ଡାକ୍ତରଖାନା ବେଡ ଉପରେ କୁକୁର ! ବେଡ ଅଭାବରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ରୋଗୀ

ନବରଙ୍ଗପୁର ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ସ୍ୱାସ୍ଥ୍ୟସେବାର ଅଜବ ଚିତ୍ର

140

କନକ ବ୍ୟୁରୋ: ଡାକ୍ତରଖାନା ବେଡ ଉପରେ କୁକୁର । ବେଡ ଅଭାବରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ରୋଗୀ । ଏମିତି ସ୍ୱାସ୍ଥ୍ୟସେବା ଚାଲିଛି ନବରଙ୍ଗପୁର ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଡାକ୍ତରଖାନା ଭିତରେ କୁକୁର ଶୋଉଥିବା ବେଳେ ଡାକ୍ତରଖାନା ପ୍ରତି ଲୋକଙ୍କ ବିଶ୍ୱାସ ତୁଟି ଯାଉଛି । ସେପଟେ ରୋଗୀଙ୍କ ବେଡରେ ଶୋଉଥିବା କଥା ଜାଣି ସୁଦ୍ଧା ଚୁପ୍ ଅଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ ।

କାହା ପାଇଁ ଡାକ୍ତରଖାନା? ବେଡ୍ ଉପରେ ଶୋଇଛି କିଏ? ଏହି ଚିତ୍ରକୁ ଦେଖିଲେ ଆପଣମାନଙ୍କ ମନରେ ମଧ୍ୟ ଏମିତି ପ୍ରଶ୍ନ ଉଠିବ । କିଛିଦିନ ପୂର୍ବରୁ ମାଲକାନଗିରି ଜିଲ୍ଲାପାଳ ନିଜ ସନ୍ତାନ୍ତର ଜନ୍ମ ପାଇଁ ସରକାରୀ ଡାକ୍ତରଖାନାକୁ ବାଛି ଚର୍ଚ୍ଚାର ପରିସରକୁ ଆସିଥିଲେ । ସରକାରୀ ସ୍ୱାସ୍ଥ୍ୟ ସେବା ଉପରେ ଲୋକଙ୍କ ବିଶ୍ୱାସ ଜଣିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ପଡୋଶୀ ନବରଙ୍ଗପୁର ଜିଲ୍ଲାର ଏହି ଚିତ୍ରକୁ ଦେଖିବା ପରେ ସାମ୍ନାକୁ ଆସିଛି ସରକାରୀ ଡାକ୍ତରଖାନାର ଅସଲ ଚେହେରା । ନବରଙ୍ଗପୁର ଡାବୁଗାଁ ମେଡିକାଲରେ ରୋଗୀଙ୍କ ପାଇଁ ଉର୍ଦ୍ଦିଷ୍ଟ ବେଡରେ ବୁଲା କୁକୁର ଶୋଉଥିବା ବେଳେ ତଳେ ଶୋଉଛନ୍ତି ରୋଗୀ । ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଉଛନ୍ତି ଡାକ୍ତରଖାନାର ଡାକ୍ତର ଏ ସବୁ ଜାଣିଛନ୍ତି ।

 

ରାଜ୍ୟର ଏହି ଉପାନ୍ତ ଅଚଂଳରେ ସ୍ୱାସ୍ଥ୍ୟସେବାର ଚିତ୍ର ଦେଖିବା ପରେ ସରକାରୀ ଡାକ୍ତରଖାନା ଉପରୁ ଲୋକଙ୍କ ଭରସା ତୁଟିଯିବା ସ୍ୱାଭାବିକ । ଯେଉଁ ଡାକ୍ତରଖାନା ବେଡରେ କୁକୁର ଶୁଏ, ସେଠାରେ ନବଜାତକ ଓ ଗର୍ଭବତୀ ମହିଳା କେତେ ସୁରକ୍ଷିତ ତାକୁ ନେଇ ନେଇ ପ୍ରଶ୍ନ ଉଠିବା ମଧ୍ୟ ସ୍ୱାଭାବିକ । ଡାବୁଗାଁ ଡାକ୍ତରଖାନାର ସମସ୍ୟାକୁ ନେଇ ସ୍ଥାନୟୀ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ଅଭାବ ସାଙ୍ଗକୁ ବେଡର ଅଭାବ ରହିଛି । ତେଣୁ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଥିବା ବେଳେ ବେଡ ଉପରେ କୁକୁର ଶୋଇବା ଘଟଣା ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟସେବା ପ୍ରତି ବିଦ୍ରୁପ କରୁଛି ।