ବଢିଲା ଦିଲ୍ଲୀପଙ୍କ ଅଡୁଆ ! କୋଇଲା ଦୁର୍ନୀତି ମାମଲାରେ ଚାର୍ଜଫ୍ରେମ ପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟର ନିଷ୍ପତି

29

କନକ ବ୍ୟୁରୋ : କୋଇଲା ଦୁର୍ନୀତି ମାମଲାରେ ବଢିଲା ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ଅଡୁଆ । କାରଣ ପ୍ରାୟ ୨ଲକ୍ଷ କୋଟି ଟଙ୍କାର, ଦେଶର ଏହି ବଡ ଦୁର୍ନୀତି ମାମଲାରେ ଚାର୍ଜଫ୍ରେମ କରିବାକୁ ଯାଉଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଆଗାମୀ ୨୬ ତାରିଖରେ ଚାର୍ଜଫ୍ରେମ କରିବେ କୋର୍ଟ । ଆଉ ଦିଲ୍ଲୀପଙ୍କ ବିରୋଧରେ ଲାଗିପାରେ ଅପରାଧ ଉଦ୍ଦେଶ୍ୟ ରଖି ପଦବୀର ଅପବ୍ୟବହାର କରିବା ଭଳି ସଂଗୀନ ଦଫା । କେନ୍ଦ୍ର କୋଇଲା ମନ୍ତ୍ରୀ ଥିବା ସମୟରେ ବ୍ରହ୍ମାଡିଆ ଖଣି ଆବଂଟନ କରିଥିଲେ ଦିଲ୍ଲୀପ । ଆଉ ସେଥିପାଇଁ ଦିଲ୍ଲୀପଙ୍କୁ ଘେରିଛି ସିବିଆଇ ।

୧୯୯୯ରେ ଝାଡଖଣ୍ଡରେ ବ୍ରହ୍ମାଡିଆ କୋଇଲା ଖଣି କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡକୁ ଦିଆଯାଇଥିଲା । ଏହି କୋଇଲା ଖଣି ଆବଂଟନରେ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗରେ ତତ୍କାଳୀନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସହ ସେତେବେଳର ଅତିରିକ୍ତ ସଚିବ ପ୍ରଦୀପ କୁମାର ବାନାର୍ଜୀ ଏବଂ ପ୍ରକଳ୍ପ ପରାମର୍ଶଦାତା ନିତ୍ୟାନନ୍ଦ ଗୌତମଙ୍କ ବିରୋଧରେ ଚାଲିବ ମାମଲା ।

ଦିଲ୍ଲୀପ ରାୟଙ୍କ ବିରୋଧରେ ..
– ଆପିସିର ଧାରା ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର
– ଧାରା ୪୦୯ ଅର୍ଥାତ ଅପରାଧିକ ଉଦ୍ଦେଶ୍ୟ ରଖି ପଦ ପଦବୀର ଅପବ୍ୟବହାର
– ଦୁର୍ନୀତି ନିରୋଧୀ ଆଇନର ସେକ୍ସନ ୧୩-୧-ଡି ଅଧିନରେ ଅପରାଧିକ ଦୁର୍ବ୍ୟବହାର
ଭଳି ସଂଗୀନ ଦଫାରେ ଚାର୍ଜସିଟ କରିବାକୁ ଯାଉଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ ।

ସାରା ଦେଶରେ ୧ ଲକ୍ଷ ୮୬ ହଜାର କୋଟି ଟଙ୍କାର କୋଇଲା ଦୁର୍ନୀତି ନେଇ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲଙ୍କ ରିପୋର୍ଟ ପରେ ସାରା ଦେଶରେ ହୋଇଥିଲା ତମ୍ବି ତୋଫାନ । ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ଆରମ୍ଭ ହୋଇଥିଲା ସିବିଆଇ ଅନୁସନ୍ଧାନ । ଆଉ କାଠଗଡାରେ ଛିଡା ହୋଇଥିଲେ ୟୁପିଏ ସରକାର । ଏପରିକି ୧୯୯୩ ରୁ ଆବଂଟିତ ହୋଇଥିବା ୨୧୮ କୋଇଲା ଖଣିରୁ ୨୧୪ଟିକୁ ବାତିଲ କରିଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।