କରୋନା ଲଢେଇ: ନେତାଙ୍କୁ ଭୁଲିଗଲେ କି ସରକାର ? ମହାମାରୀ ମୁକାବିଲା ବେଳେ ସ୍ଥାନ ଖୋଜିଲେ ନେତା । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କହିଲେ, ବିଧାୟକ ଓ ସାଂସଦଙ୍କୁ ସାମିଲ କରିବାକୁ ଜିଲ୍ଲା ପ୍ରଶାସନକୁ କୁହନ୍ତୁ ମୁଖ୍ୟମନ୍ତ୍ରୀ

381

କନକ ବ୍ୟୁରୋ: ମହାମାରୀ କରୋନାର ମୁକାବିଲା ପାଇଁ ସରକାର ଜୋରଦାର ପ୍ରୟାସ କରୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ଗୋପାଳପୁର ବିଧାୟକ । ସେ କହିଛନ୍ତି ଗଂଜାମ ଜିଲ୍ଲାକୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଠିକ୍ ଭାବରେ ରଖିବା ପ୍ରସଙ୍ଗରେ, ସ୍ଥାନୀୟ ବିଧାୟକଙ୍କୁ ବିଶ୍ୱାସକୁ ନିଆଯାଉ । ଏନେଇ ଦୟାକରି ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଅନ୍ତୁ ।

ଗଂଜାମ ଜିଲ୍ଲା ବର୍ତମାନ ସଂକ୍ରମଣ ସଂଖ୍ୟାରେ ଏକ ନମ୍ବର ସ୍ଥାନରେ ରହିଛି । ସେପଟେ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ କରୋନା ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ବି ଯୁଦ୍ଧକାଳୀନ ଭିତିରେ କାମରେ ଲାଗିଛି । ସରପଂଚ ମାନଙ୍କୁ ବି ଜିଲ୍ଲାପାଳ କ୍ଷମତା ବି ଦିଆଯାଇଛି । କିନ୍ତୁ ଏହି ଲଢେଇରେ ବିଧାୟକ ଓ ସାଂସଦ ଭଳି ନେତାଙ୍କ ସ୍ଥାନ କେଉଁଠି ରହିଛି ତାହା କେହି ଜାଣନ୍ତି ନାହିଁ ।

୫୭ ବର୍ଷିୟ ଏହି ବିଜେଡ଼ି ବିଧାୟକ ଗଣତନ୍ତ୍ରର ଏକ ଗୁରୁତ୍ୱପୁର୍ଣ୍ଣ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଅଫିସରଙ୍କ ଭିଡ଼ ଭିତରେ ନେତାଙ୍କ ସ୍ଥାନକୁ ନେଇ ସେ ବୋଧେ ସନ୍ଦିହାନ ହୋଇପଡ଼ିଛନ୍ତି । ସେ ଆହୁରି ଲେଖିଛନ୍ତି କରୋନା ମୁକାବିଲା ପରିଚାଳନାରେ କମିଟି ଗଠନ କରି ବିଧାୟକ ଓ ସାଂସଦ ମାନଙ୍କୁ ଦାୟିତ୍ୱ ଦିଆଯାଉ ।