୨୦୧୪ରେ କିଏ କଣ ପ୍ରତିଶ୍ରୁତି ଦେଇଥିଲା, କେତେ ପୂରଣ ହେଲା କେତେ ଅଧୁରା ରହିଗଲା ତାର ସମୀକ୍ଷା ଭିତରେ ଏବେ ରାଉରକେଲାରୁ ଉଠିଥିବା ଯୁକ୍ତି ବିଜେପି ପାଇଁ ଅଶ୍ୱସ୍ତିକର ବାତାବରଣ ସୃଷ୍ଟି କରିଛି । ଏଠି କଥାଟି ଭିନ୍ନ କାରଣ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ମାଟିରେ ଠିଆ ହୋଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଅଧୁରା ରହିଗଲା ବୋଲି ଧାରଣା ସୃଷ୍ଟି କରିଛନ୍ତି ବିଧାୟକ ଦିଲ୍ଲୀପ ରାୟ । ଦେଶରେ ଶାସନ ଚାଲିଛି ବିଜେପିର, ସୁନ୍ଦରଗଡରୁ ସାଂସଦ ବିଜେପିର, ରାଉରକେଲା ବିଧାୟକ ବିଜେପିର । ହେଲେ ମୋଦି ଦେଇଥିବା କଥା କିନ୍ତୁ ପୂରଣ ହୋଇପାରିଲା ନାହିଁ ।

Advertisment

publive-image
ମାଟି, ପାର୍ଟିର ଲଢେଇ
ବିଜେପିର ଅଦର୍ଶ, ଆଗ ମାଟି ପରେ ପାର୍ଟି । ବୋଧହୁଏ ପରିବର୍ତ୍ତିତ ସ୍ଥିତି ଆଉ କ୍ଷମତା ଆହରଣର ଅହେତୁକ ଆଗ୍ରହ ଭିତରେ ବିଜେପିର ନୀତି ବଦଳିଛି ବୋଲି କୁହାଯାଇପାରେ । ହେଲେ ଦିଲ୍ଲୀପ ରାୟ କିନ୍ତୁ ଏଥିରୁ ବିଚ୍ୟୁତ ହୋଇନାହାନ୍ତି । ମାଟି ପାଇଁ ଅର୍ଥାତ୍ ରାଉରକେଲା ବିକାଶର ପ୍ରସଙ୍ଗକୁ ନେଇ ସେ ବିଧାୟକ ପଦକୁ ମଧ୍ୟ ଛାଡିଦେଇ ପାରନ୍ତି ବୋଲି ସଂକେତ ଦେଇସାରିଲେଣି ।

publive-image
ବିଜୟ ପଛରେ ଦିଲ୍ଲୀପ!
ସୁନ୍ଦରଗଡ ଥିଲା ଏକମାତ୍ର ଲୋକସଭା ଆସନ, ଯେଉଁଥିରୁ ଜିତି ଜୁଏଲ ଓରାମ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ଏହି ବିଜୟ ପଛରେ ଦିଲ୍ଲୀପ ରାୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସୁନ୍ଦରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରାଉରକେଲା ହିଁ ଏକମାତ୍ର ବିଧାନସଭା କ୍ଷେତ୍ର ଥିଲା ଯେଉଁଥିରୁ ବିଜେପି ବିଧାୟକ ଭାବେ ଦିଲ୍ଲୀପ ରାୟ ନିର୍ବାଚିତ ହୋଇଥିଲେ । ୩ଟି ଆସନରେ ବିଜେପି ତୃତୀୟ, ୨ଟି ଆସନରେ ଦ୍ୱିତୀୟ ଏବଂ ଗୋଟିଏ ଆସନରେ ଚତୁର୍ଥ ସ୍ଥାନରେ ଥିଲା ।

