ ହମଲାର ଷଡଯନ୍ତ୍ର କରୁଛନ୍ତି । ଜାତିସଂଘ ମଧ୍ୟ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନଗୁଡିକୁ ବେଆଇନ ଘୋଷଣା କରିଛି ।

ଆମେରିକାରେ ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରଠାରୁ ପାକିସ୍ତାନ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଆସୁଛନ୍ତି । ବିଶେଷ କରି ଦକ୍ଷିଣ ଏସିଆରେ ଆତଙ୍କବାଦୀ ସଂଗଠନଗୁଡିକୁ ନିପାତ କରିବା ଲାଗି ଆଫଗାନିସ୍ତାନ ଓ ପାକିସ୍ତାନ ବିରୋଧରେ କଡା ପ୍ରତିକ୍ରିୟା ରଖିଆସିଛନ୍ତି । ଆଉ ପାକିସ୍ତାନକୁ ଆର୍ଥିକ ଅନୁଦାନ ବନ୍ଦ କରି ପାକିସ୍ତାନକୁ ସୁଧୁରିଯିବା ଲାଗି କଡା ଚେତାବନୀ ଦେଇଛନ୍ତି ଟ୍ରମ୍ପ ।