ବାଣୀବିହାର ଛକରେ ଲାଗିନି କି ଟ୍ରାଫିକ ନିୟମ? ପିସିଆର ଠାରୁ ଆରମ୍ଭ କରି ସାଧାରଣ ଲୋକ, ନିୟମ ଭାଙ୍ଗୁଛନ୍ତି, ରଙ୍ଗ ସାଇଡରେ ଯାଉଛନ୍ତି । ପୋଲିସ ସବୁ ଦେଖୁଛି, କିନ୍ତୁ ଚୁପ୍ ବସିଛି ।

639

କନକ ବ୍ୟୁରୋ : ରାଜ୍ୟରେ ଟ୍ରାଫିକ ନିୟମ କଡାକଡି ହେବା ପରେ ଜୋରଦାର ଆରମ୍ଭ ହେଉଛି ଚେକିଂ । ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ଛକ ଛକରେ ପଇଁତରା ପାରୁଛନ୍ତି ମାଳ ମାଳ ପୋଲିସ ଓ ଟ୍ରାଫିକ ଅଧିକାରୀ । ଗାଡି ଚଳାଇବା ବେଳେ ଟ୍ରାଫିକ ନିୟମ ଭାଙ୍ଗିବା ମାତ୍ରେ ମାଡି ବସୁଛନ୍ତି ପୋଲିସ ଓ ଟ୍ରାଫିକ ଅଧିକାରୀ । କିଏ ହେଲମେଟ ନ ପିନ୍ଧି ହଟହଟା ହେଉଛି ତ ପୁଣି କିଏ ରଙ୍ଗ ସାଇଡରେ ଯାଇ ମୋଟା ଅଙ୍କର ଜରିମାନା ଗଣୁଛି । ଯେତେ ନେହୁରା ହେଲେ ବି ଛାଡୁନି ପୋଲିସ । ଏପରି ଅନେକ ଚିତ୍ର ଗତକାଲି ଦେଖିବାକୁ ମିଳିଛି । କିନ୍ତୁ ଏହା ଭିତରେ ବାଣୀବିହାର ଛକରୁ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି ଯାହା ଟ୍ରାଫିକ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛି । ବାଣୀବିହାର ଛକରେ ଟ୍ରାଫିକ ନିୟମକୁ ସତେ ଯେମିତି ଫୁ କରି ଉଡାଇଦେଇଛନ୍ତି ଉକ୍ରଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀ ।

ଗୋଟିଏ ପଟେ ରାଜଧାନୀର ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ଉପରେ ପୋଲିସ ଓ ଟ୍ରାଫିକ ଅଧିକାରୀଙ୍କ କଡା କାର୍ଯ୍ୟାନୁଷ୍ଠାନ । ଆଉ ଅନ୍ୟପଟେ ବାଣୀବିହାର ଛକରେ ବିଶ୍ୱବିଦ୍ୟାଳୟ ଛାତଛାତ୍ରୀ ଓ କର୍ମଚାରୀ ନିୟମ ଉଲ୍ଲଂଘନ କଲେ ମଧ୍ୟ ସବୁ ମାଫ୍ ।ବାଣୀବିହାର ଛକରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ରଙ୍ଗସାଇଡରେ ଶହ ଶହ ଛାତ୍ରଛାତ୍ରୀ ଯାଉଥିଲେ ମଧ୍ୟ ପୋଲିସ ସବୁ ଦେଖି ଯେପରି ଆଖିରେ ଆଙ୍ଗୁଠି ଗେଞ୍ଜି ବସିଯାଇଛି । ଲାଗୁଛି ଯେମିତି ବାଣୀବିହାର ଛକରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏଯାଏଁ ନୂଆ ଟ୍ରାଫିକ ନିୟମ ଲାଗୁ ହେଉନାହିଁ ।

