ସରକାରୀ ହସ୍ପିଟାଲରେ ମିଳୁନି କୁକୁର କାମୁଡା ଇଞ୍ଜେକସନ । ବିଭିନ୍ନ ହସ୍ପିଟାଲରେ ସ୍ଥିତି ପରଖିଲା କନକ ନ୍ୟୁଜ୍, ସାମ୍ନାକୁ ଆସିଲା ସାଂଘାତିକ ଘଟଣା ।

158

କନକ ବ୍ୟୁରୋ : ସରକାରୀ ହସ୍ପିଟାଲରେ ମିଳୁନି କୁକୁର କାମୁଡା ଇଂଜେକସନ । ରାଉରକେଲାରେ ଏନେଇ ରୋଗୀଙ୍କ ସମ୍ପର୍କୀୟ ପ୍ରତିବାଦ କରିବା ପରେ କନକ ନ୍ୟୁଜ ପରଖିଥିଲା ରାଜ୍ୟର ଅନ୍ୟ କେତେକ ହସ୍ପିଟାଲର ସ୍ଥିତି । ଆଉ ସାମ୍ନାକୁ ଆସିଥିଲା ସାଂଘାତିକ ସତ । ହସ୍ପିଟାଲରେ ନାହିଁ କୁକୁର କାମୁଡା ଇଂଜେକସନ । ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯୁଦ୍ଧକାଳୀନ ଭିତିରେ ଯୋଗାଇ ଦିଆଯିବ ଇଂଜେକସନ ।

ଏହି ଘଟଣା ହେଉଛି ରାଉରକେଲା ସରକାରୀ ହସ୍ପିଟାଲ ସମ୍ମୁଖର । କୁକୁର କାମୁଡା ଇଂଜଜେକସନ ପାଇଁ ହୋଇଥିଲା ପ୍ରତିବାଦ । ସରକାରୀ ହସ୍ପିଟାଲରେ କୁକୁର କାମୁଡା ଇଂଜେକସନ-ଏଆରଭି ନମିଳିବା କାରଣରୁ ଲୋକେ ପ୍ରତିବାଦ କରିଥିଲେ । ତେବେ ଏହା ଜଣାପଡିବା ପରେ ରାଜ୍ୟର କେତେକ ସରକାରୀ ହସ୍ପିଟାଲରେ ରିୟାଲିଟି ଚେକ କରିଥିଲା କନକ ନ୍ୟୁଜ । ଆଉ ସାମନାକୁ ଆସିଥିଲା ସାଂଘାତିକ ଘଟଣା ।

କଳାହାଣ୍ଡି
କଳାହାଣ୍ଡିର ସରକାରୀ ହସ୍ପିଟାଲରେ ମିଳୁନାହିଁ କୁକୁର କାମୁଡା ଇଂଜେକସନ । ରୋଗୀ ହସ୍ପିଟାଲକୁ ଆସି ଇଂଜେକସନ ନପାଇ ଫେରିଥିବାର ଅଭିଯୋଗ ହୋଇଛି । ମାଗଣା ମିଳିବାକୁ ଥିବା ଏହି ଇଂଜେକସନକୁ ବାହାରୁ ପଇସା ଦେଇ କିଣୁଛନ୍ତି ରୋଗୀ ।

ଭବାନୀ ପାଟଣା
ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ଭବାନୀ ପାଟଣାର ସରକାରୀ ହସ୍ପିଟାଲରେ । ଏଠାରେ ମଧ୍ୟ କୁକୁର କାମୁଡିବା ସମୟରେ ଆବଶ୍ୟକ ଏଆରଭି ଇଂଜେକସନ ମହଜୁଦ ନାହିଁ । ଯେଉଁଥିପାଇଁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ଖୋର୍ଦ୍ଧା
ଖୋର୍ଦ୍ଧା ସରକାରୀ ହସ୍ପିଟାଲରେ ରିୟଲିଟି ଚେକ୍ ସମୟରେ ଜଣାପଡିଥିଲା ଏଠାରେ ମଧ୍ୟ ମିଳୁନାହିଁ କୁକୁର କାମୁଡା ଇଂଜେକସନ । ରୋଗୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ସେମାନଙ୍କ କଥା ଶୁଣିବାକୁ କେହି ନାହିଁ ।

ରାଜ୍ୟର ପ୍ରମୁଖ ସରକାରୀ ହସ୍ପିଟାଲରେ କାହିଁକି ମିଳୁନି କୁକୁର କାମୁଡା ଇଂଜେକସନ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ହେଲା, ଦାୟିତ୍ୱ ସରକାରଙ୍କର । କେଉଁ ଅଫିସରଙ୍କ ଯୋଗୁଁ ଏହା ମିଳୁନାହିଁ ତାର ଖୋଳତାଡ ହେବ । ଯୁଦ୍ଧକାଳୀନ ଭିତିରେ କୁକୁର କାମୁଡା ଇଂଜେକସନ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ତେବେ ସବୁଠାରୁ ବଡ କଥା ହେଉଛି, ସରକାରୀ ହସ୍ପିଟାଲରେ ଯେଉଁ ଇଂଜେକସନ ମାଗଣାରେ ମିଳିବା କଥା ତାହା ମହଜୁଦ ରହୁନାହିଁ । ଏବେ ଦେଖିବାର କଥା ମନ୍ତ୍ରୀଙ୍କ ପାଖରେ ଖବର ପହଂଚିବା ପରେ ସରକାରୀ ହସ୍ପିଟାଲକୁ କେବେ ଆସୁଛି ଇଂଜେକସନ ।