ଏକାଠି ହେଲେ ସାରା ଦେଶର ଡାକ୍ତର । ଦାବି ପୂରଣ ପାଇଁ ମମତା ସରକାରଙ୍କୁ ୪୮ ଘଣ୍ଟାର ମହଲତ ଦେଲା ସଂଘ ।

502

କନକ ବ୍ୟୁରୋ : ପଶ୍ଚିମବଙ୍ଗର ଡାକ୍ତର ଆନ୍ଦୋଳନ ଥମିବା ପରିବର୍ତେ ତେଜିବାରେ ଲାଗିଛି । ୫ ଦିନ ହେଲା ସ୍ଥାଣୁ ଅବସ୍ଥାକୁ ଚାଲିଯାଇଛି ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ସେବା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ଆନ୍ଦୋଳନକାରୀ ଡାକ୍ତର । ମୁଖ୍ୟମନ୍ତ୍ରୀ କ୍ଷମା ମାଗିବା ସମେତ ୬ ଦଫା ଦାବିରେ ଅଡ଼ି ବସିଛନ୍ତି ଡାକ୍ତର । ଏପଟେ ସାରା ଦେଶକୁ ବ୍ୟାପିବାରେ ଲାଗିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ନିଆଁ । ଆନ୍ଦୋଳନକୁ ସମର୍ଥନ କରି ମମତାଙ୍କୁ ୪୮ ଘଂଟାର ଅଲଟିମେଟମ ଦେଇଛନ୍ତି ଏମ୍ସର ରେସିଡେଂଟ ଡାକ୍ତର । ଡାକ୍ତର ଷ୍ଟ୍ରାଇକ୍ ସଂପର୍କରେ ପଶ୍ଚିମବଙ୍ଗ ସରକାରକୁ ରିପୋର୍ଟ ତଲବ କରିଛନ୍ତି କେନ୍ଦ୍ର ସରକାର । ଆଉ ଏହାରି ଭିତରେ ମମତା ବାନାର୍ଜୀ କହିଛନ୍ତି- ଡାକ୍ତରଙ୍କ ଦାବି ଖୁବ୍ ଶ୍ରୀଘ୍ର ପୁରଣ ହେବ ।

ଗତ ମଙ୍ଗଳବାର ଠାରୁ ବିପର୍ଯ୍ୟସ୍ତ ହୋଇପଡିଛି ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ସେବା । ଉଭୟ ଡାକ୍ତର ଓ ପଶ୍ଚିମବଙ୍ଗ ସରକାର ନିଜ ନିଜ ଜିଦରେ ଅଟଳ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ସ୍ଥିତି ଆହୁରି ଉକ୍ରଟ ହୋଇଯାଇଛି । ଡାକ୍ତରଙ୍କ ସାମୁହିକ ଇସ୍ତଫା, ସ୍ୱାସ୍ଥ୍ୟସେବାରେ ସାଂଘାତିକ ସଂକଟ ସୃଷ୍ଟି ହୋଇଛି । ସେପଟେ ଏମ୍ସର ଡାକ୍ତର ଓ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍, ଆନ୍ଦୋଳନକୁ ସମର୍ଥନ ଦେଇ ୪୮ ଘଂଟିଆ ମହଲତ ଦେଇଛନ୍ତି । ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ଓଡିଶା ସମେତ ଦିଲ୍ଲୀ, ମୁମ୍ବାଇ, ନାଗପୁର, ପାଟନା, ହାଇଦ୍ରାବାଦ, ବାରାଣସୀ, କର୍ଣ୍ଣାଟକ, ରାଜସ୍ଥାନ ଓ ଛତିଶଗଡରେ ରାସ୍ତାକୁ ଓହ୍ଲାଇଛନ୍ତି ଡାକ୍ତର । କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଦାବି କରି କେଉଁଠି କଳା ପଟି ପିନ୍ଧି ତ କେଉଁଠି ହେଲମେଟ ପିନ୍ଧି ପ୍ରତିବାଦ କରିଛନ୍ତି ଡାକ୍ତର ।

ଭୁବନେଶ୍ୱର ଏମସରେ ଶୁକ୍ରବାର ଦିନ ଓପିଡି ବନ୍ଦ ରହିଥିଲା, କେବଳ ଇମରଜେନ୍ସୀ ରୋଗୀ ସେବା ଯୋଗାଇ ଦେଇଥିଲେ ଡାକ୍ତର । ଶନିବାର ଦିନ ରୋଗୀ ସେବା ସ୍ୱାଭାବିକ ହୋଇଥିଲେ ବି ହେଲମେଟ୍ ପିନ୍ଧି ପ୍ରତିବାଦ କରିଥିଲେ ଡାକ୍ତର । ତେବେ ଦାବି ପୂୂରଣ ନହେଲେ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

ନଜର ପକାନ୍ତୁ, ପଶ୍ଚିମବଙ୍ଗ ଡାକ୍ତରଙ୍କ ୬ ଦଫା ଦାବି ଉପରେ ।
ଆହତ ଡାକ୍ତର ଓ ଆନ୍ଦୋଳନରତ ଡାକ୍ତରଙ୍କୁ ଦେଖିବାକୁ ଆସନ୍ତୁ ମୁଖ୍ୟମନ୍ତ୍ରୀ
ଘଟଣା ପାଇଁ ନିସର୍ତ୍ତ ଭୁଲ ମାଗନ୍ତୁ ମମତା
ତଦନ୍ତର କାଗଜପତ୍ର ଦେଖାଉ ପୋଲିସ
ଡାକ୍ତରଖାନାରେ ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ
ଜରୁରୀ ଆବଶ୍ୟକତା ଡାକ୍ତରଖାନାରେ ଉପଲବ୍ଧ ହେଉ
ଡାକ୍ତରଙ୍କ ବିରୋଧରେ ହୋଇଥିବା ମାମଲା ଖାରଜ କରାଯାଉ
ଏହିସବୁ ଦାବି ପୂରଣ ପାଇଁ ଅଡି ବସିଛନ୍ତି ଡାକ୍ତର । ସେପଟେ ଡାକ୍ତରଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ଆଇନ୍ ଆଣିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ର‌୍ୟମନ୍ତ୍ରୀ । ଏସବୁ ଭିତରେ ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି ହର୍ଷବର୍ଦ୍ଧନ ।