ସ୍ମାର୍ଟସିଟିର ସ୍ମାର୍ଟ ଲୋକ, ପରିଷ୍କାର ଜାଗା ଦେଖି ପରିସ୍ରା କଲେ ।

ସ୍ୱଚ୍ଛତା ପାଠ ପଢିବାକୁ ନାରାଜ ସଭ୍ୟ ମଣିଷ 

635

କନକ ବ୍ୟୁରୋ : ମୋତେ ଯେତେ ମାଠିବୁ ମାଠ୍, ମୁଁ ସେଇ ଦରପୋଡା କାଠ୍ । ଉପରୋକ୍ତ ଫଟୋଟି ଦେଖିଲା ପରେ ଏଭଳି ଢଗ ଆପଣାଛାଏଁ ମନକୁ ଚାଲି ଆସୁଛି । ଗୋଟିଏ ପଟେ ହକି ବିଶ୍ୱକପ ପାଇଁ ପୂରା ରାଜଧାନୀକୁ ନୂଆ ବୋହୂର ରୂପ ଦେବାକୁ ଚେଷ୍ଟା କରାଯାଉଛି । କାନ୍ଥ ବାଡ ଠାରୁ ଆରମ୍ଭ କରି ରାସ୍ତାଘାଟ ସବୁକୁ ସୁନ୍ଦର ଭାବରେ ସଜାଯାଉଛି । ଆଉ ଏହା ପଛର କାରଣ ହେଉଛି, ଯିଏ ବି ଓଡିଶା ଆସିବ କିଛି ସୁନ୍ଦର ସ୍ମୃତି ସାଉଁଟି ଓଡିଶାରୁ ଫେରିବ । କିନ୍ତୁ ରାସ୍ତାକଡରେ ପରିସ୍ରା କରିବାକୁ ନିଜର ଜନ୍ମସିଦ୍ଧ ଅଧିକାର ବୋଲି ଧରି ନେଇଥିବା କିଛି ଅସଭ୍ୟ ବ୍ୟକ୍ତି ନିଜର ପ୍ରକୃତି ବଦଳାଇବାକୁ ଚାହୁଁନାହାନ୍ତି । ଆଉ ସେହିଭଳି ଜଣେ ବ୍ୟକ୍ତିଙ୍କ କାରାନାମା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ହକି ବିଶ୍ୱକପକୁ ଆଉ ଦିନ କେଇଟା ବାକି ଥିବା ବେଳେ ଏବେ ରାଜଧାନୀର କାନ୍ଥ ବାଡରେ ପେଣ୍ଟିଂ ମାଧ୍ୟମରେ ରାଜ୍ୟର ଐତିହ୍ୟ ଓ ସଂସ୍କୃତିକୁ ପ୍ରଚାର କରିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ସେହି ପେଣ୍ଟିଂକୁ ଖରାପ କରିବାକୁ ଏହା ଉପରେ ମଳତ୍ୟାଗ କରିବାକୁ ମଧ୍ୟ ପଛାଉନାହାନ୍ତି ରାଜଧାନୀ ବାସିନ୍ଦା । ତାହା ବି ପୁଣି ଦିନ ଦ୍ୱିପ୍ରହରରେ ।  ଟିକିଏ ପରିଷ୍କାର ସ୍ଥାନ ଦେଖିଲେ ପରିସ୍ରା  କରିବାର ଅଭ୍ୟାସ ଏଯାଏଁ ଛାଡି ପାରି ନାହାନ୍ତି ଏଭଳି କିଛି ବିବେକହୀନ ବ୍ୟକ୍ତି । ନା ଏମାନଙ୍କୁ ଲଜ୍ଜା ଅଛି ନା କାହାର ଖାତିର । କାହାକୁ ପରବାଏ ନକରି ରାସ୍ତାକଡର କାନ୍ଥରେ ହୋଇଥିବା ହକି ଷ୍ଟିକର ପେଣ୍ଟିଂ  ଉପରେ ମଳତ୍ୟାଗ କରୁଛନ୍ତି ଏହି ବ୍ୟକ୍ତି ଜଣକ । ଆଉ ଏହି ସମୟର ଫଟୋ କ୍ୟାମେରାରେ କଏଦ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦେଶର ଏକ ନମ୍ବର ସ୍ମାର୍ଟସିଟିର ସ୍ମାର୍ଟ ବାସିନ୍ଦାଙ୍କ ଏହି ଅଭ୍ୟାସ ଦେଖିବା ପରେ ଲାଜରେ ମୁହଁ ତଳକୁ ହୋଇଯାଉଛି ।

ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଛି ୟୁଜର୍ସ ଏହି ଅସଭ୍ୟ ବ୍ୟକ୍ତିଙ୍କୁ ମନଭରି ଗାଳି ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଉକ୍ତ ବ୍ୟକ୍ତି ଜଣଙ୍କ ହକି ଷ୍ଟିକକୁ ଗଛ ବୋଲି ବୋଧେ ଭାବୁଛନ୍ତି । ଅନ୍ୟଜଣେ କହିଛନ୍ତି, ତାଙ୍କୁ ଲାଜ ଲାଗିବା ଦରକାର । ଗୋଟିଏ ପଟେ ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ପୁରୁଷଙ୍କ ପାଇଁ ୩୦ଟି ସ୍ମାର୍ଟ ଟଏଲେଟର ବ୍ୟବସ୍ଥା କରିଛନ୍ତି ବିଏମସି ଓ ବିଡିଏ । ଲୋକେ ଯେପରି ବାହାରେ ମଳତ୍ୟାଗ ନ କରିବେ ସେଥିପାଇଁ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । କିନ୍ତୁ ଆମ ରାଜଧାନୀବାସୀ ଟଏଲେଟ ବଦଳରେ ଫାଙ୍କା ସ୍ଥାନ ଦେଖି ମଳତ୍ୟାଗ କରିବାକୁ ବେଶ ପସନ୍ଦ କରୁଛନ୍ତି । ଯିଏ ଯେଉଁଠି ପାଇଲା ମଳତ୍ୟାଗ କରୁଛି ।

ତେବେ ଏହି ଖବର ପରିବେଷଣ କରି ଉପରୋକ୍ତ ବ୍ୟକ୍ତିଙ୍କୁ ସମାଲୋଚନା କରିବା କିମ୍ବା ଅସଭ୍ୟ କହିବା ଆମର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ଯେତେବେଳେ ରାଜଧାନୀ ନୂଆ ରୂପରେ ସଜେଇ ହେବା ସହ ସ୍ୱଚ୍ଛତା ଓ ବିକାଶ ଦିଗରେ ଆଗକୁ ବଢୁଛି ସେହିଭଳି ସମୟରେ ରାଜଧାନୀବାସୀ ହିସାବରେ ଏହାକୁ ଗ୍ରହଣ କରିନେବା କଣ ଆମର କର୍ତ୍ତବ୍ୟ ନୁହେଁ । ଦେଶର ୧ ନମ୍ବର ସ୍ମାର୍ଟ ସିଟି ସ୍ୱଚ୍ଛତାରେ ୧ ନମ୍ବରରେ ରହୁ ଏହା କଣ ଭୁବନେଶ୍ୱର ବାସିନ୍ଦା ଚାହୁଁନାହାନ୍ତି । ସ୍ୱାର୍ଟ ସିଟିକୁ ସ୍ୱଚ୍ଛ କରିବାକୁ ଯେତେବେଳେ ସ୍ମାର୍ଟ ଟଏଲେଟର ବ୍ୟବସ୍ଥା କରାଯାଉଛି ସେତେବେଳେ ଏହାର ବ୍ୟବହାର କରିବା ବଦଳରେ ରାସ୍ତା କଡରେ ପରିସ୍ରା କରିବା କେତେଦୂର ଠିକ୍  ।