Dilip-Ray-
ରାଉରକେଲା ପାଇଁ ଜିତିଥିଲେ ଜୁଏଲ!
ଗଣିତ ବେଶ ସ୍ପଷ୍ଟ । ବିଜେଡିର ଦିଲ୍ଲୀପ ତିର୍କୀଙ୍କୁ ମାତ୍ର ୧୮, ୮୨୯ ଖଣ୍ଡ ଭୋଟରେ ହରାଇ ସାଂସଦ ଭାବେ ଜୁଏଲ ଓରାମ ନିର୍ବାଚିତ ହୋଇଥିଲେ । ବିଜୟ ପଛରେ ରାଉରକେଲା ବିଧାନସଭା କ୍ଷେତ୍ରର ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ଅଧୀନରେ ଯେଉଁ ଲିଡ୍ ଜୁଏଲ ପାଇଥିଲେ, ସେଥିପାଇଁ ହିଁ ସେ ଏକମାତ୍ର ବିଜେପି ସାଂସଦ ଭାବେ ଓଡିଶାରୁ ଜିତିଥିଲେ ।
ଜୁଏଲ ଓରାମ ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ତଳସରା ବିଧାନସଭା କ୍ଷେତ୍ରରେ ମାତ୍ର ୧୩ ଖଣ୍ଡ ଭୋଟରେ ଆଗୁଆ ଥିବା ବେଳେ ସୁନ୍ଦରଗଡ, ରାଜଗାଙ୍ଗପୁରରେ ତୃତୀୟ ସ୍ଥାନରେ, ରଘୁନାଥପଲ୍ଲୀରେ ଦ୍ୱିତୀୟ ସ୍ଥାନରେ, ବୀରମିତ୍ରପୁରରେ ପାଖାପାଖି ୭ ହଜାର ଭୋଟରେ ଆଗୁଆ ଥିଲେ । ହେଲେ ରାଉରକେଲାରୁ ଯେଉଁ ବଡ ସମର୍ଥନ ମିଳିଥିଲା ଜୁଏଲଙ୍କୁ ସେଥିରେ ରାଉରକେଲାର ଅବଦାନ ବେଶ ବଡ ଥିଲା । ପାଖାପାଖି ୨୨ ହଜାର ଭୋଟରେ ଏଠି ଜୁଏଲ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଆଗରେ ଥିଲେ । ଯାହା ତାଙ୍କ ବିଜୟର ରାସ୍ତାକୁ ସୁଗମ କରିଥିଲା ।

publive-image
ଦିଲ୍ଲୀପଙ୍କୁ ଅଣଦେଖା!
ତଥ୍ୟ ବାବଦରେ ଆପଣଙ୍କୁ ଜଣାଇବା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ, ଯେଉଁ ବିଧାନସଭା ନିର୍ବାଚନ ମଣ୍ଡଳୀର ଅବଦାନ ପାଇଁ ବିଜେପି ଓଡିଶାର ତାର ସାଂସଦ ଖାତା ଖୋଲିଥିଲା, ସେହି ନିର୍ବାଚନ ମଣ୍ଡଳୀକୁ ଆଜି ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଦିଲ୍ଲୀପ ରାୟ କହିଛନ୍ତି, ରାଉରକେଲାର ବିକାଶ ହେଲେ କାଳେ ସେ ବାହାବା ନେଇଯିବେ, ସେଥିପାଇଁ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ କାମ ଆଗକୁ ବଢୁନାହିଁ । ଏପରିକି ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରେ ବିଜେପି ଜିତୁ, ଏକଥା ଦଳର ଜଣେ ତୁଙ୍ଗ ନେତା କୁଆଡେ ଚାହୁଁନାହାନ୍ତି ।

dilip-ray
ବିଜେପିର ଶତ୍ରୁ କିଏ?
ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବ, କିଏ ସୁନ୍ଦରଗଡରେ ବିଜେପିର ବିଜୟ ବାନା ଉଡାଇବାରେ ବାଧକ ସାଜୁଛି । ଦିଲ୍ଲୀପ ରାଏ କାହା ଆଡକୁ ଇଙ୍ଗିତ କରୁଛନ୍ତି? ରାଉରକେଲା ବିକାଶରେ କିଏ ପ୍ରତିବନ୍ଧକ ଆଣୁଛି? ଯଦିଓ ଦିଲ୍ଲୀପ କାହା ନଁ ନେଇନାହାନ୍ତି ତେବେ ଏତିକି ବୁଝିବା ଯଥେଷ୍ଟ, ଦିଲ୍ଲୀପଙ୍କ ଇଙ୍ଗିତ ବିଜେପିର ତଥାକଥିତ କ୍ଷମତାକେନ୍ଦ୍ର ଆଡକୁ ଯାଉଛି । ଏପରିକି କୋଇଲା ବ୍ଲକ ଆବଂଟନ ମାମଲାରେ ଦିଲ୍ଲୀପଙ୍କୁ ଫଶାଇବାକୁ ଜଣେ ପ୍ରଭାବଶାଳୀ ନେତାଙ୍କ ଭୂମିକା ଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା ।

