ନର୍ସଙ୍କ ପ୍ରେମରେ ପାଗଳ ହୋଇ ହତ୍ୟାକାରୀ ସାଜିଲେ ଡାକ୍ତର! ନର୍ସଙ୍କ ପ୍ରେମିକଙ୍କୁ ହତ୍ୟା କରି ଅଳିଆଗଦାରେ ପୋତିଲେ, ୨୫ ଦିନ ପରେ ପର୍ଦ୍ଦାଫାଶ କଲା ପୋଲିସ

95

କନକ ବ୍ୟୁରୋ : ଜୀବନ ବଞ୍ଚାଉଥିବା ଡାକ୍ତର ଯେ ଜୀବନ ନେଇପାରନ୍ତି, ଏକଥା ହୁଏତ ବିଶ୍ୱାସ କରିବା କଷ୍ଟକର ହୋଇପାରେ । ହେଲେ ଏଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି ବ୍ରହ୍ମପୁରରୁ । ଗୋଟିଏ ଅଳିଆ ଗଦାକୁ ଖୋଳି ବ୍ୟାଙ୍କ ଏଜେଂଟ ବିଷ୍ଣୁ ଗୌଡ଼ାଙ୍କ ମୃତଦେହ ଉଦ୍ଧାର କରିବା ପରେ ସାଂଘାତିକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ସଂଦେହ କରାଯାଉଛି, ଜଣେ ନର୍ସଙ୍କ ପ୍ରେମରେ ଟୁବୁଟୁବୁ ହୋଇ ଜଘନ୍ୟ ହତ୍ୟାକାଣ୍ଡ ଭିଆଇଛନ୍ତି ଅଭିଯୁକ୍ତ ଡାକ୍ତର ।

ଇଏ ଏପରି ଏକ କାହାଣୀ, ଯାହା ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଦେବ, ସେତିକି ବିଚଳିତ କରିଦେବ । କାରଣ ପ୍ରେମ, ପ୍ରଣୟ ଓ ହତ୍ୟାର ଏହି କାହାଣୀରେ ମୁଖ୍ୟ ଖଳନାୟକ ହେଉଛନ୍ତି ଜଣେ ଡାକ୍ତର । ୨୫ ଦିନ ପରେ ବ୍ରହ୍ମପୁର ଉପକଣ୍ଠ ବଡଗୁମୁଳାରୁ ବ୍ୟାଙ୍କ ଏଜେଂଟ ବିଷ୍ଣୁ ଗୌଡର ମୃତଦେହକୁ ମାଟିତଳୁ ଉଦ୍ଧାର କରାଯିବା ପରେ ଘଟଣା ସାମ୍ନାକୁ ଆସିଛି । ଜଣେ ନର୍ସଙ୍କ ସହ ଅଭିଯୁକ୍ତ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କ ପ୍ରେମ ହିଁ ହତ୍ୟାକାଣ୍ଡର କାରଣ ବୋଲି ସନ୍ଦେହ କରୁଛି ପୋଲିସ ।

ବିଷ୍ଣୁପ୍ରସାଦ ଗୌଡ । ଏଚଡିଏଫସି ବ୍ୟାଙ୍କରେ କାମ କରୁଥିବା ବିଷ୍ଣୁ ଅଗଷ୍ଟ ୧୮ ତାରିଖରୁ ନିଖୋଜ ହୋଇଯାଇଥିଲେ । ଅପହରଣ ଓ ହତ୍ୟା ସଂଦେହରେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ପୋଲିସର ତଦନ୍ତ ପରେ ଯାହା ମିଳିଲା ତାହା ସମସ୍ତଙ୍କୁ ଚମକାଇ ଦେଇଛି । ବିଷ୍ଣୁଙ୍କ ମୁଣ୍ଡ-ଗଣ୍ଡି ଅଲଗା ହୋଇଥିବା ମୃତଦେହକୁ ଆଜି ମାଟିତଳୁ ଉଦ୍ଧାର କରିଛି ପୋଲିସ । ଡାକ୍ତରଙ୍କ ସହୟତା କରିଥିବା ବ୍ୟକ୍ତି ଗଙ୍ଗା ବେହେରା ଗିରଫ ହେବା ପରେ ଘଟଣାର ପର୍ଦ୍ଦାଫାସ ହୋଇଛି । ଅଭିଯୁକ୍ତ ଡାକ୍ତରଙ୍କ ନିକଟରେ କାମ କରୁଥିଲେ ଗଙ୍ଗା ବେହେରା । ଚର୍ଚ୍ଚା ହେଉଛି, ଗାୟତ୍ରୀ କ୍ଲିନିକରେ କାମକରୁଥିବା ନର୍ସଙ୍କ ସହ ଡାକ୍ତରଙ୍କର ପ୍ରେମ ସଂପର୍କ ହିଁ ହତ୍ୟାକାଣ୍ଡର କାରଣ । ଏପଟେ ମୃତ ବିଷ୍ଣୁ ଗୌଡଙ୍କ ମଧ୍ୟ ନର୍ସଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ । ବାରମ୍ବାର ତାଗିଦ ପରେ ବିଷ୍ଣୁ ଏଥିରୁ ନିବୃତ ନହେବାରୁ ଉତକ୍ଷିପ୍ତ ହୋଇ ଯାଇଥିଲେ ଡାକ୍ତର ବାବୁ । କୌଶଳ କ୍ରମେ ବିଷ୍ଣୁଙ୍କୁ ଘରକୁ ଡାକି କ୍ଲିନିକ ଭିତରେ ହତ୍ୟା କରିବା ପରେ ସହଯୋଗୀଙ୍କୁ ଲଗାଇ ଅଳିଆ ଗଦାରେ ପୋତିଦେଇଥିଲେ ।

ପରିକୀୟା ପ୍ରୀତି କିପରି ଭୟଙ୍କର ରୂପ ନେଇଥାଏ, ଏହି ଜଘନ୍ୟ ହତ୍ୟାକାଣ୍ଡ ବୟାନ କରୁଛି । ତେବେ ଜଣେ ଡାକ୍ତର ଏପରି ନରକୀୟ କାଣ୍ଡ ଘଟାଇଥିବା ଖବର ଆସିବା ପରେ ସାରା ବ୍ରହ୍ମପୁରରେ ଚାଂଚଲ୍ୟ ଖେଳିଯାଇଛି । ମୃତ ଦେହକୁ ପରିବାର ଲୋକ ଚିହ୍ନଟ କରିବା ପରେ କ୍ଲିନିକ ଉପରେ ଚଢାଉ କରିଛି ପୋଲିସ ଓ ସାଇଂଟିଫିକ୍ ଟିମ୍ । ସେପଟେ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ ଡାକ୍ତର । କ୍ଲିନିକ ଓ ଅପରେସନ ଥିଏଟରକୁ ସିଲ କରିଦେଇଛି ପୋଲିସ । ଏହି ହତ୍ୟାକାଣ୍ଡରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ନେଇ ଚାଲିଛି ତନାଘନା ।