ଏ ବାବଦରେ ପୋଲିସ କମିଶନର ଜାଣିଥିଲେ ମଧ୍ୟ ହାତବାନ୍ଧି ବସିଛନ୍ତି । ଆଉ ସଫେଇରେ ଟ୍ୱିଟ୍ କରି କହିଛନ୍ତି, ଉକ୍ରଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । ନୂଆ ଗେଟ୍ ନିର୍ମାଣ ହେବା ପରେ ଏହି ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ପ୍ରଶ୍ନ ଉଠୁଛି ଯେତେବେଳେ ସାଧାରଣ ଲୋକ ରଙ୍ଗ ରୁଟରେ ଆସି ହଜାର ହଜାର ଫାଇନ୍ ଗଣୁଛନ୍ତି ସେତେବେଳେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀ ଖୋଲାଖୋଲି ନିୟମର ଉଲ୍ଲଂଘନ କରି କାହିଁକି ଫାଇନ୍ ଦେବେନି । ନା ଏମାନଙ୍କ ପାଇଁ ସବୁ ମାଫ୍ । କେବଳ ଛାତ୍ରଛାତ୍ରୀ କାହିଁକି ସାଧାରଣ ଲୋକ ଏପରିକି ପିସିଆର ଭ୍ୟାନ୍ ମଧ୍ୟ ରଙ୍ଗ ସାଇଡରେ ଯାଉଥିବାର ଅନେକ ସମୟରେ ଦେଖିବାକୁ ମିଳିଛି ।

ଏନେଇ ଛାତ୍ରଛାତ୍ରୀ କହିଛନ୍ତି, ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ୍ ଦେଇ କ୍ୟାମ୍ପସ ଭିତରକୁ ଆସିବାକୁ ଏହା ହେଉଛି ସର୍ଟକର୍ଟ ରାସ୍ତା । ନଚେତ କ୍ୟାମ୍ପସ ଭିତରକୁ ଆସିବାକୁ ପ୍ରାୟ ଗୋଟିଏ କିଲୋମିଟର ଦୂର ଆଚାର୍ଯ୍ୟ ବିହାର ଛକରୁ ୟୁ-ଟର୍ଣ୍ଣ ମାରି ଆସିବାକୁ ପଡିବ । ରଙ୍ଗରୁଟରେ ଆସିବା କାରଣରୁ ଦୁର୍ଘଟଣାର ଆଶଙ୍କା ରହିଛି । କିନ୍ତୁ ସର୍ଟକର୍ଟ କାରଣରୁ ଏହି ରାସ୍ତାରେ ଅଧିକାଂଶ ଛାତ୍ରଛାତ୍ରୀ ଓ କର୍ମଚାରୀ ଯା ଆସ କରିଥାନ୍ତି ।

ଏମିତିରେ ଦେଖିବାକୁ ଗଲେ ଭୁବନେଶ୍ୱରରେ ଏମିତି ଅନେକ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟରେ ସମାନ ସମସ୍ୟା ରହିଛି । ଏପରିକି ସାଧାରଣ ଲୋକ ଘରକୁ ରଙ୍ଗରୁଟରେ ନଯାଇ କିଲୋମିଟର କିଲୋମିଟର ଦୂରରେ ଥିବା କଟ୍ ଦେଇ ୟୁ-ଟର୍ଣ୍ଣ ମାରି ଆସୁଛନ୍ତି । ତେଣୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ କାହିଁକି ଏହି ନିୟମ ଲାଗୁ ହେବ ନାହିଁ । କାହିଁକି ଛାତ୍ରଛାତ୍ରୀ ଆଚାର୍ଯ୍ୟ ବିହାରରରୁ ୟୁ-ଟର୍ଣ୍ଣ ମାରି ଆସିବେ ନାହିଁ । କଣ ଏହି ନୂଆ ନିୟମ କେବଳ ସାଧାରଣ ଲୋକଙ୍କ ପକେଟ ଖାଲି ପାଇଁ?