dilip ray
ଦିଲ୍ଲୀପଙ୍କୁ ଅଣଦେଖା କାହିଁକି?
ଦୀର୍ଘ ଦିନ ଧରି ଦିଲ୍ଲୀପ ରାୟ ଦଳରେ ଥିଲେ ବି କୈାଣସି ବଡ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନଥିଲା । ଏପରିକି ସାଂଗଠନିକ କାର୍ଯ୍ୟକ୍ରମରେ ସେ ସାମିଲ ହେଉନଥିଲେ । ରାଜ୍ୟ ସ୍ତରର ନେତା ମଧ୍ୟ ତାଙ୍କୁ ଲୋଡୁନଥିଲେ । ଯାହା ସ୍ପଷ୍ଟ ଦର୍ଶାଉଥିଲା ଦିଲ୍ଲୀପ ଆଉ ବିଜୟଙ୍କ ଭିତରେ ସବୁ କିଛି ଠିକ ଚାଲିନଥିଲା ।
୨୦୦୯ ନିର୍ବାଚନର ଠିକ ପୂର୍ବରୁ ଯେତେବେଳେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାଏ ବିଜେପିରେ ସାମିଲ ହୋଇଥିଲା, ସେହି ସ୍ଥିତି ଆଉ ଉତ୍ସବର ମାହୋଲକୁ ମନେ ପକାଇଲେ ଢେର କିଛି ଫରକ ଆପଣ ପାଇବେ । ସେତେବେଳେ ସ୍ୱାଗତ କରିବାକୁ ଯେଉଁ ତତ୍ପରତା ଆଉ ମାହୋଲ ଦଳ ପକ୍ଷରୁ ସୃଷ୍ଟି କରାଯାଇଥିଲା, ଆଜି ସେସବୁ ଉଭେଇ ଯାଇଛି । ଗୋଟିଏ କଥା ସ୍ପଷ୍ଟ ହେଉଛି, ବିଜେପିରେ ଆଜି ସଂପୂର୍ଣ୍ଣ ଅଲୋଡା ହୋଇ ଯାଇଛନ୍ତି ଏହି ଦୁଇ ନେତା ।

publive-image
କଥା ରଖିଲେନି ମୋଦି!
ସ୍ୱାଭାବିକ ଭାବେ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରତିଶ୍ରୁତି ଦିଅନ୍ତି, ସେତେବେଳେ ସମସ୍ତଙ୍କର ଆଶା ଥାଏ, ଏହା ନିଶ୍ଚିତ ପକ୍ଷେ ପୂରଣ ହେବ । ନଚେତ ଲୋକଙ୍କ ମନରେ ଧାରଣା ତିଆରି ହେବ, ମୋଦି କଥା ଦେଇ ଭୂଲିଯାଆନ୍ତି । ଆଜି ଠିକ ସେଭଳି ଏକ ସ୍ଥିତି ସୃଷ୍ଟି ହୋଇଛି, ଯାହା ମୋଦିଙ୍କ କଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।

ବିଜେପିରେ କେହି ଅଲୋଡା ନୁହେଁ । ଦଳ କାହାକୁ ଅପମାନିତ କରିନି । ଦଶ ବର୍ଷ ଧରି ୟୁପିଏ ସରକାର ଟେଣ୍ଡର କରିକି ମଧ୍ୟ ବ୍ରାହ୍ମଣୀ ସେତୁ କରିନଥିଲେ । ମୋଦି ସରକାର ଆସିବା ପରେ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ କାମ ଆରମ୍ଭ ହୋଇଛି ।
ଗୋଲକ ମହାପାତ୍ର, ବିଜେପି ନେତା

publive-image

ଦିଲ୍ଲୀପଙ୍କ ରାସ୍ତାରେ ବିଜୟ
ରାଜ୍ୟ ରାଜନୀତିରେ ଉଭୟ ଦିଲ୍ଲୀପ ରାଏ ଓ ବିଜୟ ମହାପାତ୍ରଙ୍କ ଦବଦବା ଢେର ଅଧିକ । ଆଜି ବି ଏହି ଦୁଇ ବିଜୁ ଅନୁଗତ ନେତାଙ୍କ ରାଜନୈତିକ ବିଚକ୍ଷଣତା ପ୍ରତିପକ୍ଷକୁ ମାତ୍ ଦେବଇ ପାଇଁ ଯଥେଷ୍ଟ । ଦିଲ୍ଲୀପଙ୍କ ପରେ ଏବେ ବିଜୟ ସାମ୍ନାକୁ ଆସିଛନ୍ତି ।

ଦିଲ୍ଲୀପ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ସେଥିରେ ଯଥାର୍ଥତା ରହିଛି । ବହୁ ଆଗରୁ ସରକାର ଓ ଦଳ ଏ ବାବଦରେ ଚିନ୍ତା କରିବା ଦରକାର ଥିଲା । ଏବେ ବହୁତ ବିଳମ୍ବ ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତିର ନିଜ ବିଷୟରେ ନିଷ୍ପତି ନେବାର ସ୍ୱାଧୀନତା ଅଛି । ଜଣେ ବିଧାୟକ ଅପମାନିତ ହେବା ଅନୁଭବ କରିଥିବେ ତେଣୁ ଏମିତି କହିଛନ୍ତି । ଦୁଇ ଜଣ ଆଲୋଚନା କରି ପରର୍ବତୀ ନିଷ୍ପତି ଜଣାଇବୁ ।
ବିଜୟ ମହାପାତ୍ର, ବିଜେପି ନେତା

କୁଆଡେ ଯିବେ ବିଜୟ-ଦିଲ୍ଲୀପ?

ଗୋଟିଏ କଥା ସ୍ପଷ୍ଟ, ଦିଲ୍ଲୀପଙ୍କ ଭଳି ବିଜୟ ମଧ୍ୟ ଅସନ୍ତୁଷ୍ଟ । ଦଳ ଯେଉଁଭଳି ପରିଚାଳିତ ହେଉଛି, ତାକୁ ନେଇ ଖୋଲାଖୋଲି ମତ ରଖିଛନ୍ତି । ଦୁଇ ନେତା ବିଜେପିରୁ ଇସ୍ତଫା ଦେଇ ଭବିଷ୍ୟତ ରଣନୀତି ତିଆରି କରିପାରନ୍ତି । ବିଜେଡିକୁ ଫେରିବାରେ ଦିଲ୍ଲୀପଙ୍କ ପାଇଁ କିଛି ବାଧାବିଘ୍ନ ନଥିବା ବେଳେ ବିଜୟଙ୍କୁ ନେଇ କିନ୍ତୁ ଢେର କସରତ ଚାଲିଛି । ନୂଆବର୍ଷରେ ନୂଆ ଖବର ପାଇବାକୁ ରାଜନୈତିକ ଗୋଟିଚାଳନା ହେଉଥିବା କୁହାଯାଉଛି ।

publive-image

କ୍ଷତି ସହିବ ବିଜେପି?
ଶକ୍ତି ସଂଗ୍ରହ କରି ମିଶନ ୧୨୦କୁ ସାକାର କରିବାକୁ ଲକ୍ଷ୍ୟ ରଖିଥିବା ବିଜେପିର ଦୁଇ ପାଖୁଡା ଖସିବା ନିହାତି ଭାବେ ଦଳ ଉପରେ ନକରାତ୍ମକ ପ୍ରଭାବ ପକାଇବ । ରଣନୀତି ପ୍ରସ୍ତୁତିରେ ବା ତାକୁ କାର୍ଯ୍ୟକାରୀ କରାଇବାରେ ବିଜୟ ମହାପାତ୍ର ତାଙ୍କ ପାରଦର୍ଶିତା ଅତୀତରେ ଦେଖାଇଛନ୍ତି । ଏପରିକି କନ୍ଧମାଳ ଲୋକସଭା ଉପ-ନିର୍ବାଚନରେ ବିଜେପି ତାଙ୍କ ନେତୃତ୍ୱରେ ଲଢିଥିଲା । ହେଲେ ଏବେ ସ୍ଥିତି ଠିକ ଓଲଟା ।
ବିଜେପିରେ ରାଜ୍ୟ ସ୍ତରରେ ଆଜି ବହୁ ତୁଙ୍ଗ ନେତା ଅଲୋଡା ହେଉଥିବା ଚର୍ଚ୍ଚା ହେଉଛି । ନୂଆ ନେତୃତ୍ୱ ଆଉ କିଛି କୋଟେରୀ ନେତାଙ୍କୁ ନେଇ ଦଳ ପରିଚାଳିତ ହେଉଥିବା ଅଭିଯୋଗ ଭିତରେ, ଯେଉଁ ଅପବାଦ ଦିଲ୍ଲୀପ ଲଗାଇଛନ୍ତି ତାକୁ ଦୂର କରିବାରେ ଦଳ ସକ୍ଷମ ନ’ହୋଇପାରିଲେ ଢେର ମୂଲ୍ୟ ଦେବାକୁ ପଡିପାରେ ।